କନ୍ଧମାଳ: ଏକାକୀ ଜିଲ୍ଲା ପରିଷଦ ଗଢ଼ିଲା ବିଜେଡି

ଫୁଲବାଣୀ: ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ତିନିଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା ବିଜେଡି। ସାଂସଦ ମଧ୍ୟ ଏହି ଦଳର ନିର୍ବାଚିତ ହୋଇଥିଲେ। ଏବେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିରୋଧୀଙ୍କୁ ବହୁ ପଛରେ ପକାଇ ଦେଇଛି ଶାସକ ଦଳ। ଦଖଲ କରିଛି ମୋଟ ୧୮ରୁ ୧୩ଟି ଜିଲ୍ଲା ପରିଷଦ ଆସନ। ବିରୋଧୀଙ୍କ ଠାରୁ ୪ଟି ଜିଲ୍ଲା ପରିଷଦ ଆସନ ଛଡ଼ାଇ ଆଣିବା ସହ ଏକାକୀ ନିଜ ବଳରେ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ବିଜେଡି। ଆଗକୁ ପୌର ନିର୍ବାଚନରେ ମଧ୍ୟ ଜିଲ୍ଲାର ୩ଟି ଯାକ ସହରାଞ୍ଚଳକୁ ଦଖଲ କରିବାର ଦମ୍ଭ ଦେଖାଇଛି ଶଙ୍ଖ ଦଳ।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିତିଥିଲା ୯ଟି ଜିଲ୍ଲା ପରିଷଦ ଆସନ। ବିଜେଡି ଓ ବିଜେପି ୪ଟି ଲେଖାଏଁ ଜୋନ୍‌ରେ ବିଜୟୀ ହୋଇଥିଲେ। ଗୋଟିଏ ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ବିଜୟଲାଭ କରିଥିଲେ। ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାତରେ ନଥିଲା। ଏଣୁ ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟଙ୍କ ସମର୍ଥନରେ ଜିଲ୍ଲା ପରିଷଦ ଶାସନ ହାତେଇଥିଲା ବିଜେଡି। ହେଲେ ଏଥର ବିରୋଧୀଙ୍କୁ ଖାଲି ଯେ ପଛରେ ପକାଇ ଦେଇନି, ବରଂ ସେମାନଙ୍କ ଠାରୁ ୪ଟି ଜିଲ୍ଲା ପରିଷଦ ଜୋନ୍ ଛଡ଼ାଇ ଆଣି ନିଜେ ହାସଲ କରିଛି ସ୍ପଷ୍ଟ ବହୁମତ। ଏକାକୀ ନିଜ ସିଟ୍ ବଳରେ ଜିଲ୍ଲା ପରିଷଦ ଗଢ଼ିପାରିଛି। ପଞ୍ଚାୟତ ନିର୍ବାଚନ ଫଳାଫଳରେ ବିରୋଧୀ ହତାଶ। ବିପକ୍ଷ ହାତକୁ ଆସିଛି ମାତ୍ର ୫ଟି ଜିଲ୍ଲା ପରିଷଦ ଜୋନ୍‌। କଂଗ୍ରେସ ଜିତିଛି ୩ଟି, ହରାଇଛି ଗୋଟିଏ ଆସନ। ବିଜେପି ୨ଟି ଜୋନ୍‌ରେ ବିଜୟୀ ହୋଇଛି ତ ଆଉ ଦଳକୁ ଦୁଇଟି ଆସନର କ୍ଷତି ହୋଇଛି। ଉଭୟ ଦଳ ନିଜ ପୂର୍ବ ସ୍ଥିତି ବଜାୟ ରଖିବାରେ ଫେଲ୍ ମାରିଛନ୍ତି। ଏଥର ସ୍ବାଧୀନ ପ୍ରାର୍ଥୀ ମଧ୍ୟ ତାଙ୍କ ଆସନ ହରାଇଛନ୍ତି।

ଗତଥରକୁ ତୁଳନା କଲେ ବିଜେଡି ନିଜର ୯ଟିରୁ ୮ଟି ଆସନରେ ପୁନଃବିଜୟପ୍ରାପ୍ତି କରିଛି। କେବଳ ଗୋଟିଏ ଖଜୁରୀପଦା ବ୍ଲକ୍ ଜୋନ୍ ୪ ହରାଇଛି ଯେଉଁଠି ବିଜେପି ଜିତିଛି। ହେଲେ ଶାସକ ଦଳ ବିଜେପି ୨୦୧୭ରେ ଜିତିଥିବା କେ.ନୂଆଗାଁ ଜୋନ୍ ୧, ଜି.ଉଦୟଗିରି ଜୋନ୍‌ ୫, ଫୁଲବାଣୀ ଜୋନ୍ ୧୪କୁ ଛଡ଼ାଇ ଆଣିଛି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ଦାରିଙ୍ଗବାଡ଼ି ଜୋନ୍‌ ୧୦ ଓ ବାଲିଗୁଡ଼ା ଜୋନ୍‌ ୧୬ରେ ପରାଜିତ କରିଛନ୍ତି ବିଜେଡି ପ୍ରାର୍ଥୀ। ଚକାପାଦ (ଗତଥର ସ୍ବାଧୀନ)ରେ ବିଜୟ ସହ ବିଜେପି ଆସନ ଦୁଇରେ ସୀମିତ ରହିଥିବା ବେଳେ ପୂର୍ବଥର ନିଜେ ଜିତିଥିବା କୋଟଗଡ଼ ଜୋନ୍ ୨, ଦାରିଙ୍ଗବାଡ଼ି ଜୋନ୍‌ ୧୧ ବିଜୟ ସହ ବିଜେପିକୁ ରାଇକିଆ ଜୋନ୍‌ ୧୭ରେ ହରାଇ କଂଗ୍ରେସ ତିନୋଟି ଆସନରେ ସନ୍ତୁଷ୍ଟ ରହିଛି।

