ଲଖନପୁର ବ୍ଲକରୁ ଜଳକଷ୍ଟ ଦୂର ପାଇଁ ସ୍ବତନ୍ତ୍ର ଖସଡା, 2022 ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପାଇପ ଜଳ ପ୍ରକଳ୍ପ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଖଣି ଏବଂ ଶିଳ୍ପ ସମୃଦ୍ଧ ଲଖନପୁର ବ୍ଲକରେ ପାନୀୟଜଳ ସମସ୍ୟା ଦୀର୍ଘ ଦିନରୁ ରହି ଆସିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ସମାଧାନ ଅନେକ ମାତ୍ରାରେ ହୋଇପାରିବ। ଏବର୍ଷ ଶେଷ ସୁଦ୍ଧା ବୃହତ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ପାନୀୟ ଜଳ ସଂକଟ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ହୀରାକୁଦ ଜଳଭଣ୍ଡାରରୁ ପାଇପ ଯୋଗେ ପ୍ରତି ଗାଁ ଏବଂ ସହରାଂଚଳରେ ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ନିର୍ମଣାଧୀନ ମେଗା ପାଇପ ଜଳ ପ୍ରକଳ୍ପ ଚଳିତ 2022 ଡିସେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବା ପରେ ଜଳ ସଂକଟର ସମାଧାନ ହେବ। ମାତ୍ର ଚଳିତ ଗ୍ରୀଷ୍ମ କାଳରେ ଜଳକ୍ଲିଷ୍ଟ 33ଟି ଯାକ ପଞ୍ଚାୟତରେ କିଭଳି ଲୋକେ ସୁଚାରୁ ରୂପେ ପାନୀୟ ଜଳ ପାଇ ପାରିବେ ସେଥିଲାଗି ଏମସିଏଲ୍ ଲଖନପୁର କ୍ଷେତ୍ର ଏବଂ ଓପିଜିସିକୁ ପଦକ୍ଷେପ ନେବାକୁ ନିର୍ଦ୍ଦଶେ ଦିଆଯାଇଛି। ପୂର୍ବ ବର୍ଷ ଗୁଡ଼ିକରେ ଟେଙ୍କର୍ ଯୋଗେ ଜଳ ଯୋଗାଣ ହେଉଥିବା ଗ୍ରାମ ସହ ନୂତନ ଜଳକ୍ଲିଷ୍ଟ ଗ୍ରାମ ଓ ଜନ ବସତିର ପ୍ରସ୍ତୁତ ତାଲିକାନୁଯାୟୀ ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଖନପୁର ବ୍ଲକକୁ ଜଳକଷ୍ଟ ମୁକ୍ତ କରିବା ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

ବନହରପାଲି ଠାରେ ଗତ ଆୟୋଜିତ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସଭାପତିତ୍ବ କରି କହିଥିଲେ ଶିଳ୍ପ ଏବଂ ଖଣି ସଂସ୍ଥାର ସିଏସଆର୍ ଅନୁଯାୟୀ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯାହାର ଉପଯୋଗ କରି ଲଖନପୁର ବ୍ଲକ ଅଞ୍ଚଳରେ ବିକାଶ ଏବଂ ବହୁବିଧ ସମସ୍ୟା ଦୂର କରାଯାଇ ପାରିବ। ଏଥିଲାଗି ଏମସିଏଲ୍ ଏବଂ ଓପିଜିସି ସହାୟତାରେ ବିକାଶର ରୋଡମ୍ୟାପ ପ୍ରସ୍ତୁତ ସହ ଜଳ ଯୋଗାଣ ଓ ଲୋକଙ୍କ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରାଯିବ। ଗତ ଫେବୃଆରୀ 24 ତାରିଖ ଲଖନପୁର ବ୍ଲକ କାର୍ଯ୍ୟାଳୟ ଠାରେ ଜଳ ଯୋଗାଣ ପାଇଁ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ବ୍ଲକର ଯେଉସବୁ ପଂଚାୟତର ଗ୍ରାମ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇଛି ତାହା ବୈଠକରେ ଉପସ୍ଥାପନ କରାଯାଇଥିଲା। ଉକ୍ତ ତାଲିକା ଉପରେ ପଂଚାୟତର ସରପଂଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କର