‘ଚୀନ୍ ଆକ୍ରମଣ କଲେ ରୁଷ୍ ତୁମକୁ ବଞ୍ଚାଇବାକୁ ଆସିବନି’ – ଭାରତକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମୁଦାୟର‌ କଟକଣା ସତ୍ତ୍ୱେ ରୁଷ ସହ ବ୍ୟାବସାୟିକ କାରବାର ଜାରି ରଖିଥିବାରୁ ଭାରତକୁ ଆମେରିକା ଚେତାବନୀ ଦେଇଛି । ଆମେରିକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ ସିଂ ଗୁରୁବାର ଦିଲ୍ଲୀରେ ପହଞ୍ଚିବା ପରେ କହିଛନ୍ତି ଯେ ଯଦି ଚୀନ୍ ଏଲ୍ଏସି ଉପରେ ଆକ୍ରମଣ କରେ, ତେବେ ରୁଷ ଭାରତକୁ ବଞ୍ଚାଇବାକୁ ଆସିବ ନାହିଁ। ଭାରତ ଏଭଳି ଆଶା କରିବା କଥା ନୁହେଁ ।

ଏକ ଘରୋଇ ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ ଦଲିପ ସିଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ-ଆମେରିକା ସମ୍ପର୍କରେ ପରିବର୍ତ୍ତନ ସହ ଜଡିତ ପ୍ରଶ୍ନର ଉତ୍ତର ଦେବାବେଳେ ଏହା କହିଛନ୍ତି।

ସେ କହିଛନ୍ତି ଯେ ରୁଷ ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ଭାଗିଦାରୀ ଅପେକ୍ଷା ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ଦଶଗୁଣ ଅଧିକ ବଡ଼।

ଦିଲିପ୍ ସିଂ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ମତ ରଖି କହିଛନ୍ତି ଯେ ଏହି ଅଞ୍ଚଳରେ ପରିସ୍ଥିତି ବଦଳୁଛି | ସେ କହିଛନ୍ତି, “ରୁଷ ଏହାର ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭାଗିଦାରୀ ବୋଲି ଚୀନ୍ କହିଆସିଛି ।

ଏବଂ ଏହି ଭାଗିଦାରୀରେ ରୁଷ ଯେମିତି ଏକ ଜୁନିଅର ପାର୍ଟନରର ସ୍ଥାନ ନେବ, ରୁଷ ଉପରେ ଚୀନର ଚାପ ବୃଦ୍ଧି ପାଇବ | ଏବଂ ଏହାଋ ସହିତ ଭାରତ ପାଇଁ ସ୍ଥିତି ପ୍ରତିକୂଳ ହେବାରେ ଲାଗିବ | ଯଦି ଚୀନ୍ ଏଲ୍ଏସି ଉଲ୍ଲଂଘନ କରି ଭାରତ ସୀମାରେ ପଶେ, ତେବେ ରୁଷ ଭାରତକୁ ସାହାଯ୍ୟ କରିବାକୁ ଆଗକୁ ଆସିବ ବୋଲି କେହି ଭାବିପାରିବେ କି ? ମୁଁ ସେପରି ଭାବୁନାହିଁ ବୋଲି ଦଲିପ୍ ସିଂ କହିଛନ୍ତି ।

ରୁଷ ଉପରେ ଆମେରିକା ପକ୍ଷରୁ କଟକଣାର ନେତୃତ୍ବ ନେଉଥିବା ଦଲିପ୍ ସିଂ ଜଣେ ଭାରତୀୟ ବଂଶୋଦ୍ଭବ । ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଭାରତରେ ପହଞ୍ଚିଥିବା ବେଳେ ଭାରତକୁ ଦଲିପ ସିଂଙ୍କ ପରୋକ୍ଷ ଚେତାବନୀ ଚର୍ଚ୍ଚାର ବିଷୟ ହୋଇଛି। ଲାଭ୍ରୋଭ ଦୁଇ ଦିନିଆ ଭାରତ ଗସ୍ତରେ ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି ।

Comments are closed.