ସମୀରଙ୍କ ଗସ୍ତରେ ଜୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା, ଥମିନି ୫ ବର୍ଷ ତଳର ବିବାଦ!

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇଉଠିଲାଣି। ମତଦାନ ପାଇଁ ହାତରେ ଆଉ ମାତ୍ର ୫ ଦିନ ବାକି ରହିଲା। ଭୋଟରଙ୍କୁ ମନେଇବାକୁ ସବୁ ପ୍ରାର୍ଥୀ ଏବଂ ରାଜନୈତିକ ଦଳ ସବୁ ବଳ ଜୁଟାଇ ଦେଲେଣି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ବିଜେପି ବି ପୁଣି ଥରେ ପରିଷଦ ଗଠନ କରିବାକୁ ପ୍ରଚାରକୁ ଜୋରଦାର କରିଛି। ହେଲେ ଦଳୀୟ ସଂଗଠନର ଭିତିରି କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାନି। ବିଶେଷ କରି ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନକୁ ନେଇ ବିଜେପି ଅଫିସରେ ଘଟିଥିବା ତୁମୁଳକାଣ୍ଡର ଅସନ୍ତୋଷ ଦୀର୍ଘ ୫ ବର୍ଷ ପରେ ବି ଥମିନଥିବା ଚର୍ଚ୍ଚ। ଜୋର ଧରିଲାଣି। ଦୁଇଦିନ ତଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମ୍ବଲପୁର ଗସ୍ତ ବେଳେ ଖୋଦ୍ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଅନୁପସ୍ଥିତି ଏବେ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ସଂଗଠନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିଲା। ହେଲେ ସେହି ବର୍ଷ ପଞ୍ଚାୟତ ନିର୍ବାଚନରେ ଛତିଶଗଡ ବିଜେପିର ସମର୍ଥନରେ ଜିଲ୍ଲାରେ ବିଜେପି ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। କିନ୍ତୁ, ଅଧ୍ୟକ୍ଷ ଚୟନ ବେଳକୁ ଦଳ ଦୁଇ ଫାଳ ହୋଇଗଲା। ଦେଖିବାକୁ ଗଲେ ଜୟଙ୍କ ନେତୃତ୍ବରେ ଦଳ ପରିଷଦ ଗଠନ କରିବାରେ ସଫଳ ହୋଇଥିଲେ ହେଁ ସୁରେଶ ପୂଜାରୀଙ୍କ ହସ୍ତକ୍ଷେପ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥା ହାତାହାତି ଯାଏ ଯାଇଥିଲା। ସୁରେଶଙ୍କ ଜଣେ ଅନୁଗତଙ୍କୁ ରାଜ୍ୟସ୍ତରୀୟ ନେତା ଅଧ୍ୟକ୍ଷ ଆସନରେ ବସାଇବାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଏପରିକି ଅଧ୍ୟକ୍ଷ ପଦ ଘୋଷଣା କରିବାକୁ ଆସିଥିବା ସମୀର ମହାନ୍ତିଙ୍କୁ ଜୟଙ୍କ ଗୋଷ୍ଠୀ ଆକ୍ରମଣ କରିବା ଯାଏ କଥା ଯାଇଥିଲା। ଆଉ ଏହାକୁ ନେଇ ଜୟଙ୍କୁ ଦଳ ନିଲମ୍ବିତ କରିଥିବା ବେଳେ ତାଙ୍କ ଅନେକ ସମର୍ଥକଙ୍କୁ ବହିଷ୍କାର ବି କରାଯାଇଥିଲା। ଅବଶ୍ୟ ପ୍ରାୟ ୬ ମାସ ପରେ ପୁଣି ଦଳ ସମସ୍ତଙ୍କୁ ଦଳକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା।

ତେବେ, ଇତିମଧ୍ୟରେ ଏହି ଘଟଣାକୁ ୫ ବର୍ଷ ବିତିଯାଇଛି। ଆଉ ରାଜନୀତିର ଘଟଣାକ୍ରମରେ ବର୍ତ୍ତମାନ ସମୀର ମହାନ୍ତି ରାଜ୍ୟ ବିଜେପିର ମଙ୍ଗୁଆଳ ସାଜିଥିବା ବେଳେ ଜୟ ବର୍ତ୍ତମାନ ସମ୍ବଲପୁରର ବିଧାୟକ ହୋଇଛନ୍ତି। ତଥାପି ବିଗତ ଦିନର ବିବାଦ ଥମିନଥିବା ଚର୍ଚ୍ଚା ହେଉଛି। ଏହାର କାରଣ ହେଲା ଯେ, ଦୁଇଦିନ ତଳେ ସମୀର ସମ୍ବଲପୁର ଗସ୍ତରେ ଆସି ସହରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଜିଲ୍ଲା ସଭାପତିଙ୍କ ସମେତ ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏହି ସାମ୍ବାଦିକ ସମ୍ମିଳନୀରେ ଜୟଙ୍କୁ ଦେଖିବାକୁ ମିଳିନଥିଲା। ଆଉ ଜୟଙ୍କ ଅନୁପସ୍ଥିତି ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାକୁ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିବା ନେଇ ବାହାରେଇଁ ଥିଲେ। ହେଲେ ସେହି ସମୟରେ ଜୟ ପଡୋଶୀ ବରଗଡ ଜିଲ୍ଲାର ଅତାବିରାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। ସେହିପରି ସମୀର କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ମିଶ୍ରଣ ପର୍ବରୁ ଆରମ୍ଭ କରି ମାରାଥନ୍ ପ୍ରଚାର କରିଥିଲେ ହେଁ ଜୟଙ୍କ ଦେଖା ମିଳିନଥିଲା। ଫଳରେ ଏହାକୁ ନେଇ ଗତ ୨୦୧୭ର ବିବାଦ ଏ ପର୍ଯ୍ୟନ୍ତ ଥମିନଥିବା ଚର୍ଚ୍ଚା ଜୋର ଧରିଛି। ତେବେ, ନିର୍ବାଚନ ବେଳେ ଦଳର ଏଭଳି କନ୍ଦଳ ବିଜୟ ଦିଗରେ ବିରାଟ ଅନ୍ତରାୟ ସୃଷ୍ଟି କରିବ ବୋଲି ରାଜନୈତିକ ବିଷାରଦଙ୍କ ମହଲରେ ଆଲୋଚନା ଜୋର ଧରିଲାଣି।

Comments are closed.