ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ୧୯ ମାସର ଝିଅ

ବ୍ରହ୍ମପୁର: ବୟସ ମାତ୍ର ଏକ ବର୍ଷ ୭ ମାସ। କୋମଳମତି ଶିଶୁ କନ୍ୟାଟି ଠିକ୍ ଭାବେ ଚାଲିପାରେନି। ଅଥଚ ତାର ମସ୍ତିଷ୍କର ବିଚକ୍ଷଣତା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରିବ। ଏ ଠାରୁ ଜେଡ୍ ଇଁରାଜୀ ଅକ୍ଷର ହେଉ କି ପଶୁପକ୍ଷୀ, ଫୁଲ ଅଥବା ପନିପରିବା ନାମ ପଚାରନ୍ତୁ ବେଶ୍ ସହଜରେ, ସାବଲୀଳ ଢଙ୍ଗରେ ଉତ୍ତର ଦିଅନ୍ତି ହର୍ଷିତା ମହାନ୍ତି। ଘର ତାଙ୍କର ବ୍ରହ୍ମପୁର ବ୍ରଜନଗର ୩ୟ ଗଳି। କେବଳ ଏତିକି ନୁହେଁ ଏହି କୁନି ଝିଅଟି ମାତ୍ର ୨୭୬ ସେକଣ୍ଡରେ ପୁରା ସମାଧାନ କରିପାରୁଛନ୍ତି ୪ଟି ପଜଲ୍ ଗେମ୍। ଏହି ପ୍ରତିଭା ଏବେ ହର୍ଷିତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ଦେଇଛି। ହର୍ଷିତାଙ୍କ ଏହି ପ୍ରତିଭା ବାବଦରେ ଭିଡିଓ ରେକର୍ଡିଂ କରି ୟୁ – ଟ୍ୟୁବ୍‌ରେ ଅପ୍‌ଲୋଡ୍ ମଧ୍ୟ କରିଛନ୍ତି ବାପା ମାଆ।

ଗତବର୍ଷ ଡିସେମ୍ବର ୩୦ ତାରିଖରେ ନିଜର ଏକମାତ୍ର ଝିଅର ଏହି ପ୍ରତିଭା ବାବଦରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ ପିତା ହେମନ୍ତ କୁମାର ମହାନ୍ତି ଓ ମା’ ମହ୍ଲାର ମହାନ୍ତି। ପିତା ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ। ନିକଟରେ ହର୍ଷିତାଙ୍କ ପ୍ରତିଭାକୁ ନିଜ ସଂସ୍କରଣରେ ସ୍ବୀକୃତି ଦେଇଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କର୍ତ୍ତୃପକ୍ଷ। ଏ ବାବଦରେ ହେମନ୍ତ ଓ ମହ୍ଲାର ଇ-ମେଲ୍‌ ଯୋଗେ ନିଶ୍ଚିତ ପତ୍ର ପାଇଛନ୍ତି। ଏଥିସହ ରେକର୍ଡ ବୁକ୍ ପ୍ରତିଲିପି, ଆବଶ୍ୟକ ପ୍ରମାଣପତ୍ର ଓ ଉପଢୌକନ ମଧ୍ୟ ହର୍ଷିତାଙ୍କ ନିକଟରେ ପହଞ୍ଚି ପାରିଛି। ହର୍ଷିତାକୁ ପ୍ରଥମେ ଭଲ ମଣିଷ ଭାବେ ଗଢ଼ି ତୋଳିବୁ। ସେ ଯେଉଁ କ୍ଷେତ୍ରରେ ଇଚ୍ଛା କରିବ ସେହି ଦିଗରେ ତାଙ୍କୁ ପ୍ରୋତ୍ସାହନ ଦେବୁ ବୋଲି କହିଛନ୍ତି ଉଭୟ ଅଭିଭାବକ। କୁନି ଝିଅଟିର ଏହି କୃତିତ୍ଵ କେବଳ ପିତା ମାତା କିମ୍ବା ପରିବାର ନୁହେଁ, ସମସ୍ତ ଜଣାଶୁଣା ଲୋକ ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସି ଖେଳାଇ ଦେଇଛି।

Comments are closed.