ଭିଜିଲାନ୍ସ ରେଡ଼ : କଲେଜ ଅଧ୍ୟକ୍ଷଙ୍କ ବିପୁଳ ସଂପତ୍ତି ଠାବ

ଭବାନୀପାଟଣା- ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିବା ଓ ଲାଂଚ ନେବାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅର୍ନ୍ତଗତ ବିଶ୍ୱନାଥପୁରସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏପର୍ଯ୍ୟନ୍ତ ୫କୋଟିରୁ ଅଧିକ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଅଧିକ ଖୋଳତାଡ଼ ଜାରି ରହିଛି । ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ,ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଆଜି କଲେଜ ଅଧ୍ୟକ୍ଷଙ୍କ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଚଢ଼ଉବେଳେ ତାଙ୍କ ନିକଟରୁ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରେ ୩ଟି କ୍ରସର ୟୁନିଟ୍ , ୨ଟି ଜେସିବି, ୪ଟି ଟ୍ରକ ଓ ଟ୍ରିପର, ୨ଟି ଏସୟୁଭି, ୪ଟି ବାଇକ, ୩ଟି ପ୍ଲଟ୍ ଓ ୨ଟି କୋଠା, ପ୍ରାୟ ୮ଲକ୍ଷ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ଗେଜେଟ୍ ସମେତ ମୋଟ ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ପତ୍ତିର ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଛି । ତାଙ୍କ ନିକଟରୁ ନଗଦ ୧.୯୪ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି ।
ସୂଚନାଯୋଗ୍ୟ, ରମେଶ ସାହୁ ପିଅନ ଚାକିରି କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଓ ଅନ୍ୟ ଜଣଙ୍କଠୁ ୨.୭୫ଲକ୍ଷ ଟଙ୍କା, ସୁଇପର ପଦବୀ ପାଇଁ ୧.୭୦ଲକ୍ଷ ଟଙ୍କା ଲାଂଚ ନେଇଥିଲେ । ଏହି ଠକେଇ ମାମଲାରେ କଲେଜ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

Comments are closed.