କୁରୁମକେଲରେ ହେବ ଶେଷଥର ଭୋଟ ଗ୍ରହଣ, ନିର୍ବାଚନ ପରେ ଉଚ୍ଛେଦ ହେବ ଗାଁ

ବରଗଡ଼: ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟର କୋର୍ ଏରିଆକୁ ‘ ଇକୋ ସେନ୍‌ସିଟିଭ ଜୋନ୍ ଭାବେ ଭାରତୀୟ ରାଜପତ୍ରରେ ଘୋଷଣା କରାଯିବା ପରେ ଜନବସତି ଗୁଡ଼ିକୁ ଅଭୟାରଣ୍ୟର ପେରିଫେରି ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି । ଅମ୍ବାଭନା ବ୍ଲକର ଭୂତଲି , କୁରୁମକେଲ ଓ ରେଙ୍ଗାଲି ଗ୍ରାମବାସୀ କୁରୁମକେଲ ପ୍ରାଥମିକ ସ୍କୁଲରେ ଏ ପର୍ଯ୍ୟନ୍ତ ଭୋଟଦେଇ ଆସୁଥିଲେ । ମାତ୍ର ନିର୍ବାଚନପରେ ଏହି ଗାଁ ଗୁଡ଼ିକ ଉଚ୍ଛେଦ ହେବାକୁ ଯାଉଥିବାରୁ ଫେବୃୟାରୀ ୧୬ ତାରିଖରେ ହେବାକୁ ଥିବା ନିର୍ବାଚନ ସେଠାକାର ଶେଷ ନିର୍ବାଚନରେ ପରିଣତ ହେବ । ଏହି ଗାଁ ଗୁଡ଼ିକର ଅଧ୍ୟାବାସୀଙ୍କୁ ‘ ଚକ୍ରମାଲ’ଠାରେ ଆଶ୍ରୟ ଦିଆଯିବ ବୋଲି ଜଣାପଡ଼ିଛି । ସେମାନଙ୍କୁ କ୍ଷତିପୂରଣ ସ୍ୱରୂପ ପରିବାର ପିଛା ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ଚକ୍ରମାଲ ଗ୍ରାମରେ ୧୦ ଡିସମିଲ ଲେଖାଏଁ ବାସ ଉପଯୋଗୀ ଜମି ଓ ଅସ୍ଥାୟୀ ଆବାସ ଯୋଗାଇ ଦିଆଯିବାର ବ୍ୟବସ୍ଥା ପଞ୍ଚାୟତ ଭୋଟ ଦେଇ ସାରିଲାପରେ ଏହି ଲୋକମାନେ ଚକ୍ରାମାଲ ଗାଁକୁ ସ୍ଥାନାନ୍ତର ହେବେ । ଅମ୍ବାଭନା ବିଡିଓ ଅନୁପମା ଘୋଷ ତହସିଲଦାର ସୀତାରାମ ଭୋଇ , ସହାୟକ ଯନ୍ତ୍ରୀ ରସ୍ମିତା ନାୟକ ଆଜି ଉଚ୍ଛେଦ ହେବାକୁ ଥିବା ଭୁତୁଲି , ରେଙ୍ଗାଲି ଓ କୁରୁମକେଲ ପରିଦର୍ଶନ କରିବା ସହ କୁରୁମକେଲ ସ୍କଲରେ ଶେଷଥର ପାଇଁ ହେବାକୁ ଥିବା ଭୋଟଗ୍ରହଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହା ସାଙ୍ଗକୁ ଚକ୍ରାମଲ ଗାଁରେ ବସିବାକୁ ଥିବା ନୂତନ ବସ୍ତି ମଧ୍ୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ୨୦୨୨ ପଞ୍ଚାୟତ ନିର୍ବାଚନର ଏହା ଐତିହାସିକ ଘଟଣା ହୋଇ ରହିବ ।

Comments are closed.