ପଞ୍ଚସଖା ଯୁଗର ଅନନ୍ୟ ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ, ଆବିର୍ଭାବ ତିଥି ଅଵସରରେ

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ ‘ମହାପୁରୁଷ’ ଭାବେ ଲୋକେ ଅଭିହିତ କରନ୍ତି ।

ଅଚ୍ୟୁତାନନ୍ଦ ଦାସ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ନେମାଳ ପାଖରେ ଥିବା ତିଳକଣା ଗାଁରେ ମାତା ପଦ୍ମାବତୀଙ୍କଠାରୁ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଜନ୍ମଲାଭ କରିଥିଲେ ।ସେ ନିଜର ଜନ୍ମ ଗୋପାଳ ଜାତିରେ ହୋଇଥିବା ଉଲ୍ଲେଖ କରିଛନ୍ତି ।
ତିଳକଣାରେ ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ
ଅଗଣି ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।
ବେନି ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ
ଏମନ୍ତ ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।
ନାମ ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ
ଏବେ ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।

ଏହି ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ମାତା ତାଙ୍କୁ ‘ଅଗଣି’ ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଦୀନବନ୍ଧୁ ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ
ବାଞ୍ଛିଲାର ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।
ଖୁଣ୍ଟିଆ ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ
ପ୍ରଭୁ ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।
ଦଶମାସ ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ
ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।
କେ ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି
ମାତା ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି ।

ସେ ନିଜ ରଚନା ଶୂନ୍ୟସଂହିତାରେ ଆତ୍ମପରିଚୟ ଦେଇ ଲେଖିଛନ୍ତି ଯେ ସେ ପୂର୍ବ ଜନ୍ମରେ ସୁଦାମ ଥିଲେ ।

ଚୈତନ୍ୟ ମହାପ୍ରଭୁଙ୍କଙ୍କ ସହ ଭେଟ:

ତାଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି ।
ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି
ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।

ଅଚ୍ୟୁତାନନ୍ଦଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ ଅଚ୍ୟୁତଙ୍କ ୧,୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ

ସେତେବେଳେ ଗଜପତି ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ ମଠ ରହିଛି ଯାହାର ନାମ ଗୋପାଳ ମଠ ବା ଗନ୍ଧର୍ବ ମଠ।

ତାଙ୍କ ରଚନାବଳୀ ମଧ୍ୟରେ ରହିଛି :-
o ୧.ଶୂନ୍ୟସଂହିତା
o ୨.ପୁରାଣ
o ୩.ମାଳିକା
o ୪.ଗୀତା
o ୫.କୋଇଲି
o ୬.ସଂହିତା
o ୭.ରାହାସ
o ୮.ଟୀକା
o ୯.ପଟଳ
o ୧୦.ଅନ୍ୟାନ ପଦ୍ୟାବଳୀ ଓ ଗ୍ରନ୍ଥସମୁହ

Comments are closed.