କଂଗ୍ରେସର ଗଡ଼ କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗୋଟିଏ ଜୋନ୍ ଜିତିବା ବିଜେଡି ପାଇଁ ଏକ ଉଲ୍ଲେଖନୀୟ ଜିତାପଟ। ଏପରିକି ଜୋନ୍‌ ୧୧ରେ କଂଗ୍ରେସକୁ କଡ଼ା ମୁକାବିଲା ଦେବାରେ ସମର୍ଥ ହୋଇଛନ୍ତି ବିଜେଡି। ସ୍ୱଳ୍ପ ବ୍ୟବଧାନରେ ସେଠାରେ ପରାଜିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ। ଦଳର ଅନ୍ୟତମ ଦୁର୍ଗ କୁହାଯାଉଥିବା କୋଟଗଡ଼ରେ କଂଗ୍ରେସ ଯଦିଓ ନିଜ ଆସନ ବଜାୟ ରଖିବାରେ ସଫଳ ହୋଇଛି କିନ୍ତୁ ବିଜେଡିର କଡ଼ା ଟକ୍କର ହେତୁ ଭୋଟ ବ୍ୟବଧାନ ଗତଥର ତୁଳନାରେ ୫୦୬୮ରୁ ୨୫୧୮କୁ ହ୍ରାସ ପାଇଛି। ବିଜେପିକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଇଛି ବିଜେଡି। ପଦ୍ମ ଦଳ ହାତରୁ ତିନୋଟି ଜିଲ୍ଲା ପରିଷଦ ଜୋନ୍‌ ଏକାଥରକେ ଖସାଇ ଆଣିଛି ବିଜେଡି।

ଫିରିଙ୍ଗିଆ ୧୨ ନମ୍ବର ଜୋନ୍‌ରେ ବିଜେଡିର ନୀଳଗିରି ଦିଗାଲ ୯୭୯୧ ଭୋଟ ବ୍ୟବଧାନରେ ବିଜେପିର ସଞ୍ଜୟ ଦିଗାଲଙ୍କୁ ହରାଇଛନ୍ତି ଯାହାକି ଏହି ଜିଲ୍ଲାର ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ। ସେପଟେ ଚକାପାଦ ୬ ନମ୍ବର ଜୋନ୍‌ରେ ବିଜେଡିର ମମତାରାଣୀ ବେହେରା ବିଜେପିର ରଚନା ନାୟକଙ୍କ ଠାରୁ ମାତ୍ର ୪୯୭ ଭୋଟରେ ପରାଜିତ ହୋଇଛନ୍ତି ଯାହା ଜିଲ୍ଲାରେ ଅନ୍ୟତମ ସର୍ବନିମ୍ନ ବ୍ୟବଧାନରେ ପରାଜୟ। ଏଥିରୁ ବିଜେଡି କେତେ ଶକ୍ତିଶାଳୀ ଓ ବିଜେଡି କେତେ ଦୁର୍ବଳ ଜନସମର୍ଥନ ପାଇଛି ତାହା ସ୍ପଷ୍ଟ।

ଅନେକ ସ୍ଥାନରେ ବିଜେଡିର ଭୋଟ ହାର ଆଖିଦୃଶିଆ ବଢ଼ିଛି। ଗତଥର ୧,୩୨,୩୪୩ ତୁଳନାରେ ଏଥର ବିଜେଡି ପାଇଛି ୧ ଲକ୍ଷ ୭୭ ହଜାର ୪୧୨ ଭୋଟ। ଅର୍ଥାତ୍ ୨୦୧୭ ମସିହା ଠାରୁ ଏଥର ପାଇଛି ୪୫୦୬୯ ଖଣ୍ଡ ବା ୩୪ ଶତକଡ଼ା ଅଧିକ ଭୋଟ। କଂଗ୍ରେସ ଗତଥର ୯୨,୦୭୪ ଭୋଟ ପାଇଥିବା ବେଳେ ଏଥର ପାଇଛି ୮୯ ହଜାର ୯୫୯ ଭୋଟ। ବିଜେପିର ଭୋଟ ୧,୧୨,୦୧୯ ଭୋଟରୁ ୧୩ ପ୍ରତିଶତ ହ୍ରାସ ଘଟି ୯୭ ହଜାର ୩୩୧କୁ ଖସି ଆସିଛି। ଗତ ଥର ତୁଳନାରେ ବିଜେପି ଓ କଂଗ୍ରେସର ନିମ୍ନମାନର ପ୍ରଦର୍ଶନ ପ୍ରମାଣିତ କରୁଛି ଯେ ଜିଲ୍ଲାରେ ଦୁଇ ଦଳର ସଙ୍ଗଠନ କ୍ରମେ ଦୁର୍ବଳ ହେବାରେ ଲାଗିଛି, ଲୋକେ ସେହି ଦଳ ଉପରେ ଆଉ ଭରସା କରିପାରୁ ନାହାନ୍ତି। ସେହି କାରଣରୁ ଲଗାତାର ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ଆଗାମୀ ପୌର ନିର୍ବାଚନ ବେଳେ ଏଥିରେ କୌଣସି ବଡ଼ଧରଣର ପରିବର୍ତ୍ତନ ଘଟିବ ବୋଲି ଆଶା କରିବା ବୃଥା। ପଞ୍ଚାୟତ ପରେ ପୌର ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ବିଜୟ ଟ୍ରାକ୍ ବଜାୟ ରଖିବା ସମ୍ଭାବନା ବେଶ୍ ଉଜ୍ଜଳ।

Comments are closed.