ଅଲିଭ୍ ରିଡ୍‌ଲେଙ୍କ ଗଣଅଣ୍ଡାଦାନ: ଦିନକରେ ୪୦ ହଜାର ଅଣ୍ଡା ଦେଲେ ବିରଳ କଇଁଛ

ଛତ୍ରପୁର: ବହୁ ପ୍ରତିକ୍ଷୀତ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେଙ୍କ ଚଳିତ ସିଜନର ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଏହି ସୂଚନା ଦେଇଛି ଅଲିଭ୍ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଦାୟିତ୍ଵ ବୁଝୁଥିବା ବନ ବିଭାଗ। ବ୍ରହ୍ମପୁର ବନ ବିଭାଗ ଏସିଏଫଙ୍କ ସୂଚନା ମୁତାବକ ରବିବାର ଗୋଟିଏ ଦିନର ପୂର୍ବାହ୍ନ ବେଳା କିଛି ଘଣ୍ଟାରେ ଏହି ବିରଳ ସାମୁଦ୍ରିକ କଇଁଛ ହଜାର ହଜାର ସଂଖ୍ୟାରେ ଆସି ବଙ୍ଗୋପସାଗର ସମୁଦ୍ରତଟର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ପ୍ରାୟ ୪୦ ହଜାର ୫ଶହରୁ ଅଧିକ ଅଣ୍ଡାଦାନ କରିଛନ୍ତି। ଏଥିସହ ଚଳିତ ସିଜନ୍‌ରେ ପ୍ରକୃତିର ଏହି ଅପରୂପ ଦୃଶ୍ୟ ତାର କରିସ୍ମା ଦେଖାଇଛି।

ପାଗ ଅନୁକୂଳ ନଥିବାରୁ ଗଣଅଣ୍ଡାଦାନ ବିଳମ୍ବିତ ହୋଇଥିଲା। ଯଦିଓ ଫେବ୍ରୁଆରୀ ମାସ ଶେଷ ସପ୍ତାହ ଓ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ବେଳକୁ ଏହି ପ୍ରକ୍ରିୟା ଆରମ୍ଭ ହେବା କଥା। ତେବେ ବିଳମ୍ବିତ ହେଲେ ବି ବର୍ତ୍ତମାନ ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗର କୂଳରେ ଅନୁକୂଳ ପାଗ ସହ ଦକ୍ଷିଣା ପବନ ପ୍ରବାହ ହେତୁ ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ସେମାନଙ୍କ ଜୀବନଚକ୍ରର ଏହି ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରବିବାର ଭୋର୍‌ ୪ଟାରୁ ସକାଳ ୮ଟା ମଧ୍ୟରେ ଋଷିକୁଲ୍ୟା ନଦୀ ମୁହାଣ ଗୋଖରକୁଦା ଏବଂ ପୋଡ଼ମପେଟା ମଧ୍ୟରେ ଅଲିଭ୍ ରିଡ୍‌ଲେ କଇଁଛ ୪୦ ହଜାର ୫୦୦ରୁ ଊର୍ଦ୍ଧ୍ବ ଅଣ୍ଡାଦାନ କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ। ସେ କହିଛନ୍ତି ଯେ- ଅଣ୍ଡାଦାନ ସମୟରେ କଇଁଛଙ୍କ ସୁରକ୍ଷା ସକାଶେ ୧୧ଟି ଶିବିର କରାଯାଇଛି। ସେଥରୁ ଖଲ୍ଲିକୋଟ ରେଞ୍ଜ ଅନ୍ତର୍ଗତ ସମୁଦ୍ର ତଟରେ ୬ଟି ଓ ବ୍ରହ୍ମପୁର ରେଞ୍ଜ ଅଧୀନ ବେଳାଭୂମିରେ ୫ଟି ଶିବିର ପ୍ରତିଷ୍ଠା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ- ଦକ୍ଷିଣା ପବନ ପ୍ରବାହ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା ଅଟେ। ସାଧାରଣତଃ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଈ ଓ ବଙ୍ଗୋପସାଗର ସମୁଦ୍ର ମୁହାଣରେ ବ୍ୟାପ୍ତ ବାଲୁକା ଅଞ୍ଚଳ ଏହି ପ୍ରଜାତିର କଇଁଛଙ୍କ ଗଣ ଅଣ୍ଡାଦାନ ପାଇଁ ପ୍ରସିଦ୍ଧି ଲାଭ କରିଛି।ତେବେ ଗତ ଦଶନ୍ଧିରେ ଦ୍ଵିତୀୟ ଥର ପାଇଁ ଗତବର୍ଷ ଏହି ପ୍ରାକୃତିକ ପ୍ରକ୍ରିୟା ସଂଘଟିତ ହୋଇପାରି ନଥିଲା। ଆଉ ଚଳିତ ବର୍ଷ ପୁଣି ଗଣ-ଅଣ୍ଡାଦାନ ହେତୁ ପ୍ରକୃତିପ୍ରେମୀ, ଜୀବପ୍ରେମୀ ତଥା ପରିବେଶବିତ୍‌ଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଋଷିକୁଲ୍ୟା ନଦୀ ମୁହାଣ ନିକଟ ଗୋଖରକୁଦା ଠାରୁ ବଟେଶ୍ଵର ନିକଟ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ଗଣଅଣ୍ଡାଦାନ ହୋଇଥାଏ। ବର୍ତ୍ତମାନ ଋଷିକୁଲ୍ୟା ନଦୀ ପୋଡ଼ମପେଟା ପର୍ଯ୍ୟନ୍ତ ଲମ୍ବି ସେଠାରେ ନୂଆ ମୁହାଣ ସୃଷ୍ଟି ଫଳରେ ଏବେ ନୂଆ ଦ୍ଵୀପ ସୃଷ୍ଟି ହୋଇଛି। ପୋଡ଼ମପେଟାରୁ ୩ କିମି ପର୍ଯ୍ୟନ୍ତ ବ୍ୟାପ୍ତ ବେଳାଭୂମିକୁ ମଧ୍ୟ ମାସ୍– ନେଷ୍ଟିଂ ପାଇଁ ଅନୁକୂଳ ପରିବେଶରେ ରଖାଯାଇଛି ଯେଉଁଠି ଅଣ୍ଡାଦାନ ହେଲେ କିଛି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ।

Comments are closed.