ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ଦାବିକୁ ପୁଣି କେନ୍ଦ୍ରର ଅଣଦେଖା

ନୂଆଦିଲ୍ଲୀ : ଓଡ଼ିଶାର ଦାବିକୁ ପୁଣି କେନ୍ଦ୍ରର ଅଣଦେଖା । ବିବାଦୀୟ ପୋଲାଭରମ ବହୁମୁଖୀ ପ୍ରକଳ୍ପରେ ପରିବେଶ ଆଇନ ଉଲ୍ଲଙ୍ଘନ ନେଇ ୮ ଫେବୃଆରୀ ୨୦୧୧ରେ ଜାରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟବନ୍ଦ ଆଦେଶ ଉପରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ପୁଣି ଥରେ ସ୍ଥଗିତାଦେଶ ଜାରି କରିଛନ୍ତି । ପୂର୍ବରୁ ମାତ୍ର ବର୍ଷକ ପାଇଁ ସ୍ଥଗିତାଦେଶ ଜାରି କରାଯାଉଥିଲା । କିନ୍ତୁ ଚଳିତଥର ଅବଧି ବୃଦ୍ଧି କରାଯାଇ ଦୁଇବର୍ଷ ପାଇଁ ସ୍ଥଗିତାଦେଶ ଜାରି ହୋଇଛି । ଏହି ସ୍ଥଗିତାଦେଶ ଆସନ୍ତା ୨ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆନ୍ଧ୍ର ପ୍ରଦେଶ ସରକାର ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଅନୁରୋଧ କ୍ରମେ ସ୍ଥଗିତାଦେଶ ସମୟସୀମା ବୃଦ୍ଧି କରାଯାଇଛି ବୋଲି କାର୍ଯ୍ୟାଳୟ ବିଜ୍ଞପ୍ତିରେ ଦର୍ଶାଯାଇଛି। ଓଡ଼ିଶାର ନ୍ୟାଯ୍ୟ ଦାବିକୁ ଏଡ଼ାଇ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ତରଫରୁ ଜାରି ବିଜ୍ଞପ୍ତି ଜାରି କରାଯାଇଛି । ପରିବେଶ ଆଇନ ଉଲ୍ଲଙ୍ଗନ ବିଷୟରେ ଜଣାପଡ଼ିବା ପରେ ତତ୍କାଳୀନ ୟୁପିଏ ସରକାର ୨୦୧୧ରେ ପୋଲାଭରମ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଉପରେ କାର୍ଯ୍ୟବନ୍ଦ ଆଦେଶ ଜାରି କରିଥିଲେ। ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିବା ପରେ କେନ୍ଦ୍ରର ଏନଡିଏ ସରକାର ୨୩ ଜୁନ ୨୦୧୫ରେ କାର୍ଯ୍ୟବନ୍ଦ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ।

ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ମାଲକାନଗିରି ଜିଲା କ୍ଷତିଗ୍ରସ୍ତ ହେବ ବୋଲି ରାଜ୍ୟ ସରକାର ଆଶଙ୍କା କରୁଛନ୍ତି। ପ୍ରକଳ୍ପ ନିର୍ମାଣ ବିରୋଧରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ମାମଲାଟି ଏବେ ସୁପ୍ରିମକୋର୍ଟଙ୍କ ବିଚାରଧୀନ ରହିଛି। ଗତ ଫ୍ରେବୃଆରୀ ୨ରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ଓଡ଼ିଶାର ୧୦୦୨ଟି ପରିବାର ବିସ୍ଥାପିତ ହେବାର ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରେ ୯୧୩ଟି ଆଦିବାସୀ ପରିବାର ଅଛନ୍ତି। ଯଦି ଓଡ଼ିଶା ଓ ଛତିଶଗଡ଼଼ରେ ସୁରକ୍ଷା ନଦୀବନ୍ଧ ନିର୍ମାଣ କରାନଯାଏ ସେଭଳି ସ୍ଥିତିରେ ଉଭୟ ରାଜ୍ୟରେ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦର୍ଶାଇଥିଲା।

Comments are closed.