ଛତ୍ରପୁର: ଆଜି ଠାରୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। କାରଣ ପ୍ରତି ଦିନ ପ୍ରତ୍ୟେକ ବ୍ଲକ୍ ଅନ୍ତର୍ଗତ କିଛି କିଛି ଜିଲ୍ଲା ପରିଷଦ ଜୋନ୍ ତଥା ଏଥି ଅନ୍ତର୍ଗତ ଗ୍ରାମପଞ୍ଚାୟତ ମାନଙ୍କର ୱାର୍ଡ ସଭ୍ୟରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତି ଉଦ୍ଦିଷ୍ଟ ମତଦାନର ଗଣନା ହେବ। ଏଥିସହ ଭୋଟଦାନ ଶେଷ ହେବା ଠାରୁ ଜାରି ରହିଥିବା ଅଙ୍କକଷା ପର୍ଯ୍ୟାୟକ୍ରମେ ଫଳାଫଳ ଆଣିଦେବ। ଏ ନେଇ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଆଶା ଓ ଆଶଙ୍କାର ଲହଡ଼ି କୂଳକୁ ପିଟିବାରେ ଲାଗିଛି।
ଗଞ୍ଜାମ ଜିଲ୍ଲାରେ ୬୯ ଜିଲ୍ଲା ପରିଷଦ ଜୋନ୍ ପାଇଁ ଲଢ଼ୁଥିବା ୨୫୬ ପ୍ରାର୍ଥୀ, ୫୦୩ ପଞ୍ଚାୟତରୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ୧୫୬୩ ସରପଞ୍ଚ ଏବଂ ୧୩୪୮ ସମିତି ସଭ୍ୟଙ୍କ ସମେତ ୭୦୯୯ ୱାର୍ଡର ୧୦ ହଜାର ୫୦୮ ୱାର୍ଡ ସଭ୍ୟସଭ୍ୟାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଯିବ। ତେବେ ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର ୨୩ ଜିଲ୍ଲା ପରିଷଦ ସଭ୍ୟ, ୧୬୭ ପଞ୍ଚାୟତ ଓ ୨୩୬୬ ୱାର୍ଡରେ ଗଣତି ହୋଇ ଭୋଟ ମୁକାବିଲାର ଫଳ ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୭୦୯୯ ବୁଥ୍ ଥିବା ବେଳେ ଗଞ୍ଜାମ ବ୍ଲକ୍ରେ ସର୍ବନିମ୍ନ ୨୨୩ ମତଗ୍ରହଣ କେନ୍ଦ୍ର ଅଛି ଓ ଆସିକା ବ୍ଲକ୍ରେ ସର୍ବାଧିକ ୪୦୨ ଭୋଟଗ୍ରହଣ କେନ୍ଦ୍ର ରହିଛି। ଗଞ୍ଜାମ ଜିଲ୍ଲାରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି।
ଜିଲ୍ଲାରେ ୨୯୯୬ ଓ୍ବାର୍ଡ ସଭ୍ୟା ଅପ୍ରତିଦ୍ବନ୍ଦୀ ନିର୍ବାଚିତ ହୋଇଛନ୍ତି। ସେହିପରି ୩୬ ଜଣ ସରପଞ୍ଚ ଓ ୫୩ ଜଣ ସମିତି ସଭ୍ୟ ସଭ୍ୟା ମଧ୍ୟ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ର ସର୍ବାଧିକ ୨୦୯ଟି ସ୍ଥାନରେ ଏବଂ ଭଞ୍ଜନଗର ବ୍ଲକ୍ର ସର୍ବନିମ୍ନ ୫୪ଟି ସ୍ଥାନରେ ୱାର୍ଡ ସଭ୍ୟ ସଭ୍ୟା