ଚଳଚଞ୍ଚଳ ବିଏମ୍‌ସି ରାଜନୀତି: ବ୍ରହ୍ମପୁରରେ ୨୫୦ ବୁଥ୍ ହେବ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶେଷ ହେଉ ନହେଉଣୁ ତେଣେ ପୌର ନିର୍ବାଚନ ପାଇଁ ତତ୍ପରତା ବୃଦ୍ଧି ପାଇଲାଣି। ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଢେର ପୂର୍ବରୁ ହିଁ ପଞ୍ଚାୟତ ପରେ ପରେ ସହରାଞ୍ଚଳ ଭୋଟ ଲଢ଼େଇର ତାତିରେ ମାହୋଲ ଉଷ୍ମ ହେବାକୁ ଲାଗିଲାଣି। ରାଜ୍ୟର ତୃତୀୟ ମହାନଗର ନିଗମ ମାନ୍ୟତା ପାଇଥିବା ବ୍ରହ୍ମପୁର ସହର (ବିଏମ୍‌ସି)ରେ ମଧ୍ୟ ଏ ନେଇ ରାଜନୈତିକ ଦଳ ସାଙ୍ଗକୁ ପ୍ରଶାସନିକ ସ୍ତରରେ ଚଳଚଞ୍ଚଳତା ପରିଲକ୍ଷିତ ହେଉଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପୂର୍ବରୁ ଫେବ୍ରୁଆରୀ ୨୪ ତାରିଖରେ ବ୍ରହ୍ମପୁର ମହାନଗରର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲା। ଫେବ୍ରୁଆରୀ ୨୮ରେ ବିଏମ୍‌ସି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ ଅଧିକାରୀ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍। ଗତ ଥର ୪୦ଟି ୱାର୍ଡ ଥିବା ବେଳେ ଏଥର ତାହା ୪୨କୁ ବୃଦ୍ଧି ପାଇଛି। ବ୍ରହ୍ମପୁରର ୨୫୦ଟି ଭୋଟଗ୍ରହଣ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ୨୫୫୩୨୬ ଭୋଟର। ଉଭୟ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଂହଭାଗ ରହିଥିବା ବେଳେ କେତୋଟି ୱାର୍ଡ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ସୋମବାର ଜାରି ବିଜ୍ଞପ୍ତି ପ୍ରକାରେ ବିଏମ୍‌ସି କାର୍ଯ୍ୟାଳୟ ବଦଳରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଁ ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ରବିବାର ସମେତ ସମସ୍ତ ଦିନରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ୨୪ ତାରିଖ ଭୋଟ ଗ୍ରହଣ ଓ ୨୬ ତାରିଖରେ ଭୋଟ ଗଣନା କରାଯିବ।ବ୍ରହ୍ମପୁର ସରକାରୀ ପଲିଟେକ୍‌ନିକ୍‌କୁ ଭୋଟ ଗଣତି କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।

ବ୍ରହ୍ମପୁର ମହାନଗର ନିଗମ ମାନ୍ୟତା ପାଇବା ପରେ ଏବେ ତୃତୀୟ ଥର ପାଇଁ ପୌର ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି। ସ୍ବାଭାବିକ ଭାବେ ଏଠାରେ ସବୁ ଦଳରୁ ବେଶ୍ ସଂଖ୍ୟକ ଆଶାୟୀ ରହିଛନ୍ତି। ତେଣୁ କେଉଁ ଦଳ କାହାରିକୁ ଟିକଟ ଦେବ ସେ ନେଇ ଚର୍ଚ୍ଚା ଅଧିକ। ପୁଣି ସିଧାସଳଖ ଭୋଟରଙ୍କ ଦ୍ବାରା ନିର୍ବାଚିତ ହେବାକୁ ଥିବା ମେୟର୍ ପଦବି ସକାଶେ କିଏ ପ୍ରାର୍ଥୀ ହେବ ସେ ନେଇ ମଧ୍ୟ ଉତ୍ସୁକତା ଭରି ରହିଛି। ନିକଟରେ ବିଜେଡି ପ୍ରସ୍ତୁତି ବୈଠକରେ ବିଦ୍ରୋହକୁ ସୁଯୋଗ ନଦେଇ ଦଳକୁ ଆଗକୁ ବଢ଼ାଇ ନେବା ସହ ସବୁ ୱାର୍ଡରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବା ପ୍ରତି ନଜର ରଖିବାକୁ ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ପାର୍ଟି ପର୍ଯ୍ୟବେକ୍ଷକ। ଟିକଟ ପାଇଁ ଅଧିକାଂଶ ଆଶାୟୀ ବ୍ରହ୍ମପୁର ବିଧାୟକଙ୍କ ଘର ଆଗରେ ଲମ୍ବା ଧାଡ଼ି ଲଗାଇ ଅପେକ୍ଷା କରୁଥିବା ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି। ଶତାଧକ ଆଶାୟୀ ଟିକଟ ଲବିରେ ରହିଛନ୍ତି।

