କୁନି ଫୁଟବଲ ତାରକା ମୁସ୍କାନ

ବରଗଡ଼ ଜିଲ୍ଲା ବରପାଲି ବ୍ଳକ କଦଳୀପାଲି ଗାଁର ଏକ ଗରିବ ପରିବାରରେ ମୁସ୍କାନ ପୋଢଙ୍କ ଜନ୍ମ । ମୁଷ୍ଠାନଙ୍କ ବାପା ଗାଁ ଛକରେ ଠେଲା ଲଗାଇ ମୁଢ଼ିଚଣା ବିକି ପରିବାର ପୋଷଣ କରୁଛନ୍ତି । ଛୋଟ ଦିନରୁ ପାଠ ପ୍ରତି ଆଗ୍ରହୀ ମୁସ୍କାନଙ୍କ ଫୁଟବଲ ଖେଳ ପ୍ରତି ତାଙ୍କର ଦୁର୍ବଳତା ଥିଲା । କ୍ରୀଡ଼ା ଶିକ୍ଷକ ସଂପୂର୍ଣ୍ଣ ଭୋଇଙ୍କ ପ୍ରଚେଷ୍ଟା ଯୋଗୁଁ ସେ ଆଜି ଜଣେ ଜାତୀୟ ସ୍ତରର ଖେଳାଳି ଭାବେ ପରିଚୟ ସୃଷ୍ଟି କରି ନିଜ ଅଞ୍ଚଳ ତଥା ଜିଲ୍ଲାର ଗୌରବ ଆଣିଛନ୍ତି । ମୁସ୍କାନ ବରପାଲି ସରକାରୀ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ସେ ରାଜ୍ୟ ଫୁଟବଲ ଆସୋସିଏସନ୍ ପକ୍ଷରୁ ଚୟନ ହୋଇ ବର୍ତ୍ତମାନ ଜାତୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ଜୁଲାଇ ମାସରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଆୟୋଜିତ ସବ୍‌ଜୁନିଅର ଫୁଟବଲରେ ଓଡ଼ିଶା ଦଳରେ ସାମିଲ ହୋଇଥିଲେ । ସେହିପରି ଗତ ଜୁନ ୨ ତାରିଖ ବରଗଡ଼ ଜିଲ୍ଲାରୁ ଏକମାତ୍ର ଖେଳାଳି ଭାବେ ରାଜ୍ୟ ଫୁଟବଲ ଆସୋସିଏସନ୍ ପକ୍ଷରୁ ମନୋନୀତ ହୋଇ କୋଚିଂ କ୍ୟାମ୍ପରେ ଯୋଗଦେଇଥିଲେ । ୨୦୧୮ ଡିସେମ୍ବରରେ ତ୍ରିପୁରାର ଅଗରତାଲାରେ ଆୟୋଜିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୦୧୭ ଅକ୍ଟୋବରରେ ପ୍ରଥମ ଥର ପାଇଁ ରାଜ୍ୟରୁ ମନୋନୀତ ହୋଇ ମଣିପୁର ରାଜ୍ୟର ଇମ୍ଫାଲରେ ଓଡ଼ିଶା ଫୁଟବଲ ଦଳ ଖେଳାଳି ଭାବେ ପ୍ରତିଭା ପ୍ରଦର୍ଶନ ସୁଯୋଗ ପାଇଥିଲେ । ୨୦୧୪ ରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ତାଳଚେର ଏନ୍‌ପିସି ଓ ୨୦୧୫ ମସିହାରେ କେନ୍ଦ୍ରାପଡ଼ାରେ ଅଂଶଗ୍ରହଣ କରି ନିଜ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଛନ୍ତି । ମୁସ୍କାନ ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

Comments are closed.