‘ପେଟ୍ରୋଲ, ଡିଜେଲରୁ ୨୬ ଲକ୍ଷ କୋଟି ଲୁଟି ନେଲାଣି କେନ୍ଦ୍ରର ବିଜେପି ସରକାର’

ନୂଆଦିଲ୍ଲୀ: ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଠ ଥର ବୃଦ୍ଧି କରାଯାଇଛି। ଲଗାତର ତୈଳଦର ବୃଦ୍ଧି ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଇତି ମଧ୍ୟରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଗଡଗେ ଟୁଇଟ୍ କରି କେନ୍ଦ୍ରର ବିଜେପି ସରକାରଙ୍କୁ ଆକ୍ରମଣ କରିଛନ୍ତି। ଗଡଗେ ତୈଳ ରାଜସ୍ୱ ଆକଳନକୁ ଟ୍ୱିଟ୍ କରି ଲେଖିଛନ୍ତି, “୮ ବର୍ଷରୁ କମ୍ ସମୟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଯୌକ୍ତିକ ଟିକସ ଜରିଆରେ କେନ୍ଦ୍ରର ବିଜେପି ସରକାର ୨୬ ଲକ୍ଷ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଏହି ସଂଗଠିତ ଲୁଟ୍ ଜାରି ରହିଛି, ଯେହେତୁ ଗତ ୯ ଦିନରେ ଇନ୍ଧନ ମୂଲ୍ୟ ଅଷ୍ଟମ ଥର ବଢ଼ିଛି ! ”

ଆଜି ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଦର ବଢ଼ାଇ ଲୋକଙ୍କୁ ଝଟକା ଦେଇଛନ୍ତି | ଗତ ନଅ ଦିନ ମଧ୍ୟରେ ଏହା ଅଷ୍ଟମ ବୃଦ୍ଧି | ଆଜି ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ବଢ଼ିଛି | ଏହା ସହିତ ତେଲ ଏହି ନଅ ଦିନରେ ଲିଟର ପିଛା ୫.୬୦ ଟଙ୍କା ମହଙ୍ଗା ହୋଇଛି | ଦିଲ୍ଲୀରେ ଆଜି ଏକ ଲିଟର ପେଟ୍ରୋଲ ପିଛା ୧୦୧.୦୧ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି | ଡିଜେଲ ଲିଟର ପିଛା ୯୨.୨୭ ଟଙ୍କା ହୋଇଛି | ମୁମ୍ବାଇରେ ପେଟ୍ରୋଲ ୮୪ ପଇସା ଏବଂ ଡିଜେଲ ପିଛା ୮୫ ପଇସା ମହଙ୍ଗା ହୋଇଛି। ମଙ୍ଗଳବାର ଦିନ ମଧ୍ୟ ତେଲଦର ବଢିଥିଲା । ପେଟ୍ରୋଲ ୮୦ ପଇସା ଏବଂ ଡିଜେଲରେ ଲିଟର ପିଛା ୭୦ ପଇସା ମହଙ୍ଗା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି | ତେବେ ୧୧୪ ଡଲାର ଟପିଥିବା ବ୍ରେଣ୍ଟ କ୍ରୁଡ୍ ମଙ୍ଗଳବାର ବ୍ୟାରେଲ ପିଛା ୧୦୬ ଡଲାରକୁ ଖସି ଆସିଥିଲା ।

Comments are closed.