ହିନ୍ଦୁ ଧର୍ମାବଲମ୍ବୀ ମାନେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗାକୂଳରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଉପାସନା କରି ବୁଡ଼ ପକେଇଥାଆନ୍ତି । ଏହି ଅବସରରେ ସେଠାରେ ବିଶାଳ ମେଳା ଆୟୋଜନ କରାଯାଇଥାଏ । ଯାହା ମାଘମେଳା ନାମରେ ପ୍ରସିଦ୍ଧ।
ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି । ଏହିଦୃଷ୍ଟିରୁ ଉକ୍ତ ଦିବସ ଟି ଏକ ଧାର୍ମିକ ଗୁରୁତ୍ୱ ବହନ କରେ । ସୂର୍ଯ୍ୟପୂଜା ଉଦ୍ଦେଶ୍ୟରେ ଲାଙ୍ଗୁଳା ନରସିଂହ ଦେବ ୧୨ବର୍ଷ କାଳ ୧୨ଶହ ବଢେ଼ଇ ନିୟୋଜିତ କରି ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଷ୍ଠା ଦିବସଟି ଥିଲା ମାଘଶୁକ୍ଲ ସପ୍ତମୀତିଥି । ମୂଳ ସୂର୍ଯ୍ୟ ମନ୍ଦିର ୧୬୨୧-୧୬୨୭ ମସିହା ମଧ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରୁ ଭାଙ୍ଗି ଯାଇଥିଲା । କେତେକ ଐତିହାସିକ ମାନଙ୍କ ମତରେ ଏହାକୁ କଳାପାହାଡ଼ ଷୋଡଶ ଶତାବ୍ଦୀରେ ଭାଙ୍ଗି ଦେଇଥିଲା । ଆଉ କେହି କୁହନ୍ତି ବ୍ରିଟିଶ ପଣ୍ୟବାହୀ ଜାହଜର ଚୁମ୍ବକୀୟ ପ୍ରଭାବରୁ ଏହା ଭାଙ୍ଗିପଡ଼ି ଥିଲା । ତେବେ ଯାହାବି ହେଉ ଅତୀତ କାଳରୁ ଏଠାରେ ମାଘମେଳା ଚାଲିଛି। ବୁଡ଼ପଡୁଛି ଏବଂ ସେହି ଧାର୍ମିକ ବିଶ୍ୱାସରେ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।
ମହାଭାରତରେ ବର୍ଣ୍ଣିତ ଅଛି ଯେ ଏଠାରେ ମାଘ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ସକାଳୁ ସୂର୍ଯ୍ୟଦର୍ଶନ ପୂର୍ବକ ସ୍ନାନ,ଦାନ ଓ ଧର୍ମ ଯିଏ କରେ, ତା’ଠୁ ବଳି ପୁଣ୍ୟାତ୍ମା ସଂସାରେ କେହି ନାହିଁ । ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ ତାହା ସମ ପୁଣ୍ୟାତ୍ମା କେହି ନାହିଁ ।
ଏ ସଂସାରେ କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି କୋଟି । କୋଟି ଗୋରୁଦାନ କୋଟି ଅଶ୍ୱଗଜ କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ । କୋଟି ପର୍ବତସମ ଦାନଦେଲେ ହୀରା ତଥାପି ସମ ନୋହିବେ ଅର୍କତୀର୍ଥ ପରା !
