ସାମ୍ବାଦିକ ସମ୍ମିଳନୀରେ ବାକଶୂନ୍ୟ ହେଲେ ସମୀର, ଏଫସିଆଇ ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଅଧାରୁ ସାମ୍ବାଦିକ ସମ୍ମିଳନୀ ବନ୍ଦ

ସମ୍ବଲପୁର : ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବାକୁ ଅଣ୍ଟା ଭିଡି ଆସିଥିଲେ। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ କରି ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ ହିଁ ବିଜୟୀ କରାଇବେ ବୋଲି ଦୃଢୋକ୍ତି ବାଢିଥିଲେ। ହେଲେ ଗତ 5 ବର୍ଷ ଧରି ବିଜେପି ହାତରେ ସମ୍ବଲପୁର ଜିଲ୍ଲାର ଅଧିକାଂଶ ପଞ୍ଚାୟତ ସମିତି ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବି ରହିଥିଲା। ତେଣୁ, ଏହି 5 ବର୍ଷ ମଧ୍ୟରେ ଜିଲ୍ଲା ପରିଷଦ ଦ୍ବାରା ହୋଇଥିବା ବିକାଶର ତାଲିକା ମାଗି ଦେବାକୁ କଥା ମୁସ୍କିଲ ହୋଇଗଲା। ଖାଲି ସେତିକି ନୁହେଁ, ଦଶନ୍ଧି ଦଶନ୍ଧି ଧରି ଓଡିଶାରୁ ଏଫସିଆଇ କାହିଁକି ଧାନ କିଣୁନାହିଁ ବୋଲି ପ୍ରଶ୍ନ ହେବାକୁ ମୁହଁରେ ତୁଣ୍ଡି ପଡିବା ସହିତ ସାମ୍ବାଦିକ ସମ୍ମିଳନୀ ବି ଅଧାରୁ ବନ୍ଦ ହୋଇଗଲା। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବଲପୁର ସହରର ହରଜିତ୍ ରେସିଡେନ୍ସିରେ ଆଜି ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲ୍ଲା ସଭାପତି ଗିରିଶ ପଟେଲ, ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ। ତେବେ, ସାମ୍ବାଦିକ ସମ୍ମଳନୀ ଆରମ୍ଭ ହେବା ମାତ୍ରେ ସମୀର ତାଙ୍କ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ଅନୁଦାନକୁ ବାଟମାରଣା କରାଯାଉଥିବା ଭଳି ଅନେକ ଆରୋପ ଆଣିଥିଲେ। ଆଉ ଏହି ସବୁ କାରଣରୁ ଲୋକେ ସମ୍ବଲପୁର ଜିଲ୍ଲାରେ ବିଜେପିକୁ ପୁଣି ପଞ୍ଚାୟତ ନିର୍ବାଚନରେ ବିଜୟୀ କରାଇବେ ବୋଲି ସେ ବାହାସ୍ଫୋଟ ମାରିଥିଲେ। ହେଲେ ସାମ୍ବାଦିକଙ୍କ ସିଧା ସିଧା ପ୍ରଶ୍ନ ତାଙ୍କୁ ସାଂଘାତି ଅଡୁଆରେ ପକାଇଥିଲା।

ଗତ 5 ବର୍ଷ ଧରି ବିଜେପି ହାତରେ ଜିଲ୍ଲା ପରିଷଦ ଏବଂ ଜିଲ୍ଲାର ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ବି ରହିଥିଲା। ତେଣୁ, ଏହି 5 ବର୍ଷ ମଧ୍ୟରେ ଦଳ ଲୋକଙ୍କ ପାଇଁ କଣ କରିଛି ଯେ, ଲୋକେ ପୁଣି ଭୋଟ୍ ଦେବେ ବୋଲି ପ୍ରକାଶ କରିବାକୁ ସମୀରଙ୍କ ଅକଳ ଗୁଡୁମ୍ ହୋଇଯାଇଥିଲା। ପାଟି ଥନି ମାରିଥିଲା। ଆଉ ସାମ୍ବାଦିକମାନେ ବି ଛାଡିବା ଲୋକ ନୁହନ୍ତି। ଠିକ୍ ଏତିକି ବେଳେ ଏଫସିଆଇ କାହିଁକି ଓଡିଶାରୁ ଧାନ କିଣୁନି କି ଚାଉଳ ଉଠାଉନି ବୋଲି ପ୍ରଶ୍ନ ହେବା ମାତ୍ରେ ସମୀର ସଂପୂର୍ଣ ଭାବେ ନିରବ ରହିଯାଇଥିଲେ। ପ୍ରଥମେ ପ୍ରଶ୍ନକୁ ବୁଝିପାରିନଥିବା ଅଭିନୟ କରିଥିଲେ। ଫଳରେ ସାମ୍ବାଦିକ ଜଣକ ପୁଣି ଏଫସିଆଇ କଥା ଦୋହରାଇବା ମାତ୍ରେ ତାଙ୍କ ପାଟିରେ ତୁଣ୍ଡି ପଶିଯାଇଥିଲା। ଆଉ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଅଧାରୁ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.