ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ମହାପାତ୍ର ପରାମର୍ଶ ଦେଇଛନ୍ତି । ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଡିଏଫ୍ଓ ପି. ରମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.