କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ ହେଉଛି ଗୁପ୍ତେଶ୍ୱର। ସ୍ଥାନଟି କୋରାପୁଟଠାରୁ ୮୦ କି.ମି ଓ ଜୟପୁର ଠାରୁ ୬୦ କି.ମି. ଦୂରରେ ରହିଛି ଏହି ମନୋରମ ସ୍ଥଳ ।
ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରହିଛି ରାମକୁଣ୍ଡ ଓ ସୀତାକୁଣ୍ଡ । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀ ପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ବାବା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହିମହୁରେ ପ୍ରଭୁଙ୍କ ମାଜଣା କରାଯାଉ ଥିଲା ।
ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ବର୍ଷ ତମାମ ଲାଗିରହେ । ଗୁମ୍ଫାଭିତରେ କାଳୀଗାଈ,ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଛି । ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ଧରି ଯେକୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶ ଗଡ଼ ଘାଟଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।
ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ ।
ସୁନ୍ଦର ସୁଦୃଶ୍ୟ ଘଞ୍ଚ ଅରଣ୍ୟ ପରିବେଷ୍ଟିତ, ପ୍ରାୟ ୨୦୦୦ ଫୁଟ ଉଚ୍ଚ ମାଳଭୁମିର ଏକ ଚୁନପଥର ପାହାଡ ମଧ୍ୟରେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହୋଇ ପାରିବା ଭଳି ଏହିଗୁମ୍ଫା । ଇତିହାସ କହେ – ସପ୍ତଦଶ ଶତାବ୍ଦୀ ମଧ୍ୟଭାଗରେ ନନ୍ଦପୁର ମହାରାଜା ବୀରବିକ୍ରମ ଦେବଙ୍କ ସମୟରେ ଏହି ଗୁପ୍ତ00ଗୁମ୍ଫା ଆବିଷ୍କୃତ ହୋଇଥିଲା | ଏହି ପବିତ୍ର ପୀଠର ପାଦଦେଶରେ ଶାବରୀ ନଦୀ ପ୍ରପାତ ସୃଷ୍ଠିକରି ପ୍ରବାହିତ | ଅରଣ୍ୟ ସୁଷମାରେ ପରିପୁର୍ଣ୍ଣ ଏହି ଅଞ୍ଚଳରେ ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳେ |
ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି ।
ଗମନାଗମନ କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହାନର ସୁବିଧା ରହିଛି ।
Comments are closed.