ନିଜ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ନବୀନଙ୍କ ପରାମର୍ଶ: ବିକାଶ ଉପରେ ଗୁରୁତ୍ବ ଦିଅ

ଭୁବନେଶ୍ବର: ସବୁ ବେଳେ ବିକାଶ ଉପରେ ଆମର ଫୋକସ୍ ରହିଆସିଛି। ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଲୋକେ ସ୍ବୀକୃତି ଦେଇଛନ୍ତି। ତେଣୁ ଦଳମତରୁ ଉର୍ଦ୍ଧ୍ୱକୁ ଉଠି ଲୋକଙ୍କ ପାଇଁ କାମ କଲେ ଅଧିକ ବିଶ୍ବାସ ଓ ଆର୍ଶୀବାଦ ମିଳିବ। ନିଜ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ନବୀନ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।

ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ ।”

5-T ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ନବୀନ ଆଶା ପ୍ରକାଶ କରିଥିଲେ।

ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Comments are closed.