ସୁବର୍ଣ୍ଣପୁର : କରୋନା ମହାମାରିର ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣ ଏବଂ ଛାତ୍ରୀଛାତ୍ର ମାନଙ୍କ ମନରେ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ସୁବର୍ଣପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲର ଦ୍ବାର ଉନ୍ମୁକ୍ତ ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଥିବାବେଳେ,ସମସ୍ତ ମନୋରଞ୍ଜନ କାର୍ଯକ୍ରମ ସହିତ ଖେଳ କୁଦ ଉପରେ ମଧ୍ୟ ଏହାର ବହୁତ ନକାରାତ୍ମକ ପ୍ରଭାବ ପଡିଛି I ଏଥିରେ ସବୁ ଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଶିଶୁ ଏବଂ ଛାତ୍ରୀଛାତ୍ର I ସେମାନଙ୍କ ମନରେ ପୁନର୍ବାର ଆନନ୍ଦ ଉଲ୍ଲାସ ସମେତ ଫୁର୍ତ୍ତି ଏବଂ ଖେଳୁଆଡ଼ ମନୋଭାବ ଜାଗ୍ରତ କରି ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ଉଦ୍ୟମ ଆରମ୍ଭ କରିଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ଜିଲ୍ଲା କ୍ରୀଡା ଅଧିକାରୀ ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉଦ୍ୟମରେ ଏଥିପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ସୁଇମିଂ ପୁଲକୁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ କରାଯାଇଛି | ଯଦିଓ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ବହୁ ପୂର୍ବରୁ ଆଭାସୀ ଜରିଆରେ ଉଦଘାଟିତ ହୋଇ ସାରିଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଏହାର ସମୁଚିତ ଉପଯୋଗ ହୋଇ ପାରୁନଥିଲା । ଏବେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଯିଏ ନିଜେ ଜଣେ ପାରଙ୍ଗମ ସନ୍ତରଣକାରୀ ଏହା ଉପରେ ସ୍ବତନ୍ତ୍ର ନଜର ଦେଇ ଏହା କିଭଳି ଜିଲ୍ଲାର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ଉପଯୋଗୀ ହୋଇ ପାରିବ ତା ଉପରେ ଦୃଷ୍ଟି ଦେଇଛନ୍ତି । ତାଙ୍କ ଆଗ୍ରହ କ୍ରମେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର 40 ଜଣ ଛାତ୍ରୀଛାତ୍ର ସୁଇମିଂ ପୁଲରେ ନାମଲେଖାଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କୁ ନିଜ ଗହଣରେ ପାଇ ଛାତ୍ରଛାତ୍ରୀ ମାନେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ।
ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଜନସାଧାରଣ , ଉଭୟ ପୁରୁଷ ତଥା ମହିଳା ଓ ଛାତ୍ରୀଛାତ୍ର ମାନେ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପ୍ରଶିକ୍ଷଣ ଗ୍ରହଣ କରିବାର ସୁବନ୍ଦୋବସ୍ତ କରାଯାଇଛି । ଉଭୟ ପୁରୁଷ ତଥା ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଚେଞ୍ଜିଙ୍ଗ ରୁମ ସହିତ 24 ଘଣ୍ଟିଆ ସେକ୍ୟୁରିଟୀ ବ୍ୟବସ୍ଥା ଅଛି । ବାଳକ ବାଳିକା ଏବଂ କିଶୋର କିଶୋରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଲାଇଫ ଜାକେଟ ସୁବିଧା ରହିଛି । ଏଥିପାଇଁ ଜିଲ୍ଲାର ଯେ କୌଣସି ଜାଗାରେ ଥିବା ବ୍ୟକ୍ତିବିଶେଷ ଓ ଛାତ୍ର ଛାତ୍ରୀ ମାନେ www.subarnapur.nic.in ମାଧ୍ୟମରେ ସୁଇମିଂ ପୁଲର ସଦସ୍ୟତା ଗ୍ରହଣ କରିପାରିବେ । ସକାଳ 6.30 ଘ ରୁ ସନ୍ଧ୍ୟା 7 ଟା ପର୍ଯନ୍ତ ପ୍ରତିଦିନ ଏହା ଖୋଲା ରହିଛି ଏବଂ ସନ୍ତରଣ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମହିଳା, ପୁରୁଷ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧ ଘଣ୍ଟା ଏବଂ ଘଣ୍ଟିକିଆ ପ୍ରଶିକ୍ଷଣ ପିରିୟଡ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଗତ ଡିସେମ୍ବର ମାସରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ନେଇ ସଫଳତାର ସହିତ ଏଠାରେ ଏକ ସନ୍ତରଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଅତ୍ୟାଧୁନିକ ସୁଇମିଂ ପୁଲ ର ସୁବିଧା ଜନସାଧାରଣ ଏବଂ ଛାତ୍ରୀଛାତ୍ର ନେବା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
Comments are closed.