ନିଶା ମାଫିଆଙ୍କୁ ସାବାଡ଼ କରିବ ଏସଟିଏଫ୍, ଜବତ ହେବ ସମ୍ପତ୍ତି

ଭୁବନେଶ୍ୱର: କେବଳ ଗିରଫଦାରୀ କିମ୍ବା ନିଷିଦ୍ଧ ସାମଗ୍ରୀ ଜବତରେ ସୀମିତ ରହିବନି କାର୍ଯ୍ୟାନୁଷ୍ଠାନ। କେବଳ ଯେ ନିଶା ସାମଗ୍ରୀ ଚୋରାଚାଲାଣକାରୀ କିମ୍ବା ସେମାନଙ୍କ ସହଯୋଗୀ ହାଜତ ମଧ୍ୟରେ ବନ୍ଧା ହେବେନି ବରଂ ନିଶା ମାଫିଆ ମଧ୍ୟ ଜେଲର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହେବେ। ବେଆଇନ ଚାଲାଣରେ ବ୍ୟବହୃତ ଯାନବାହନ ଓ ନିଶା ସାମଗ୍ରୀ କେବଳ ଧରା ହେବନି ବରଂ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍)। ରାଜ୍ୟରେ ନିଶା ଦଲାଲ ଓ ମାଫିଆଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଏସଟିଏଫ୍। ସେଥିପାଇଁ ନିଶା କାରବାର ଦ୍ବାରା ଅର୍ଜିତ ସମ୍ପତ୍ତିକୁ ଜବତ କରି ମାଫିଆମାନଙ୍କ ସାମ୍ରାଜ୍ୟକୁ ଧ୍ବସ୍ତ କରିବାକୁ ଯୋଜନା କରିଛି ଏସଟିଏଫ୍। ଏହି କ୍ରମରେ ଜଣଙ୍କ ପରେ ଜଣେ ନିଶା ମାଫିଆଙ୍କ ସମ୍ପତ୍ତି ଜବତ କରିବାକୁ ପଦକ୍ଷେପ ଗ୍ରହଣ କରୁଛି ଓଡ଼ିଶାର ସ୍ବତନ୍ତ୍ର ଟାସ୍କ ଫୋର୍ସ।

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଛଚିନାର କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ରସେନ ପରିଡ଼ା ଉପରେ ଏବେ କାର୍ଯ୍ୟାନୁଷ୍ଠାନ ଜାଲ ବିଛାଇଛି ଏସ୍‌ଟିଏଫ୍। ତାର ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଏବେ ସିଜ୍ କରିବାକୁ କୋଲକତାସ୍ଥିତ କମ୍ପିଟେଣ୍ଟ୍‌ ଅଥରିଟୀକୁ ପତ୍ର ଲେଖିଛି ଏସଟିଏଫ୍। ଏହି ସମ୍ପତ୍ତି ମଧ୍ୟରେ ରହିଛି ୧.୮୫ କୋଟି ଟଙ୍କାର ଦୁଇଟି ମୂଲ୍ୟବାନ କୋଠା, ଗୋଟିଏ ମିନି ବସ୍, ଗୋଟିଏ କାର୍, ଅନେକ ଜମି ଓ ବ୍ୟାଙ୍କ୍ ଡିପୋଜିଟ୍। କୋଠାର ନିର୍ଦ୍ଦିଷ୍ଟ ମୂଲ୍ୟ ଆକଳନ କରାଯାଇଥିବା ବେଳେ ଅନ୍ୟ ସମ୍ପତ୍ତି ବାବଦରେ ଆକଳନ ଜାରି ରହିଛି। ତେବେ ଏତିକିରେ ସୀମିତ ରହିନି ଏସଟିଏଫ୍। ଗୁଜରାଟ ରାଜ୍ୟର ସୁରଟ ସମେତ ଆଉ କିଛି ସ୍ଥାନରେ ଚିତ୍ରସେନଙ୍କ ଗଞ୍ଜେଇ କାରବାରରୁ ଉପାର୍ଜିତ ବେଆଇନ ସମ୍ପତ୍ତି ରହିଥିବା ଅନୁମାନ କରାଯାଉଛି। ଏଣୁ ସେସବୁକୁ ମଧ୍ୟ ଜବତ କରି ଏହି ନିଶା ମାଫିଆକୁ ସାବାଡ଼ କରିବାକୁ ଯୋଜନା ରଖିଛି ଏସଟିଏଫ୍। ଏଥିପାଇଁ ଗୁଜରାଟ ପୋଲିସ ସହ ଯୋଗାଯୋଗ କରିଛି ଓଡ଼ିଶା ପୋଲିସ ତଥା ଏସଟିଏଫ୍।