ମତାମତ ଲୋଡ଼ା ଯାଇଥିଲା। ପ୍ରତ୍ୟେକ ପଂଚାୟତରୁ ଜଳ ଯୋଗାଣ ପାଇଁ ପ୍ରସ୍ତୁତ ତାଲିକାରୁ ବାଦ୍ ପଡ଼ିଥିବା ଗ୍ରାମ ଏବଂ ପଡ଼ା ଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ତିଲିଆ ଠାରୁ ରେମତା ପଂଚାୟତ ପର୍ଯ୍ୟନ୍ତ କୌଣସି ପଂଚାୟତରେ ଗ୍ରୀଷ୍ମ କାଳରେ ଯେଭଳି ପାଣି ସମସ୍ୟାରେ ଲୋକେ ହନ୍ତସନ୍ତ ନ ହେବେ ସେଥିପ୍ରତି ଗୁରୁତ୍ବର ସହ କାର୍ଯ୍ୟ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓପିଜିସି ଯେଉଁ ସବୁ ଗ୍ରାମରେ ଜଳ ଯୋଗାଣ ଲାଗି ଦାୟିତ୍ବ ମୁଣ୍ଡେଇଛି ସେହି ଗ୍ରାମ ଗୁଡ଼ିକ ବ୍ୟତୀତ ଆଜି ଉପସ୍ଥାପିତ ଅତିରିକ୍ତ ଗ୍ରାମ ଗୁଡ଼ିକରେ ଜଳ ଯୋଗାଣ ଲାଗି ଆବଶ୍ୟକୀୟ ଅନୁମୋଦନ ସେ ନିଜେ ତୁରନ୍ତ କରାଇବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଜିଲ୍ଲାପାଳ ସରୋଜ କୁମାର ସାମଲ ଆଲୋଚନାରେ ଭାଗ ନେଇ ଖଣି ଏବଂ ଶିଳ୍ପ ବେଷ୍ଟିତ ଏହି ବ୍ଲକରେ ପାନୀୟ ଜଳ ସମସ୍ୟା ଦୂର କରିବା ଓପିଜିସି ଏବଂ ଏମସିଏଲର ଦାୟିତ୍ବ ହୋଇଥିବାରୁ ସେମାନେ ଏ ଦିଗରେ ଗୁରୁତ୍ବର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ଜଳ ସଂକଟ ସମସ୍ୟା ଦୂର ଲାଗି ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଲଖନପୁର ବ୍ଳକର 63ଟି ଗ୍ରାମରେ ଏମସିଏଲ୍ ଲଖନପୁର କ୍ଷେତ୍ର ପକ୍ଷରୁ ଟେଙ୍କର ଜଳ ଯୋଗାଣ ଖରାଦିନେ ତିନି ମାସ ପାଇଁ କରାଯାଉଥିବା ବେଳେ ଖଣି ସଂଲଗ୍ନ କେତେକ ଗ୍ରାମରେ ବର୍ଷସାରା ଜଳ ଯୋଗାଣ ହେଉଥିବା ଲଖନପୁର କ୍ଷେତ୍ରର ଜେନେରାଲ ମ୍ୟାନେଜର ପ୍ରକାଶ କରିଥିଲେ। ସେହିପରି ଓପିଜିସି ପକ୍ଷରୁ ମଧ୍ୟ 55ଟି ଗ୍ରାମରେ ଟେଙ୍କର ଯୋଗେ ଜଳ ଯୋଗାଣ ହେଉଥିବା ଓପିଜିସିର ଅଧିକାରୀ ଜଣାଇଥିଲେ। ପ୍ରତ୍ୟେକ ପଂଚାୟତରେ ପ୍ରତି ବର୍ଷ ପାଂଚଟି ଜଳାଶୟର ଖନନ ତଥା ପଙ୍କୋଦ୍ଧାର କରାଯିବା ସହ କେଉ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କରାଯିବ ତାହାର ପ୍ରସ୍ତାବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଜନ ପ୍ରତିନିଧି ମାନଙ୍କୁ କହିଥିଲେ। ଖରାଦିନେ ଜଳ ସଂକଟ ଜନିତ ସମସ୍ୟା କୌଣସି ଗ୍ରାମରେ ଯେଭଳି ନ ହୁଏ ତାହା ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ବୈଠକରେ ପିଡି ଡିଆର୍Ùଡିଏ ତପିରାମ ମାଝୀ, ଲଖନପୁର ବ୍ଲକର ଅତିରିକ୍ତ ବିଡିଓ ଗୋପାଳକୃଷ୍ଣ ମିଶ୍ର, ପଂଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ବରୀ ତିହିରିଆ, ଜିଲ୍ଲା ପରିଷଦ ସଭ୍ୟ ସନତ ସିଂହ, ଅକ୍ଷୟ ସାହୁ, ପୁଷ୍ପଲତା ସେଠ ପ୍ରମୁଖଙ୍କ ସହ ଏମସିଏଲ୍, ଓପିଜିସିର ଅଧିକାରୀ ଏବଂ 33ଟିଯାକ ପଂଚାୟତର ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Comments are closed.