ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ଯନ୍ତ୍ରୀ ଜଗନ୍ନାଥ ସେଠୀ ଗିରଫ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ମାମଲାରେ ନିର୍ମାଣ(ଇଲେକ୍‌ଟ୍ରିକାଲ୍‌) ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ଗିରଫ ହୋଇଛନ୍ତି । ଯାଞ୍ଚ ସରିବା ପରେ ନିର୍ବାହୀ ଯନ୍ତ୍ରୀ ସେଠୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ମୋଟ ୭କୋଟି ୮୩ଲକ୍ଷ ୭ହଜାର ୪୯୮ ଟଙ୍କାର ସ୍ଥାବର ଅବସ୍ଥାବର ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଛି। ଏଥିମଧ୍ୟରୁ ୬କୋଟି ୭୯ଲକ୍ଷ ୬୨ହଜାର ୭୪୮ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। ନିର୍ବାହୀ ଯନ୍ତ୍ରୀ ସେଠୀଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହା ସହିତ ତାଙ୍କର ପତ୍ନୀ ଓ ବଡ଼ପୁଅ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ଗତ ୯ତାରିଖ ସକାଳେ ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ବ୍ରହ୍ମପୁର ଗଜପତି ନଗର ୧୧ମ ଲାଇନ୍‌ରେ ଥିବା ୫ମହଲା କୋଠା, ଭୁବନେଶ୍ବର ଏମ୍‌ସ ନଗର ତୃତୀୟ ଲାଇନ୍‌ରେ ଥିବା ୪ମହଲା ଘର, ଗଜପତିନଗର ଅଷ୍ଟମ ଲାଇନ୍‌ରେ ଥିବା ୪ମହଲା ଘର, ଛତ୍ରପୁର ଥାନା ପୁତବଗଡ଼ ସ୍ଥିତ ପୈତୃକ ଘର ଓ ଆମ୍ବପୁଆ ସ୍ଥିତ ଅଫିସ୍‌ରେ ଚଢ଼ଉ କରାଯାଇଥିଲା । ସମ୍ପତ୍ତି ତାଲିକା ମଧ୍ୟରେ ୩ଟି କୋଠା, ଭୁବନେଶ୍ବର, ଜଟଣୀ ଓ ବ୍ରହ୍ମପୁରରେ ୧୭ଟି ପ୍ଲଟ୍‌, ୨ଟି ଏସ୍‌ୟୁଭି, ୩ଟି ଦୁଇ ଚକିଆ ଗାଡ଼ି, ୫୮ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ସୁନା ଗହଣା ରହିଛି । ଚଢ଼ାଉ ପରେ ୧୯ଲକ୍ଷ ୮୮ହଜାର ଟଙ୍କା ନଗଦ ବି ମିଳିଥିଲା।

Comments are closed.