କୋଭିଡ୍ ଟିକା ତିଆରି କଲେ ବ୍ରହ୍ମପୁର ଆଇଜର୍- କେ.ଏନ୍.ୟୁନିଭର୍ସିଟି

ବ୍ରହ୍ମପୁର: ଆଇଜର୍ ବ୍ରହ୍ମପୁର ଏବଂ ଆସାନ୍‌ସୋଲସ୍ଥିତ କାଜି ନାଜରୁଲ୍ ବିଶ୍ଵବିଦ୍ୟାଳୟ (କେ.ଏନ୍.ୟୁନିଭର୍ସିଟି) ମିଳିତ ଭାବେ ନୂତନ କୋଭିଡ୍ ଟିକା ‘ଅଭିସ୍ କୋଭାକ୍‌’ ପ୍ରସ୍ତୁତି କରିପାରିଥିବା ଦାବି କରିଛନ୍ତି। ଯଦିଓ ଅଭିସ୍ କୋଭାକ୍ ଟିକାର ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଲିନିକାଲ୍ ଟ୍ରାଏଲ୍ ପରେ ସ୍ପଷ୍ଟ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଟିକା କରୋନାର ବର୍ତ୍ତମାନର ଭାରିଆଣ୍ଟ୍ ସହ ଆଗାମୀ ଅନେକ ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ହେବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି।

ଏହି ଟିକା ପ୍ରସ୍ତୁତି ପଛରେ ରହିଛି ୫ ଜଣିଆ ବୈଜ୍ଞାନିକ ଟିମ୍‌ ଦ୍ବାରା ଗତ ଦୁଇ ବର୍ଷର କଠୋର ପରିଶ୍ରମ। ବ୍ରହ୍ମପୁର ଆଇଜରର ବୈଜ୍ଞାନିକ ଡ. ସରୋଜ କୁମାର ପଣ୍ଡା, ଡ. ମଳୟ କୁମାର ରାଣା ଓ ଡ. ପାର୍ଥ ସାରଥୀ ସେନ୍‌ଗୁପ୍ତା ଏବଂ ଆସାନସୋଲ ବିଶ୍ୱବିଦ୍ୟାଳୟର ଡ. ସୁପ୍ରଭାତ ମୁଖାର୍ଜୀ ଓ ଡ. ଅଭିଜ୍ଞାନ ଚୌଧୁରୀ ପ୍ରମୁଖ ମିଳିତ ଭାବେ ଏହା ଉପରେ ଗବେଷଣା ଚଳାଇଥିଲେ। ଏବେ ଏହି ଟିକା ପରୀକ୍ଷଣ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଡ. ସରୋଜ ପଣ୍ଡା। ଆଗାମୀ ଦିନରେ ଏହାକୁ ମନୁଷ୍ୟ ଶରୀରରେ ପରୀକ୍ଷଣ କରିବା ନେଇ ମଧ୍ୟ ଯୋଜନା ରଖିଛନ୍ତି ବୈଜ୍ଞାନିକ। ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଜଣାଯାଇଛି।

ଡ. ପଣ୍ଡା ଆହୁରି କହିଛନ୍ତି ଯେ- ୫ ଜଣିଆ ବୈଜ୍ଞାନିକ ଟିମ୍ ଗତ ଦୁଇ ବର୍ଷ ଧରି ଏହି ଗବେଷଣା ଜାରି ରଖିଥିଲେ। କମ୍ପ୍ୟୁଟର ସିମ୍ୟୁଲେସନ୍ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଛି ଅଭିସ୍ କୋଭାକ୍ । ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କୋଭିଡ୍‌ ସମସ୍ତ ଭେରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ରହିବ। ପ୍ରାୟ ଏକ ସପ୍ତାହ ପୂର୍ବେ ଏହାର ଗବେଷଣା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏ ସମ୍ପର୍କରେ ଅର୍ନ୍ତଜାତୀୟ ପତ୍ରିକା ‘ଜର୍ଣ୍ଣାଲ୍ ଅଫ୍ ମଲିକ୍ୟୁଲାର୍ ଲିକ୍ୟୁଡ୍’ରେ ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଛି।

Comments are closed.