ଶିଶୁ ସୁରକ୍ଷା: ଗଜପତିକୁ ମିଳିଲା ଜାତୀୟ ପୁରସ୍କାର

ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ, ଦୁର୍ଗମ ଅଞ୍ଚଳରେ ଭରପୁର, ଅନ୍ୟ ଜିଲ୍ଲା ଅପେକ୍ଷା ବିକାଶର ଧାରାରେ କିଛିଟା ପଛୁଆ, ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଲାଗିଛି ଗଜପତି ଜିଲ୍ଲା। ସ୍ବତନ୍ତ୍ର ଜିଲ୍ଲା ଗଠନ ପରେ ଧିରେ ଧିରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବା ଏହି ଜିଲ୍ଲା କିନ୍ତୁ ଶିଶୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ତାଲିକାଭୁକ୍ତ ହୋଇଛି ଏହି ଜିଲ୍ଲା। ଆଉ ସେଥିପାଇଁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାକୁ ପୁରସ୍କୃତ ମଧ୍ୟ କରାଯାଇଛି। ଦେଶର ରାଜଧାନୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ଵାରା ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲାରୁ ଅଲଗା ହେବା ପରେ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ଦୃଷ୍ଟିରୁ ବିଶେଷ ଉତ୍ସାହଜନକ ପଦକ୍ଷେପ ନିଆଯାଇ ପାରି ନଥିଲା। ଫଳରେ ଶିଶୁ ଶ୍ରମିକ, ରୋଜଗାର ଓ ବିବାହ ପ୍ରଲୋଭନ ଦେଖାଇ ନାବାଳକ ଓ ନାବାଳିକାଙ୍କୁ ଅନ୍ୟ ରାଜ୍ୟକୁ ବେଆଇନ ଚାଲାଣ, ଶିଶୁ ନିର୍ଯାତନା ଆଦି ଘଟଣାରେ ବୃଦ୍ଧି ଘଟିଥିଲା। ଶିକ୍ଷା ଓ ରୋଜଗାର ଅଭାବ ଏହାର ଅନ୍ୟତମ କାରଣ ଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ରୟାସ ସହ ଜିଲ୍ଲା ପ୍ରଶାସନର ସୁଦୂରପ୍ରସାରୀ ତଥା ସମୟୋଚିତ ପଦକ୍ଷେପ ହେତୁ ଏହାର ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷ କରି ଶିଶୁଙ୍କୁ ମାଧ୍ୟମ କରି ନିଶା କାରବାର ବୃଦ୍ଧି, ନିଶା ସାମଗ୍ରୀ ଚୋରାଚାଲାଣ, ନିଶା ସେବନ ଆଦି ବେନିୟମ କାର୍ଯ୍ୟ ବୃଦ୍ଧି କରି ଦେଇଥିଲେ ମାଫିଆ। ତାହାକୁ ରୋକିବା ସହ ଜିଲ୍ଲାରୁ ଶିଶୁଚାଲାଣ ଦୂର କରିବା ପାଇଁ ଯୋଜନାକୁ ବାସ୍ତବ ରୂପାୟନ କରି ଏବେ ଗଜପତି ଜିଲ୍ଲା ଜାତୀୟସ୍ତରରେ ଟପ୍- ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନୂଆଦିଲ୍ଲୀ ଠାରେ ଏହି ବାବଦ ପୁରସ୍କାର ଗ୍ରହଣ କରିଛନ୍ତି।

ପୂର୍ବରୁ ଗଜପତି ଜିଲ୍ଲାର ଶିଶୁମାନଙ୍କୁ ଗୋଆ, ମୁମ୍ବାଇ, କୋଏମ୍ବାଟୁର, ଚେନ୍ନାଇ, ସୁରାଟକୁ ପଠାଇବାରେ ସଫଳ ହେଉଥିଲେ ଦଲାଲ। କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଠନ ସହ ପ୍ରଶାସନ, ପୁଲିସର ତପ୍ତରତା ଫଳରେ ନିକଟ ଅତୀତରେ ବିଭିନ୍ନ ରାଜ୍ୟରୁ ଏହି ଜିଲ୍ଲାର ମୂଳବାସିନ୍ଦା ୨୧୩ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଶିଶୁଚାଲାଣ ଜନିତ ୧୯ଟି କେସ୍ ରୁଜୁ ହୋଇ ୩୫ ଜଣଙ୍କୁ ଗିରଫ କରାଯାଇଛି। ଉଦ୍ଧାର ଶିଶୁମାନଙ୍କର ଉପଯୁକ୍ତ ଥଇଥାନ ମଧ୍ୟ କରିପାରିଛି ଗଜପତି ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ଜନସଚେତନତା କାର୍ଯ୍ୟ ହାତକୁ ନିଆଯାଇଛି। ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଦୃଷ୍ଟିରୁ ୧୮ଟି ସମ୍ବେଦନଶୀଳ ପଞ୍ଚାୟତକୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରି ତାହା ଜରିଆରେ ସେମାନଙ୍କ ବିକାଶ ପାଇଁ ଉଦ୍ୟମ ଜାରି ରହିଛି। ଅଧାରୁ ବିଦ୍ୟାଳୟ ତ୍ୟାଗ କରିଥିବା ପିଲାଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ବିଦ୍ୟାଳୟ ସମେତ ଆଇଟିଆଇରେ ବୈଷୟିକ ପାଠ୍ୟକ୍ରମ ଓ ଡିପ୍ଲୋମା କୋର୍ସରେ ଆଡ୍‌ମିଶନ୍ ପାଇଁ ବ୍ୟବସ୍ଥା କରାଯାଇ ଆସୁଛି। ଏହାବାଦେ ଅବକାରୀ, ପୁଲିସ, ଡ୍ରଗ୍ଧ କଣ୍ଟ୍ରୋଲ୍ ବିଭାଗ ମିଳିତ ଆନୁକୂଲ୍ୟରେ ଶିଶୁଙ୍କୁ ନେଇ ନିଶା କାରବାର ରୋକିବାକୁ ଯାବତୀୟ ଚଢ଼ଉ, ଗିରଫଦାରୀ ଓ ନିରାକରଣ ପଦକ୍ଷେପ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ। ଉଲ୍ଲେଖନୀୟ ଘଟଣାକ୍ରମେ ଏହି ଜିଲ୍ଲାର ବିଭିନ୍ନ ଅନାଥାଶ୍ରମ ଓ ବାଳାଶ୍ରମରେ ଥିବା ନିଷ୍ପାପ ଶିଶୁଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ପାଇଁ ଦେଶ ବିଦେଶରେ ଗଜପତି ଜିଲ୍ଲାକୁ ଆଗ୍ରହୀ ବ୍ୟକ୍ତିବିଶେଷ ଆସୁଛନ୍ତି।

ଶିଶୁ ସୁରକ୍ଷା ପାଇଁ ବଦ୍ଧପରିକର ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ। ସେହିପରି ସାରା ଜିଲ୍ଲାକୁ ଶିଶୁ ନିର୍ଯାତନାରୁ ମୁକ୍ତ କରିବା ସହ ଶିଶୁଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହେବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା।

Comments are closed.