ପବିତ୍ର କୁମ୍ଭ ସଂକ୍ରାନ୍ତି, ପିତାମହ ଭୀଷ୍ମଙ୍କର ତିରୋଧାନ ତିଥି

ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ ସଂକ୍ରାନ୍ତି’। ଏହି ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହିଦିନ ସମସ୍ତ ଦେବଦେବୀ ଆସି ଲଗ୍ନ ଅନୁସାରେ ପ୍ରୟାଗ ଓ ହରିଦ୍ୱାରର ଗଙ୍ଗା, ଉଜ୍ଜୟିନୀର ସିପ୍ରା ଏବଂ ନାସିକ୍ର ଗୋଦାବରୀରେ ସ୍ନାନ କରିଥାନ୍ତି। ତେଣୁ ଏହି ସମୟରେ ଏହି ସ୍ଥାନଗୁଡ଼ିକରେ କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଏଠାରେ ସ୍ନାନ କଲେ ମନୁଷ୍ୟ ସର୍ବପାପରୁ ମୁକ୍ତ ହୋଇ ସୁଖମୟ ଜୀବନଯାପନ କରେ।

ଏହାର କାରଣ ସଂପର୍କରେ କୁହାଯାଇଛି, ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ନେଇ ଯେତେବେଳେ ଦେବତା ଓ ଦାନବଙ୍କ ମଧ୍ୟରେ କଳହ ହେଲା, ପକ୍ଷୀରାଜ ଗରୁଡ଼ ଅମୃତ କଳସକୁ ଧରି ଆକାଶରେ ଉଡ଼ି ବୁଲିଲେ। ସେହି ସମୟରେ ସେହି ଅମୃତ କଳସରୁ କିଛି ଅମୃତ ଉଛୁଳି ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ୍ରେ ପଡ଼ିଲା। ଦେବାସୁର ସଂଗ୍ରାମ ବାରଦିନ ଧରି ଚାଲିଥିଲା। ଦେବତାମାନଙ୍କର ଗୋଟିଏ ଦିନ ମନୁଷ୍ୟଲୋକରେ ଏକବର୍ଷ। ତେଣୁ ଯେଉଁ ଲଗ୍ନରେ ଯେଉଁଠାରେ ଅମୃତ ବିନ୍ଦୁ ନିପତିତ ହୋଇଥିଲା, ସେହି ସ୍ଥାନରେ ବାରବର୍ଷରେ ଥରେ କୁମ୍ଭମେଳା ବା କୁମ୍ଭ ସ୍ନାନ ହୋଇଥାଏ। କୁମ୍ଭସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ପ୍ରାୟ ୪୮ ଦିନ ଚାଲେ।

ଏଣୁ ଭିନ୍ନଭିନ୍ନ ଦିନରେ ବିଭିନ୍ନ ବର୍ଗର ଲୋକେ ଏକତ୍ର ହୋଇ, ଅମୃତ ସ୍ନାନ କରି, ସୂର୍ଯ୍ୟଦେବଙ୍କର ଆରାଧନା କରିଥାନ୍ତି। ଏହାଦ୍ୱାରା ମନୁଷ୍ୟର ସମସ୍ତ ପାପ ବିମୋଚନ ହୋଇ ସେ ଅମୃତର ଅଧିକାରୀ ହୁଏ। ଜରା ଆଦି ଶରୀର ପୀଡ଼ା ଭୋଗ ନ କରି, ସେ ସୁସ୍ଥ ଓ ସଂପନ୍ନ ଜୀବନଯାପନ କରିଥାଏ।

ଏହି ଅବସରରେ ଇଲାହାବାଦ ନାଶିକ୍ ହରିଦ୍ୱାର ଓ ଉଜ୍ଜୈନରେ ପ୍ରବଳ ଜନ ସମାଗମ ହୁଏ । ଉତ୍ତର ଭାରତରେ ଏହି ସଂକ୍ରାନ୍ତିରେ ଗାଈ ଗୋରୁଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଏ ।ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ କୁମ୍ଭ ସଂକ୍ରାନ୍ତିକୁ ଫଗୁଣ ମଙ୍କସର ପ୍ରଥମ ଦିନ ଭାବେ ଗ୍ରହଣ କରାଯାଏ । କେରଳରେ ଏହାକୁ ମାସୀ ମାସମ କୁହାଯାଏ । ମାଘମାସ ଶୁକ୍ଳପକ୍ଷ ଅଷ୍ଟମିରେ ପିତାମହ ଭୀଷ୍ମ ଦେହତ୍ୟାଗ କରିଥିଲେ । ତେଣୁ ଏହା ଭୀଷ୍ମାଷ୍ଟମୀ ଭାବେ ଖ୍ୟାତ ।

Comments are closed.