କୋଣାର୍କର ସୂର୍ଯ୍ୟମନ୍ଦିର ହେଉଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହାକୁ ଅର୍କକ୍ଷେତ୍ର ବୋଲି କୁହାଯାଏ । ଏହା ସୂର୍ଯ୍ୟଙ୍କର ପୂଜାସ୍ଥଳୀ । “ଅର୍କ’ ନାମରେ ଗୋଟିଏ ଦୈତ୍ୟ ଥିଲା । ସେହି ଅର୍କ ଦୈତ୍ୟକୁ ସୂର୍ଯ୍ୟ ଏହିସ୍ଥାନରେ ବଧ କରିଥିଲେ । ଏହି ଦୃଷ୍ଟିରୁ ଏହାକୁ ଅର୍କକ୍ଷେତ୍ର ବୋଲି ମଧ୍ୟ ଲୋକେ କୁହନ୍ତି । ଏହି କ୍ଷେତ୍ରଟି ଏକ ପବିତ୍ରକ୍ଷେତ୍ର । କ୍ଷେତ୍ରର ଉତ୍ତରରେ ମହୋଦଧି ବା ସମୁଦ୍ର । ଦକ୍ଷିଣରେ ଓଡ଼ିଶା ବିଖ୍ୟାତ ଚନ୍ଦ୍ରଭାଗା ନଦୀ । ଏମାନଙ୍କର ମଧ୍ୟବର୍ତ୍ତୀ ସ୍ଥାନହିଁ କୋଣାର୍କ । ଏହା ଜମ୍ବୁଦ୍ୱୀପର ଅଗ୍ନିକୋଣରେ ଅବସ୍ଥିତ । ଏଠାରେ ଗଙ୍ଗା କୋଟିତୀର୍ଥ ଧରି ପ୍ରବାହିତ ହୁଅନ୍ତି ।। ଏଠାରେ ସ୍ନାନକରି ଯିଏ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି, ସେମାନଙ୍କର କୋଟି ପାପ ନାଶହୁଏ ଓ ମନସ୍କାମନା ପୂର୍ଣ୍ଣ ହୁଏ । ପୌରାଣିକ ମତେ କୋଣାର୍କ ସୂର୍ଯ୍ୟ ଉପାସନାର ଏକ ଶ୍ରେଷ୍ଠସ୍ଥାନ । ଓଡ଼ିଆମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ନେଇ ବୋଧହୁଏ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ ଏଠାରେ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଏ।
ଏକଦା ଚନ୍ଦ୍ରଙ୍କ ସହିତ ସମକକ୍ଷ ହୋଇପାରି ନଥିବାରୁ ଜଳପତିଙ୍କର ମନକଷ୍ଟ ଥିଲା । ସେ ଏହି ସ୍ଥାନରେ ଥିବା ଏକ କଳ୍ପବଟ ମୂଳେ ନଅଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନଦେଖି ତପସ୍ୟା କଲେ । ଏକଦା ଅର୍କଦୈତ୍ୟ ବୁଲୁବୁଲୁ ସେ ସ୍ଥାନରେ ପହଞ୍ଚିଲା ଏବଂ ଜଳପତିଙ୍କୁ ଖାଇବାକୁ ଉଦ୍ୟତ ହେଲା । ସୂର୍ଯ୍ୟ ଏହାକୁ ଦେଖି ତାକୁ ବାରଣ କଲେ । କିନ୍ତୁ ସେ ଶୁଣିଲା ନାହିଁ । ପ୍ରଥମେ ଏ ଜାଗାଟିର ଦାବୀଦାର ନେଇ ଯୁଦ୍ଧ ଆରମ୍ଭ ହେଲା । ତା’ପରେ ଅର୍କଦୈତ୍ୟର ଜଳପତିଙ୍କୁ ନେଇ ଖାଦ୍ୟ । ଏନେଇ ଘମାଘୋଟ ଯୁଦ୍ଧ ହେଲା । ଦୈତ୍ୟ ସହଜେ ମଲା ନାହିଁ । ଶେଷରେ ସେହି ଚନ୍ଦ୍ରଭାଗାର କଳ୍ପବଟ ସ୍ଥାନରେ ସୂର୍ଯ୍ୟଦେବତା ଅର୍କଦୈତ୍ୟର ଛାତିରେ ମାଡ଼ିବସି ପ୍ରାଣ ନେଲେ । ଏ ସ୍ଥାନଟି ଅଗ୍ନିକୋଣ ରେ ଅବସ୍ଥିତ । ଏଥିପାଇଁ ଅଗ୍ନିକୋଣର ସୂର୍ଯ୍ୟ ଦେବତା ଅର୍କଦୈତ୍ୟକୁ ମାରିଥିବାରୁ ଏହାର ନାମ କୋଣାର୍କରେ ନାମିତ ହୋଇଅଛି ।
ମହାଭାରତର ଶାନ୍ତି ପର୍ବରେ ଲେଖାଅଛି :
