ବୈଦିକ ପରମ୍ପରାରେ ଆମେ ପାଳନ କରୁଥିବା ଚବିଶ ଏକାଦଶୀ ମଧ୍ୟରୁ ପାପମୋଚନୀ ଏକାଦଶୀ ଅନ୍ୟତମ । ପ୍ରତ୍ୟେକ ଏକାଦଶୀ କୁ ନେଇ ରହିଛି କିଛି ନିର୍ଦ୍ଦିଷ୍ଟ ପୌରାଣିକ ତଥ୍ୟ ତଥା ବୈଜ୍ଞାନିକ କାରଣ। ସର୍ବୋପରି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଏକାଦଶୀ ତିଥିର ବ୍ରତ ପାଳନ ର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା।
ପୌରାଣିକ କଥାବସ୍ତୁ ଆଧାରରେ ଦେବଶ୍ରୀ ନାରଦ ଦିନେ ପିତାମହ ବ୍ରହ୍ମାଙ୍କୁ ପଚାରିଲେ, ମହାରାଜ! ଆପଣ ମୋତେ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ବିଧାନ କହନ୍ତୁ । ବ୍ରହ୍ମା କହିଲେ, ଏହିଦିନକୁ ପାପମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ଏହିଦିନ ବ୍ରତଧାରୀମାନେ ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତି ।
ପ୍ରାଚୀନ କାଳରେ ଚୈତ୍ରରଥ ନାମକ ଏକ ସୁନ୍ଦର ବନ ଥିଲା । ଏହି ବନରେ ଦେବରାଜ ଇନ୍ଦ୍ର ଗନ୍ଧର୍ବ କନ୍ୟା ଓ ଦେବତାଙ୍କ ସହିତ ବିହାର କରୁଥିଲେ । ମେଧାବୀ ନାମକ ଋଷି ମଧ୍ୟ ଏହିଠାରେ ତପସ୍ୟା କରୁଥିଲେ । ଦିନେ କାମଦେବ ଋଷିଙ୍କ ତପଭଙ୍ଗ ପାଇଁ ମଞ୍ଜୁଘୋଷା ନାମକ ଅପ୍ସରାଙ୍କୁ ପଠାଇଲେ । ଯୁବାବସ୍ଥାରେ ଋଷି ଅପ୍ସରାଙ୍କ ହାବଭାବ, ନୃତ୍ୟ, ଗୀତ ତଥା କଟାକ୍ଷରେ କାମ ମୋହିତହୋଇଗଲେ ।
ରତି-କ୍ରୀଡ଼ାରେ ତାଙ୍କର ୫୭ ବର୍ଷ ବିତିଗଲା । ଦିନେ ମଞ୍ଜୁଘୋଷା ଦେବଲୋକ ଯିବାକୁ ଆଜ୍ଞା ମାଗିଲେ । ଏହାଶୁଣି ଋଷିଙ୍କର ଆତ୍ମଜ୍ଞାନ ଫେରିଆସିଲା । ସେ ରସାତଳଗାମୀ ହେବାର ଏକମାତ୍ର କାରଣ ଅପ୍ସରା ମଞ୍ଜୁଘୋଷା ବୋଲି ଜାଣିପାରିଲେ । ଋଷି କ୍ରୋଧରେ ମଞ୍ଜୁଘୋଷାକୁ ପିଶାଚିନୀ ହେବାକୁ ଅଭିଶାପ ଦେଲେ । ମଞ୍ଜୁଘୋଷା ଅଭିଶାପରୁ ମୁକ୍ତି ପାଇବା ପାଇଁ ଋଷିଙ୍କୁ ଅନୁରୋଧ କଲେ । ପାପ ମୋଚନୀ ଏକାଦଶୀ ଉପବାସ କରି ଅଭିଶାପରୁ ମୁକ୍ତ ହେବା ଲାଗି ଋଷି ମଞ୍ଜୁଘୋଷାକୁ କହିଲେ ।
ଏହିବ୍ରତ କରିବାପରେ ମଞ୍ଜୁଘୋଷା ଅପ୍ସରା ପିଶାଚିନୀରୁ ମୁକ୍ତି ହୋଇ ଦେବଲୋକ ଚାଲିଗଲେ । ଋଷି ମଧ୍ୟ ଏହି ବ୍ରତକରି ପାପମୁକ୍ତ ହେଲେ । ଶେଷରେ ବ୍ରହ୍ମା କହିଲେ ହେ ନାରଦ ! ଯେଉଁ ମନୁଷ୍ୟ ବିଧିପୂର୍ବକ ଏହି ବ୍ରତ କରିବ, ସେ ସମସ୍ତ ପାପରୁ ନିଶ୍ଚିତ ମୁକ୍ତି ପାଇବ । ଯିଏ ଏହି ବ୍ରତର ମାହାତ୍ମ୍ୟ ପଢ଼ିବ ଓ ଶୁଣିବ ତା’ର ସମସ୍ତ ସଙ୍କଟ ଅବିଳମ୍ବେ ଦୂର ହୋଇଯିବ । ବ୍ରତଧାରୀମାନେ ନିଷ୍ଠାର ସହିତ ନିର୍ଜଲା ବ୍ରତ ଅଥବା ଅନୁକଳ୍ପ ( ଫଳମୂଳ, କ୍ଷୀର) ଖାଇ ଦିନଟିକୁ କଟାଇବେ ।
ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀକୁ ବିଶେଷ କରି ପାପ ମୋଚନୀ ଏକାଦଶୀ ଭାବେ ପାଳନ କରାଯାଏ । ଏହିଦିନ ନିଷ୍ଠାର ସହିତ ଭଗବାନ ଶ୍ରୀବିଷ୍ଣୁଙ୍କୁ ଆରାଧନା କଲେ ଜୀବନର ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
Comments are closed.