ଉଲ୍ଲେଖଯୋଗ୍ୟ ଯେ- ଗତବର୍ଷ ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟାଲ୍‌ର ବିପୁଳ ଗଞ୍ଜେଇ, ଗୋଟିଏ ଟ୍ରକ୍ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇ ଥିଲା। ଏ ନେଇ କେସ୍ ନମ୍ବର ୨୯ / ୨୦୨୧ ରୁଜୁ କରାଯାଇ ଗଞ୍ଜେଇ କାରବାରଜନିତ ଆର୍ଥିକ ଦିଗ ଉପରେ ତନାଘନା ଆରମ୍ଭ କରାଯାଇ ଥିଲା। ସେହି କ୍ରମରେ ଏସଟିଏଫ୍ ଏହି ବିପୁଳ ପରିମାଣର ସମ୍ପତ୍ତି ବାବଦରେ ତଥ୍ୟ ହାସଲ କରିପାରି ଥିଲା। ଚିତ୍ରସେନକୁ ଉକ୍ତ କେସ୍‌ରେ ୧୦.୩.୨୨ ତାରିଖରେ ବାଲେଶ୍ବରରୁ ଗିରଫ କରାଯାଇ ଥିଲା। ଚିତ୍ରସେନ ବିରୋଧରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ଗୋଟିଏ ଏବଂ ଗୁଜରାଟ ରାଜ୍ୟର ସୁରଟର ବିଭିନ୍ନ ଥାନାରେ ୩ଟି ନିଷିଦ୍ଧ ନିଶା କାରବାର ସମ୍ପର୍କିତ କେସ୍ ତଦନ୍ତାଧୀନ ରହିଛି। ଏସବୁ ମାମଲାରେ ପୋଲିସ ଚିତ୍ରସେନକୁ ଖୋଜୁଥିବା ବେଳେ ଏବେ ତାକୁ କାବୁ କରାଯାଇ ପାରିଛି। ଏହାପରେ ନିଶା କାରବାର ପ୍ରତିରୋଧ ଆଇନ ବା ଏନ୍‌ଡିପିଏସ୍ ଆକ୍ଟ ବଳରେ ନିଶା ମାଫିଆଙ୍କ ସମ୍ପତ୍ତି ଜବତ ପାଇଁ ପଦକ୍ଷେପ ଗ୍ରହଣ କରିଛି ଏସଟିଏଫ୍।

ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଗଞ୍ଜେଇ ମାଫିଆ ଅନିଲ ପାଣ୍ଡି, ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ରାଧାକାନ୍ତ ନାୟକର ସମ୍ପତ୍ତି ଜବତ ପାଇଁ ମଧ୍ୟ କୋଲକତାର କମ୍ପିଟେଣ୍ଟ୍‌ ଅଥରିଟୀକୁ ଅବଗତ କରାଯାଇଛି। ଅଡ଼ବା ଥାନା ରାଇପଙ୍କା ଗ୍ରାମର ରାଧାକାନ୍ତର ୧ କୋଟି ୧୭ ଲକ୍ଷ ୫୭ ହଜାର ଟଙ୍କାର ସମ୍ପତ୍ତି ଜବତ ପାଇଁ ପଦକ୍ଷେପ ଗ୍ରହଣ କରିଥିଲା ଏସଟିଏଫ୍। ଏହି ସମ୍ପତ୍ତି ମଧ୍ୟରେ ରାଇପଙ୍କା ଗ୍ରାମର ସରକାରୀ ଜମିରେ ନିର୍ମିତ ଘର, ବ୍ରହ୍ମପୁର ଆଙ୍କୁଲିରେ ଥିବା କୋଠା ଘର, ଗୋଟିଏ ଦାମୀ କାର୍ ଓ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ଅର୍ଥରାଶି ଜବତ କରାଯାଇ ଥିଲା।

Comments are closed.