ତୃତୀୟ ପର୍ଯ୍ୟାୟ ମତଦାନ: ଶାନ୍ତିଶୃଙ୍ଖଳାକୁ ଗଞ୍ଜାମ ପୋଲିସର ଫୋକସ୍

ଛତ୍ରପୁର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ସରିବା ପରେ ଏବେ ଗଞ୍ଜାମ ପୋଲିସ ଜିଲ୍ଲାର ଫୋକସରେ ରହିଛି ରବିବାର ଦିନ ହେଉଥିବା ତୃତୀୟ ପର୍ଯ୍ୟାୟ ମତଦାନ। ରାଜ୍ୟର କେତେକ ସ୍ଥାନ, ଏପରିକି ଗଞ୍ଜାମ ରାଜସ୍ବ ଜିଲ୍ଲା ତଥା ବ୍ରହ୍ମପୁର ପୋଲିସ ଜିଲ୍ଲାର ଦିଗପହଣ୍ଡି, ଚିକିଟି ଅଞ୍ଚଳରେ କାଁ ଭାଁ ଗଣ୍ଡଗୋଳ ଘଟିଥିଲା। କିନ୍ତୁ ଗଞ୍ଜାମ ପୋଲିସ ଜିଲ୍ଲାରେ ସ୍ଥିତି ବେଶ୍ ସନ୍ତୋଷଜନକ ରହି ଆସିଛି। ଆଉ ତାହାର ଶ୍ରେୟ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏବଂ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ। ଦୁଇ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ନେତୃତ୍ବରେ ସମସ୍ତ ଏଏସପି, ଛତ୍ରପୁର- ପୁରୁଷୋତ୍ତମପୁର- ଆସିକା- ଭଞ୍ଜନଗର ଏସଡିପିଓଙ୍କ ସମେତ ସବୁ ଥାନାଧିକାରୀ ସଜାଗ ରହିଛନ୍ତି। ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟ ଯେପରି ଭୟମୁକ୍ତ ବାତାବରଣରେ ଅବାଧ ଓ ନିରପେକ୍ଷ ଭାବେ ସରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ, ଶେରଗଡ଼ ଓ ପୋଲସରା ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସାନଖେମୁଣ୍ଡି, ବୁଗୁଡ଼ା ଓ ସୋରଡ଼ା ବ୍ଲକରେ କୌଣସି ବଡ଼ ବାଧାବିଘ୍ନ ବିନା ଭୋଟଦାନ ସରିଯାଇଛି। ହେଲେ ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଅଧିକ ଚ୍ୟାଲେଞ୍ଜ ରହିଛି। କାରଣ ୩ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୪ ବ୍ଲକରେ ଭୋଟିଂ ସୂଚାରୁ ରୂପେ କରିବାକୁ ହେବ। ତେବେ ଏହି ଆହ୍ବାନ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ପୋଲିସ ବାହିନୀ। ଡିଜିପିଙ୍କ ନିର୍ଦ୍ଦେଶ ପ୍ରକାରେ କୌଣସି ବିଶୃଙ୍ଖଳାକୁ ପ୍ରଶ୍ରୟ ନଦେବାକୁ, ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଶତପ୍ରତିଶତ ତତ୍ପର ରହିଛି ଗଞ୍ଜାମ ଏସପିଙ୍କ ଟିମ୍। ଉଲ୍ଲେଖନୀୟ ଭାବେ ବ୍ୟାପକ ନିର୍ବାଚନ ମୁକାବିଲା ଓ ରାଜନୈତିକ ତାତି ସତ୍ତ୍ବେ ଗଞ୍ଜାମ ପୋଲିସ ଜିଲ୍ଲାରେ ଏଯାବତ କୌଣସି ଅଘଟଣକୁ ଏଡ଼ାଇବାରେ ସକ୍ଷମ ରହିଛି ପୋଲିସ। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ସେହି ଧାରା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ପୋଲିସ।

ରବିବାର ଭୋଟଦାନ ହେଉଥିବା ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ ତଥା ୩ଟି ଜିଲ୍ଲା ପରିଷଦ ଆସନ ସକାଶେ ୨୬୧ଟି ବୁଥ୍ କରାଯାଇଛି। ସେଥିରୁ ୧୭ଟି ଅତି ସ୍ପର୍ଶକାତର ଓ ୨୨ଟି ସ୍ପର୍ଶକାତର ବୁଥ୍ ରହିଛି। ବେଲଗୁଣ୍ଠା ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଆସନ ନିମନ୍ତେ ୨୮୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ସେଥି ମଧ୍ୟରୁ ୨୨ଟି ଅତି ସମ୍ବେଦନଶୀଳ ଓ ୨୧ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଅଛି। ଛତ୍ରପୁର ବ୍ଲକର ୧୮ ପଞ୍ଚାୟତ ଓ ୩ ଜିଲ୍ଲା ପରିଷଦ ଆସନ ପାଇଁ ୨୮୨ ବୁଥ୍ କରାଯାଇଛି। ସେଥିରୁ ୬ଟି ଅତି ସମ୍ବେଦନଶୀଳ ଓ ୧୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ରହିଛି ୧୫ ପଞ୍ଚାୟତ ଓ ୨ ଜିଲ୍ଲା ପରିଷଦ ଆସନ। ସେଥିନିମନ୍ତେ ୨୨୩ ଭୋଟଗ୍ରହଣ କେନ୍ଦ୍ର ଥିବା ବେଳେ ୮ଟି ଅତି ସ୍ପର୍ଶକାତର ଏବଂ ସର୍ବାଧିକ ୨୩ଟି ସ୍ପର୍ଶକାତର କେନ୍ଦ୍ର ଅଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଖୋଦ୍ ଗଞ୍ଜାମ ଏସପି ନିଜେ ପୋଲିସ ପ୍ରସ୍ତୁତି ତଦାରଖ କରିଛନ୍ତି। ଭୋଟ ପୂର୍ବ ଦିନ ଏସପି ଫ୍ଲାଗମାର୍ଚ୍ଚରେ ନିଜେ ସାମିଲ ହୋଇ ସମ୍ବେଦନଶୀଳ ତଥା ଅପରାଧପ୍ରବଣ ଅଞ୍ଚଳରେ ପଇଁତରା ମାରିଛନ୍ତି। ଲୋକଙ୍କ ମନରେ ବିଶ୍ୱାସ ଜନ୍ମ କରିବା ସହ ପୋଲିସ ବାହିନୀକୁ ଜାଗ୍ରତ କରାଇଛନ୍ତି ସେ। ଏସପି ନିଜେ ଗାଙ୍ଗପଲ୍ଲୀ, ପାଇଲିପଡ଼ା ଇଲାକାରେ ବୁଲିବା ସାଙ୍ଗକୁ ସ୍ପର୍ଶକାତର ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଅଧିକ କଡ଼ାକଡ଼ି କରିଛନ୍ତି। ମୋଟାମୋଟି ଭାବେ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ସାରିବାକୁ ପୋଲିସ ବାହିନୀ ମଧ୍ୟ ସମାନ ତତ୍ପର ରହିଛି।

Comments are closed.