ପୃଥ୍ୱୀ ଅଗ୍ନିକୋଣେ ଯହୁଁ ଦୈତ୍ୟ ହେଲା ହତ ତେଣୁ ସେ କୋଣାର୍କ ନାମେ ହୋଇଛି ବିଖ୍ୟାତ ।
ଥିଲା ସେଦିନ ମାଘ ଶୁକ୍ଲପକ୍ଷ ସପ୍ତମୀ ଗୁରୁବାର । ସେହି ମହାଭାରତର ତଥ୍ୟକୁ ଆଧାର କରି ଭିନ୍ନ କାହାଣୀ ଅଛି । ଏ ସ୍ଥାନକୁ କୀର୍ତ୍ତି ଆଉ ବାସ ବୋଲି ଦୁଇଭାଇ ଭୋଗ ଦଖଲ କରୁଥିଲେ । ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ଲୋକଙ୍କୁ ସେମାନେ ହଇରାଣ କରୁଥିଲେ । ଋଷିମାନେ ଏକଥା ଶିବ ଓ ପାର୍ବତୀଙ୍କୁ ଜଣାଇବାରୁ, ପାର୍ବତୀ ଗଉଡୁଣୀ ବେଶରେ ଆସି ସେମାନଙ୍କୁ ନିପାତ କଲେ । ସେତେବେଳେ ସେ ଦୁହେଁ ସେ ଜାଗାର ନାମ “କୀର୍ତ୍ତି ଓ ବାସ’ ବୋଲି ରଖିବା ନିମନ୍ତେ ପାର୍ବତୀଙ୍କୁ ଅନୁରୋଧ କରିଥିଲେ ।(ମହାଭାରତ ବନପର୍ବ) ।
ଲୋମ ନାମକ ଜଣେ ଋଷି ଯୁଧିଷ୍ଠିରଙ୍କୁ ଚନ୍ଦ୍ରଭାଗାର ମାହାତ୍ମ୍ୟ ସମ୍ପର୍କରେ କିଛି କହିଛନ୍ତି ଯେ, କଣୟ ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ସେ ପ୍ରଜାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରି ନପାରି ଦୁଃଖରେ ପୁତ୍ର ହସ୍ତରେ ରାଜ୍ୟଭାର ନ୍ୟସ୍ତକରି ଏଇଠି ସୂର୍ଯ୍ୟଦେବ ଙ୍କୁ ପଞ୍ଚଦଶ ବର୍ଷ ତପସ୍ୟାକଲେ । ସେଠାରେ ଦୈତ୍ୟ ଅର୍କାସୁର ନାମକ ଜଣେ ଦୈତ୍ୟ ତାଙ୍କୁ ହଇରାଣ କଲା । ଏଣୁ ରାଜା ସୂର୍ଯ୍ୟଙ୍କ ଶରଣ ପଶିଲେ । ସୂର୍ଯ୍ୟ ତାକୁ ମହୋଦଧିରେ ବୁଡ଼ାଇ ମାରିଲେ ।
ଏଣୁ “କଣୟ’ ଏହି “ଅର୍କାସୁର’ ନାମକୁ ଧ୍ୟାନ ଦେଇ ଏହାର ନାମ କୋଣାର୍କ ରଖାଯାଇଅଛି ।
ଚଳିଗଲେ ବାରିଧି ଅଗ୍ନିକୋଣ ଆଡେ଼ ଅର୍କଦୈତ୍ୟକୁ ଚାପିଲେ ମହୋଦଧି ଜଳେ ।
ଏହି ସ୍ଥାନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ୧୨ବର୍ଷ ତପସ୍ୟା କରିଥିଲେ । ଶେଷରେ ଏହି ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ତାଙ୍କ ତପସ୍ୟାର ୨୧ଦିନର କଠିନ ସୂର୍ଯ୍ୟ ଉପାସନା ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୁଷ୍ଠ ରୋଗରୁ ମୁକ୍ତ ହେଲେ ।
ପୁନଶ୍ଚ ପଞ୍ଚୁପାଣ୍ଡବମାନେ ତାଙ୍କ ବନବାସ ବେଳେ ଓଡ଼ିଶାରେ ଅବସ୍ଥାନ କାଳରେ ଏହି ସ୍ଥାନରେ କିଛିଦିନ ଅବସ୍ଥାନ କରି ଚନ୍ଦ୍ରଭାଗାରେ ଏହି ମାଘ ସପ୍ତମୀ ଦିନ ବୁଡ଼ ପକାଇ ପାପ ମୁକ୍ତି କାମନା କରିବା ସହିତ ଜୀବନ ଯାତ୍ରାରେ ଜୟ ମନାସି ଥିଲେ । ଏକଥା ମଧ୍ୟ ସାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି ।
Comments are closed.