ତୀବ୍ର ପ୍ରତିକ୍ରିୟା ପରେ ପଦକ୍ଷେପ : ସିବିଏସଇ ଦଶମ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରର ତ୍ରୁଟି ହେବ ଯାଞ୍ଚ

ଭୁବନେଶ୍ୱର – ଓଡ଼ିଆ ଭାଷା ପ୍ରତି ସିବିଏସଇର ଚରମ ଅବହେଳା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲା ପରେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗର ଯାଞ୍ଚ ହେବ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ ।
ପ୍ରଶ୍ନ ଓ ଉତ୍ତର ପତ୍ରରେ ସାମଞ୍ଜସ୍ୟ ନଥିବା ନେଇ ଅସନ୍ତୁଷ୍ଟ ଥିଲେ ଛାତ୍ରଛାତ୍ରୀ । ଏ ନେଇ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବ ବିଶେଷଜ୍ଞ କମିଟି ।
ମଲଟିପଲ୍‌ ଚଏସ୍‌ ବିଶିଷ୍ଟ ପ୍ରଶ୍ନଗୁଡ଼ିକରେ ଯେଉଁ ସବୁ ଉତ୍ତର ଉଲ୍ଲେଖ ରହିଥିଲା , ସେଥିରୁ ୨୦ଟି ଭୁଲ୍‌ ଥିଲା।

ଏମିତି କିଛି ପ୍ରଶ୍ନ ରହିଥିଲା ଯାହାକୁ ପିଲାମା‌ନେ ବୁଝି ପାରି ନ ଥିଲେ। ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ପରି ଓଡ଼ିଶାର ମହାନ ବିପ୍ଳବୀଙ୍କ ବିଷୟରେ ଭୁଲ୍‌ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଛାତ୍ରଛାତ୍ରୀ ବହୁ କଷ୍ଟରେ ପ୍ରଶ୍ନଗୁଡ଼ିକୁ ବୁଝି ସଠିକ୍‌ ଉତ୍ତର ଲେଖିଥିଲେ ମଧ୍ୟ ସେମାନଙ୍କୁ ଉଚିତ୍‌ ମାର୍କ ମିଳିନାହିଁ। ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକମାନେ ଅଭିଯୋଗ ଆଣିଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରଶ୍ନପତ୍ର ଭୁଲ୍‌ ହୋଇଥିବା ନେଇ ଅଭିଭାବକମାନେ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦ଟି ପ୍ରଶ୍ନର ଭୁଲ୍‌ ଉତ୍ତର ଲେଖାଥିବା ସେମାନେ ଜଣାଇଥିଲେ।

Comments are closed.