ଭୁବନେଶ୍ୱରରୁ ନିଖୋଜ ଯୁବକଙ୍କ ମୃତଦେହ କଟକରୁ ମିଳିଲା, ହତ୍ୟା ସନ୍ଦେହ

ଭୁବନେଶ୍ୱର – ଭୁବନେଶ୍ୱରରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ କଟକରୁ ଉଦ୍ଧାର ହୋଇଛି। ବିଡ଼ାନାସୀ ଥାନା ଅନ୍ତର୍ଗତ ଭୂଆଶୁଣୀ ମହାନଦୀ ପଠାରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ବିଡାନାସୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣକ ହେଲେ ବିହାରର ଆଜାଦ ଯାଦବ ବୋଲି ଜଣାପଡିଛି । ସେ ଭୁବନେଶ୍ୱରରେ ରହି ଇଣ୍ଟେରିୟର୍ କାମ କରୁଥିଲେ।

ପୋଲିସର ସୂଚନା ଅନୁସାରେ ଗତ ୨୫ ତାରିଖରେ ଆଜାଦ କଟକ ଆସିଥିଲେ। ଜଣେ ଠିକାଦାରଙ୍କଠାରୁ ସେ ଟଙ୍କା ପାଇବାର ଥିଲା। ତେବେ ସେହିଦିନ ଠାରୁ ଆଜାଦଙ୍କ ଖୋଜଖବର ମିଳିନଥିଲା। ଏ ନେଇ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ। ଆଜି ତାଙ୍କର ମୃତଦେହ କଟକ ଭୂଆଶୁଣୀ ଠାରେ ଥିବା ମହାନଦୀ ପଠାରୁ ମିଳିଛି। ଆଜାଦଙ୍କୁ ମୁଣ୍ଡକୁ ଛେଚା ଯାଇଥିବା ଜଣାପଡ଼ିଛି ।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଘଟଣା ସ୍ଥଳରେ ଡଗସ୍କ୍ୱାଡ୍ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବାବେଳେ ଡିସିପି ମଧ୍ୟ ପହଞ୍ଚି ଛାନଭିନ୍ କରିଛନ୍ତି। ବିଡାନାସୀ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.