ଗତଥର ଅର୍ଦ୍ଧାଧିକ ୱାର୍ଡରେ ବିଜୟୀ ହୋଇଥିବା ବିଜେଡିର ଏଥର ଲକ୍ଷ୍ୟ ପଞ୍ଚାୟତ ନିର୍ବାଚନ ଭଳି ବହୁଳ ବିଜୟ। ନିର୍ବାଚନ ଋତୁରେ ଅନ୍ୟ ଦଳର ନେତା ଆସି ବିଜେଡିରେ ସାମିଲ୍ ହେବା ଫଳରେ ସହରାଞ୍ଚଳରେ ମଧ୍ୟ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି। ତେଣେ ପଞ୍ଚାୟତ ନିର୍ବାଚନରେ ସାଂଘାତିକ ହାର ପରେ ବିରୋଧୀଙ୍କୁ ଜନସାଧାରଣ କେତେ ବିଶ୍ବାସରେ ନେବେ ତାହା ପ୍ରଶ୍ନବାଚୀ। ଗ୍ରାମାଞ୍ଚଳରେ ପରାହତ କଂଗ୍ରେସ ଓ ବିଜେପି ଯେ କେତେ ଦୂର ଶାସକ ଦଳକୁ ଟକ୍କର ଦେବେ ତାହା ପ୍ରଶ୍ନ ସୃଷ୍ଟି କରେ। ସମ୍ଭାବନା ମଧ୍ୟ କ୍ଷୀଣ ଯେ ସେମାନେ ବିଜେଡି ସହ ଯଥାର୍ଥ ମୁକାବିଲା କରିପାରିବେ। ତେବେ ଆଶାୟୀ ଅଧିକ ଥିବାରୁ ସବୁ ଦଳରେ ଉଣାଅଧିକେ ବିଦ୍ରୋହ ଆଶଙ୍କା ମଧ୍ୟ ରହିଛି।

ପୌର ନିର୍ବାଚନ ଘୋଷଣା ହେବା ପରେ ସହରରେ ଥିବା ୮ଟି ମଣ୍ଡଳ ସଭାପତିଙ୍କୁ ନେଇ ଗାନ୍ଧିନଗରସ୍ଥିତ ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଘରେ ବୈଠକ ହୋଇଛି। ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ। ସେପଟେ କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରାର୍ଥୀଙ୍କ ମହଲରେ ଆଗ୍ରହ ଦେଖିବାକୁ ମିଳୁଥିବା ଦର୍ଶାଇ ଦଳ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ସୂଚନା ଦେଇଛନ୍ତି।

ମୋଟାମୋଟି ଭାବେ ବିଜେଡି ରାଜ୍ୟ ସରକାର ବିଶେଷ କରି ରେଶମ ସହର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସହରାଞ୍ଚଳ ବିକାଶମୂଳକ ଯୋଜନା ଓ କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ନିକଟରୁ ଭୋଟଭିକ୍ଷା ପାଇଁ ଯିବ। ହେଲେ କଂଗ୍ରେସ ଓ ବିଜେପି ପ୍ରସଙ୍ଗଶୂନ୍ୟ ଅବସ୍ଥାରେ ରହିଛନ୍ତି। ଜାନିବିଲି ପ୍ରକଳ୍ପ ଜରିଆରେ ଘରକୁ ଘର ନିୟମିତ ବିଶୁଦ୍ଧ ଜଳଯୋଗାଣ ହେଉ ଅଥବା ରାମଲିଙ୍ଗେଶ୍ୱର ପାର୍କ ଭଳି ଦର୍ଶନୀୟ ସ୍ଥାନ ଭେଟିଦେବା, ସହରରେ ସ୍ମାର୍ଟ ରୋଡ୍ ନିର୍ମାଣ ଅଥବା ଛକ ଛକରେ ସୌନ୍ଦର୍ଯ୍ୟକରଣ, ବ୍ରହ୍ମପୁର ଷ୍ଟାଡିୟମ୍‌ର ନବୀକରଣ କିମ୍ବା ଅନ୍ୟ ଖେଳ ପଡ଼ିଆର ପର୍ଯ୍ୟାୟକ୍ରମେ ବିକାଶ କିମ୍ବା ସ୍ପୋର୍ଟସ୍ ଏରେନାରେ ଖେଳ ଓ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଜରିଆରେ ସହରର ଗୋଟିଏ ପରେ ଗୋଟିଏ ପୁରୁଣା ତଥା ବଡ଼ ଉଚ୍ଚବିଦ୍ୟାଳୟର ଭିତ୍ତିଭୂମି ନବକଳେବର ଆଦି ଯେ ଶାସକ ଦଳ ପ୍ରତି ସହରୀ ମତଦାତାଙ୍କ ସମର୍ଥନକୁ ବ୍ୟାପକ କରିବ ଓ ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଏଥର ଅଧିକ ଆସନ ହାସଲ କରିବ ତାହା ଦେଖିବାକୁ ବାକି ରହିଲା।

Comments are closed.