ଅପ୍ରତିଦ୍ଵନ୍ଦ୍ବୀ ରହିଛନ୍ତି। ସରପଞ୍ଚ ଭାବେ ଭଞ୍ଜନଗର- ଧରାକୋଟ- ଦିଗପହଣ୍ଡି- ଜଗନ୍ନାଥପ୍ରସାଦ- ପୁରୁଷୋତ୍ତମପୁର- ସାନଖେମୁଣ୍ଡି ବ୍ଲକ୍ରେ କୌଣସି ସ୍ଥାନରେ ସରପଞ୍ଚ ଅପ୍ରତିଦ୍ୱନ୍ଦ୍ବୀ ନଥିବା ବେଳେ ସୋରଡ଼ାରେ ସର୍ବାଧିକ ୭ ଜଣ, ଖଲ୍ଲିକୋଟ, ଆସିକା, ବୁଗୁଡ଼ା ବ୍ଲକ୍ରେ ଜଣେ ଲେଖାଏଁ ସରପଞ୍ଚ ନିର୍ଦ୍ବନ୍ଦ୍ବ ରହିଛନ୍ତି। ସେହିପରି ହିଞ୍ଜିଳିକାଟୁ ଓ କବିସୂର୍ଯ୍ୟନଗର ବ୍ଲକ୍ରେ ସର୍ବାଧିକ ୮ ଜଣ ଲେଖାଏଁ, ଆସିକା- ଦିଗପହଣ୍ଡି- ଜଗନ୍ନାଥପ୍ରସାଦ- ଖଲ୍ଲିକୋଟ- କୁକୁଡ଼ାଖଣ୍ଡି- ପୋଲସରା ବ୍ଲକ୍ରେ ଜଣେ ଲେଖାଏଁ ସମିତି ସଭ୍ୟ ଅପ୍ରତିଦ୍ଵନ୍ଦ୍ବୀ ନିର୍ବାଚିତ ହୋଇଛନ୍ତି। ତେବେ ଭଞ୍ଜନଗର- ବୁଗୁଡ଼ା- ଧରାକୋଟ- ପାତ୍ରପୁର- ସାନଖେମୁଣ୍ଡି ବ୍ଲକ୍ରେ କେହି ଜଣେ ହେଲେ ସମିତି ସଭ୍ୟ ନିର୍ଦ୍ବନ୍ଦ୍ବ ବଛା ହୋଇନାହାନ୍ତି। ତେବେ ଜିଲ୍ଲା ପରିଷଦ ଆସନରେ କୌଣସି ସ୍ଥାନରେ ବିନା ମୁକାବିଲାରେ ବିଜୟ ସମ୍ଭବପର ହୋଇ ନଥିବାରୁ ତଥା ସେହି ପଦ ହିଁ ଦଳୀୟ ଭିତ୍ତିରେ ଲଢ଼ାଯାଉଥିବାରୁ ତାହା ଉପରେ ସବୁଠାରୁ ଅଧିକ ନଜର ରହିଛି। ବ୍ଲକ୍ରେ କିଏ ବିଜୟୀ ହେବ ତାହା ଉପରେ ଦ୍ଵିତୀୟ ସର୍ବାଧିକ ଗୁରୁତ୍ବ ଦିଆଯାଉଛି।
ଗଞ୍ଜାମ ଜିଲ୍ଲା ପରିଷଦ ଗଠନରେ ଇତିହାସ ପୁନରାବୃତ୍ତି ହେବା କହିବା ବାହୁଲ୍ୟ ମାତ୍ର। ପ୍ରାକ୍ ଆକଳନରୁ ଅତ୍ୟନ୍ତ ସ୍ପଷ୍ଟ ଯେ- ବିଜେଡି ଏକାକୀ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବ। ଗଞ୍ଜାମ ଜିଲ୍ଲା ପରିଷଦର ୬୯ ଜୋନ୍ ମଧ୍ୟରୁ ଗତ ଥର ପାଇଥିବା ୬୪ ତୁଳନାରେ ଏଥର ଅଧିକ ଆସନ ପାଇବା ଲକ୍ଷ୍ୟରେ ରହିଛି ଶାସକ ଦଳ। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ନିଜ ନିଜର ଆସନ ଯଥାକ୍ରମେ ଚାରି ଓ ମାତ୍ର ଗୋଟିଏକୁ ଦୁଇ ଗୁଣା ତଥା ଦୁଇ ଅଙ୍କ ବିଶିଷ୍ଟ କରିବା ଆଶା ରଖିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ଫଳ ପ୍ରାୟତଃ ଏକପାଖିଆ ହୋଇଥିଲା। ତେବେ କେବଳ ଗତ ଥର ନୁହେଁ ପୂର୍ବ ଦୁଇ ଥର ଅର୍ଥାତ୍ ୨୦୦୭ରେ ୪୫ ଓ ୨୦୧୨ରେ ୬୦ଟି ଆସନ ଦଖଲ କରିଥିବା ବିଜେଡି ଏଥର ସବୁଠାରୁ ଅଧିକ ଜିଲ୍ଲା ପରିଷଦ ଆସନ ହାସଲ କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଚଳିତ ନିର୍ବାଚନରେ ବିରୋଧୀ ଦଳଙ୍କ ପାଇଁ ସ୍ଥିତିରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇନାହଁ। ତେବେ ପ୍ରାୟତଃ ବିଜେଡି – ବିଜେପି – କଂଗ୍ରେସ ତ୍ରିମୁଖୀ ମୁକାବିଲାରେ ବିରୋଧୀ ଦଳକୁ ଚିତ୍ରପଟାଙ୍ଗ କରିବାକୁ ସମସ୍ତ ସାମର୍ଥ୍ୟ ରଖିଛି ବିଜେଡି।
ଉଲ୍ଲେଖଯୋଗ୍ୟ ଯେ- ବିଜେଡି ଓ ବିଜେପି ସମସ୍ତ ୬୯ଟି ଆସନରେ ଏବଂ କଂଗ୍ରେସ ୬୭ଟି ଜିଲ୍ଲା ପରିଷଦ ଆସନରେ ମୁକାବିଲା କରୁଛି। ଅନ୍ୟ ଦଳ ମଧ୍ୟ କିଛି କିଛି ସ୍ଥାନରେ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ ମଇଦାନରେ ଓହ୍ଲାଇଛନ୍ତି। ତେବେ ଖଲ୍ଲିକୋଟ ବ୍ଲକ୍ର ଏକ ଆସନ ଛାଡ଼ି ଦେଲେ ଅନ୍ୟ ସର୍ବତ୍ର ପ୍ରାୟତଃ ସବୁ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନୂଆ ଚେହେରାଙ୍କୁ ଲୋକଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ଯଦିଓ ବିଜେଡିର ସର୍ବାଧିକ ପ୍ରାର୍ଥୀ ରାଜନୀତିର ରଣାଙ୍ଗନରେ ବିଭିନ୍ନ ପଦପଦବିରେ ଅଭିଜ୍ଞ ଓ ଲୋକପ୍ରିୟ ରହି ଆସିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ତିନି ବର୍ଷରେ ସେମିତି ବଡ଼ଧରଣର ରାଜନୈତିକ ହଟଚମଟ ହୋଇ ନଥିବାରୁ ଜିଲ୍ଲା ରାଜନୀତିରେ ବଡ଼ଧରଣର ଅଦଳବଦଳ ହେବାର ଆଶା କରାଯାଉନି। ଅର୍ଥାତ୍ ବିଜେଡି ପୁଣି ଥରେ ଜିଲ୍ଲା ପରିଷଦ ଆସନ ଦଖଲ କରିବା ଶତପ୍ରତିଶତ ନିଶ୍ଚିତ। ଗତ ତିନି ଥର ହେବ ପ୍ରତି ଜିଲ୍ଲା ପରିଷଦ ନିର୍ବାଚନରେ ନିଜ ଆସନ ସଂଖ୍ୟା କ୍ରମାଗତ ବୃଦ୍ଧି କରି ଆସିଥିବା ବିଜେଡି ଏଥର ମଧ୍ୟ ସେହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଆରପଟେ କଂଗ୍ରେସ ଆସନ ହ୍ରାସ ପାଉଥିବାରୁ ଦଳ ଯେ କୌଣସି ଆଖିଦୃଶିଆ ଜିତାପଟ ହାସଲ କରିବ ତାହା କଳ୍ପନା ବାହାରେ। ତେଣେ ବିଜେପି ମୋଟାମୋଟି ଭାବେ ତାହାର ସ୍ଥିତାବସ୍ଥା ବଜାୟ ରଖି ଆସିଥିବାରୁ ସେହି ଦଳ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ ଯେ କରିବ ତାହା ଆଶା କରିବା ନିରର୍ଥକ ବୋଲି କୁହାଯାଇ ପାରେ।
