ପୁଣି ବିବାଦରେ ଜୟନାରାୟଣ ମିଶ୍ର, ତହସିଲଦାରଙ୍କୁ ହତ୍ଯା ଧମକ ନେଇ ଥାନାରେ ଏତଲା

ସମ୍ବଲପୁର: ପୁଣି ବିବାଦରେ ବିଧାୟକ ଜୟନାରାୟଣ ମିଶ୍ର। ଏଥର ସମ୍ବଲପୁର ସଦର ତହସିଲଦାରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ ଥାନାରେ ଏତଲା ହୋଇଛି।

ଗତ ଶନିବାର ଦିନ ସହରର ଦୁର୍ଗାପାଲି କୁସୁମପଡାରୁ ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଲକ୍ଷ୍ମଣ ଅମାତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇଥିଲେ। ଏହି ସମୟରେ ଜୟନାରାୟଣ ତାଙ୍କ ଅନ୍ୟ ୧୦ ଜଣ ସମର୍ଥକଙ୍କ ସହ ସେଠାକୁ ପହଞ୍ଚି ତହସିଲଦାର ଶ୍ରୀ ଅମାତଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କ ଠାରୁ ଲାଠି ଛଡାଇ ଶ୍ରୀ ଅମାତଙ୍କୁ ଆକ୍ରମଣ କରିଥିବା ନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ସେଠାରୁ ନ ଫେରିଲେ ଜୀବନରୁ ମାରି କୁକୁରଙ୍କୁ ଶବ ଖାଇବାକୁ ଦେବି ବୋଲି ଜୟନାରାୟଣ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ଯ ଜୟନାରାୟଣ ଏହା ପୂର୍ବରୁ ବି ବିଜେପୁର ଉପନିର୍ବାଚନ ବେଳେ ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇ ଦୀର୍ଘ ଦିନ ଧରି ଜେଲରେ ରହିଥିଲେ। ଏବେ ନିର୍ବାଚନ ବେଳେ ତାଙ୍କର ଏଭଳି ଆଚରଣ ଦଳକୁ ଚିନ୍ତାରେ ପକାଇ ଦେଇଛି।

Comments are closed.