ଶ୍ରୀକ୍ଷେତ୍ରର ପବିତ୍ର ତୀର୍ଥ ମହୋଦଧି

ଶ୍ରୀକ୍ଷେତ୍ର ବା ଶଙ୍ଖ କ୍ଷେତ୍ରରେ ମହୋଦଧି କୁ ତୀର୍ଥ ରାଜ ହିସାବରେ ସ୍ଥାନ ଦିଆଯାଇଛି। ପୁରୀର ସମୁଦ୍ରକୁ ମହୋଦଧି କୁହାଯାଏ। ଏହା ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କ ଠାରୁ ମା ହରଚଣ୍ଡିଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ ବୋଲି ମହାନୁଭବ ମାନେ କହିଛନ୍ତି।

ବାଲିସାହି ଅନ୍ତର୍ଗତ ଉଆଁସ ଦାଣ୍ଡରେ ଥିବା ଉଗ୍ରସେନଙ୍କ ଦର୍ଶନକରି ତାଙ୍କ ଠାରୁ ମହୋଦଧିକୁ ଯିବାପାଇଁ ଅନୁମତିନେଇ ଶାସ୍ତ୍ରୀୟ ମତରେ ଯିବାକୁ ହୁଏ। ମହୋଦଧିର ଜଳକୁ ମୁଣ୍ଡରେ ସିଞ୍ଚନ କରି ସେଠାରେ ପ୍ରଣାମ ପରେ ସ୍ଵର୍ଗଦ୍ଵାରରେ ମଧ୍ୟ ପ୍ରଣାମ କରିବାର ବିଧିଅଛି। ମହୋଦଧିକୁ ପ୍ରତି ଅମାବାସ୍ୟାରେ ଶ୍ରୀଜଗନ୍ନାଥଙ୍କ ର ଚଳନ୍ତି ବିଗ୍ରହ ଶ୍ରୀନାରାୟଣ ବିଜେକରି ମହୋଦଧିଙ୍କୁ ବନ୍ଦାପନା କରିଥାନ୍ତି। ଠାକୁର ନିଜେ ଯାହାଙ୍କୁ ବନ୍ଦାପନା କରୁଛନ୍ତି , ତାଙ୍କ ସ୍ଥାନ କେଉଁଠି ? ମହାଲକ୍ଷ୍ମୀଙ୍କ ର ପିତ୍ରାଳୟ ଏହି ମହୋଦଧି । ମହାପ୍ରଳୟରୁ ଶ୍ରୀକ୍ଷେତ୍ରକୁ ରକ୍ଷା କରିବା ପାଇଁ ମହାପ୍ରଭୁ ହନୁମାନ ଙ୍କୁ ବେଡି ପକାଇ ମହୋଦଧି କୂଳରେ ଜଗିବା ପାଇଁ ବସାଇଛନ୍ତି।ଏହି ସ୍ଥାନରେ ରହିଛି ପୁରାଣ ପ୍ରସିଦ୍ଧ ଚକ୍ରତୀର୍ଥ କ୍ଷେତ୍ର।ଏହି ସ୍ଥାନରେ ପ୍ରଥମେ ଦାରୁ ଆସି ଲାଗିଥିଲେ।

ପ୍ରତ୍ୟେକ ଦିନ ଗୋବର୍ଦ୍ଧନ ପୀଠ ତରଫରୁ ମହୋଦଧି ଆଳତୀ ସ୍ଵର୍ଗଦ୍ଵାର ନିକଟ ନାରାୟଣ ଘାଟ ନିକଟରେ କରାଯାଇଥାଏ। ମହୋଦଧି ଆଳତୀର ବାର୍ଷିକ କାର୍ଯ୍ୟକ୍ରମ ପୌଷ ପୂର୍ଣ୍ଣିମାରେ ଭାରତ ବର୍ଷର ବହୁ ସାଧୁସନ୍ଥ ମାନଙ୍କର ଉପସ୍ଥିତିରେ ସ୍ଵୟଂ ଜଗଦଗୁରୁ ଶଙ୍କରାଚାର୍ୟ ଆଳତୀ କରିଥାନ୍ତି l

ମହୋଦଧି ରେ ସ୍ନାନ କଲେ ତ୍ରିବେଣୀରେ ସ୍ନାନର ଫଳ ମିଳେ। ଏଠାରେ ଅସ୍ଥି ବିସର୍ଜନର ଫଳ ତ୍ରିବେଣୀରେ ବିସର୍ଜନର ସମକକ୍ଷ ଅଟେ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର୍ ସମୟରେ ମହୋଦଧି ରେ ପ୍ରବଳ ଭୀଡ ପରିଲକ୍ଷିତ ହୁଏ।ଲୋକମାନେ ସେଠାରେ ଡଙ୍ଗା ଭସାଇ ଧର୍ମ ମାସ କାର୍ତ୍ତିକର ପୂଣ୍ୟ ଅର୍ଜନ କରନ୍ତି।

Comments are closed.