କେବଳ ଏତିକି ନୁହେଁ ଆଗୁଆ ସୂଚିନ୍ତିତ ରଣକୌଶଳ, ଯୋଜନାବଦ୍ଧ ପ୍ରାର୍ଥୀ ଚୟନରୁ ଆରମ୍ଭ କରି ଦମଦାର୍ ପ୍ରଚାର ଜରିଆରେ ବିଜେଡି ପ୍ରତିପକ୍ଷଙ୍କୁ ମାତ୍ ଦେବାର ସମସ୍ତ ପ୍ରସ୍ତୁତି କରିଥିଲା। ବିଦ୍ୟାଳୟ ରୂପାନ୍ତରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କରୋନା କାଳରେ ସମାଜର ବିଭିନ୍ନ ବର୍ଗକୁ ସହାୟତା ଆଦି ସ୍କିମ୍ ଜରିଆରେ ଜନସମର୍ଥନ ହାସଲ କରିବାକୁ ଲକ୍ଷ୍ୟ ରଖି ବିଜେଡି ସରକାରୀ ଯୋଜନାର ସୁଫଳକୁ ହିଁ ପ୍ରଚାରର ମାଧ୍ୟମ କରିଥିଲା। କିନ୍ତୁ ବିରୋଧୀଙ୍କ ପାଇଁ ନଥିଲା କୌଣସି ରାଜନୈତିକ ପ୍ରସଙ୍ଗ। କେବଳ ବିଜେଡି ହେଭିୱେଟ୍ ଯଥା ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ, ପ୍ରଭାରୀଙ୍କ ସମେତ ସିନେ ତାରକା ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ବିଜେଡି କ୍ୟାମ୍ପେନିଂ ଆଗରେ ଫିକା ପଡି ଯାଇଥିଲା ବିରୋଧୀଙ୍କ ପ୍ରଚାର। ସେହିପରି ଯୁବ, ଛାତ୍ର ଓ ମହିଳା ବିଜେଡି ସଙ୍ଗଠନ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ରଣନୀତିରେ ନିଜ ନିଜର ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ ନେତୃତ୍ଵ ଦଳକୁ ବିରୋଧୀଙ୍କ ଠାରୁ ଅନେକ ପାଦ ଆଗରେ ରଖିଥିଲା। ଯେଉଁଠି ଦୁର୍ବଳ ଥିଲା, ସେଠି ନିଜ ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିପାରିଥିଲା ଶାସକ ଦଳ। ବିଜୟ ପାଇଁ ସମସ୍ତ ରଣକୌଶଳକୁ ଉପଯୁକ୍ତ ଢଙ୍ଗରେ ପ୍ରୟୋଗ କରିଥିବା ବିଜେଡି ଏବେ ତାହାର ସୁଫଳ ପାଇବାକୁ ଆଶା ରଖିଛି। ତେବେ ପ୍ରସଙ୍ଗହୀନ ବିରୋଧୀଙ୍କ ତୁଳନାରେ ବିକାଶ ନାରାକୁ ମାଧ୍ୟମ ରଖିଥିବା ବିଜେଡି ଗତଥର ଠାରୁ କେତେ ଅଧିକ ଆସନ ପାଇବ ତାହା ଉପରେ ଏବେ ନଜର।
Comments are closed.