ଆଓସିଏଲ ପାଇପ୍ ଲାଇନରୁ ତେଲ ଚୋରି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ

ସମ୍ବଲପୁର: ଦୀର୍ଘ ବର୍ଷ ଧରି ଆଇସିଏଲ୍ ପାଇପ୍ ଲାଇନରୁ ତେଲ ଚୋରି କରୁଥିବା ଗ୍ୟାଙ୍ଗର ଶେଷରେ ପର୍ଦ୍ଦାଫାସ କରିବାରେ ପୁଲିସ ସଫଳ ହୋଇଛି। ଏହାର ମାଷ୍ଟର ମାଇଣ୍ଡକୁ ଆଜି ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୋଳ ହେମସରପଡାର ସୋନୁ କୁମାର ଜେନା (32)।

କିଛି ମାସ ପୂର୍ବରୁ ଆଓସିଏଲ ପାଇପ୍ ଲାଇନର ରେଢ଼ାଖୋଲ ଥାନା କରଡାପାଳ ଗ୍ରାମ ନିକଟରୁ ଗିରଫ ଅଭିଯୁକ୍ତ ମାଫିଆଙ୍କ ସହିତ ମିଶି ପାଇପ ଲାଇନରେ ଗାତ ଖୋଲି ତେଲ ଚୋରି ଉଦ୍ୟମ କରୁଥିଲେ। ହେଲେ ପୁଲିସ ଏନେଇ ସୂଚନା ପାଇ ଘଟଣାସ୍ଥଳରେ ଚଢାଉ କରିବା ବେଳେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ହେଲେ ଚୋରିରେ ବ୍ୟବହୃତ ସାମଗ୍ରୀ ଛାଡି ଯାଇଥିଲେ। ଏନେଇ ଆଇଓସିଏଲ୍ ଆସିଷ୍ଟାଣ୍ଟ ମ୍ୟାନେଜର ଶୁଭ୍ରଜିତ ଜେନା ରେଢାଖୋଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଉ ଘଟଣା ସ୍ଥଳରୁ ବେଲଡିଂ ମେସିନ, ଜେନରେଟର ସମେତ ବିଭିନ୍ନ ଯନ୍ତ୍ରାଂଶ ଜବତ କରି ତଦନ୍ତ ଜାରି ରଖିଥିଲା।
ସେପଟେ, ମାଫିଆମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସ୍ଥାନ ପରିବର୍ତ୍ତନ କରିବା ସହିତ ମୋବାଇଲ ଓ ନମ୍ବର ମଧ୍ୟ ପରିବର୍ତ୍ତନ କରୁଥିଲେ। ତେଲ ଚୋରିର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୋନୁ କୁମାର ଗିରଫରୁ ବର୍ତ୍ତିଯିବା ପାଇଁ ଆଜି ଝାରସୁଗୁଡାରୁ ଦିଲ୍ଲୀ ଫେରାର ହେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ପୁଲିସ ମୋବାଇଲ ଟ୍ରାକିଂ କରି ତାଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ପଚାରା ଉଚୁରା ବେଳେ ସୋନୁ କୁମାର ତେଲ ଚୋରି ଜ୍ଞାନ କୌଶଳ ଜଣାଥିବା ଉତ୍ତରପ୍ରଦେଶର ମାଫିଆ ଓ ସ୍ଥାନୀୟ ଦୁର୍ବୃତ୍ତଙ୍କ ସହିତ ମିଶି ପାଇପ ଲାଇନରୁ ତେଲ ଚୋରି କରୁଥିବା ପୁଲିସକୁ କହିଥିଲା। ଚୋରି ତେଲକୁ ଖୁଣ୍ଟୁଣି ଓ ତାଳଚେର ଅଞ୍ଚଳରେ ବିକ୍ରି କରୁଥିଲେ। ଏହି ମାଫିଆ ମାନେ ଏହି ଥାନା ଅନ୍ତର୍ଗତ ଖଜୁରୀଝରଣ ଗ୍ରାମ ନିକଟସ୍ଥ ପାଇପ ଲାଇନରୁ 2ଟି ଟ୍ୟାଙ୍କରରେ 38 ହଜାର ଲିଟର ଡିଜେଲ ଚୋରି କରିବାରେ ସକ୍ଷମ ହୋଇଥିଲେ। ଏଥିସହିତ ଏମାନେ ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡା, ବରଗଡ ଓ ରେଢ଼ାଖୋଲ ଅଞ୍ଚଳରୁ ବିଭିନ୍ନ ସମୟରେ ତେଲ ଚୋରି କରୁଥିବା ଅଭିଯୁକ୍ତ ସୋନୁ କୁମାର ପୁଲିସ ଆଗରେ ସ୍ବୀକାର କରିଥିବା ପ୍ରକାଶ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ କିଛିଦିନ ପୂର୍ବରୁ କତରବଗା ପୁଲିସ 4ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ତାଲଛେର ଥାନା ବଡଦାଣ୍ଡା ସାହିର ଦିବ୍ୟ ସାମଲ (27), ଅନୁଗୋଳର କୁମଣ୍ଡ ଗ୍ରାମର ଲିପକ କୁମାର ସାହୁ (29), ଉତ୍ତରପ୍ରଦେଶ ମେନପୁରୀ ଜିଲ୍ଲା କିସିନି ଥାନା ଉବାୟନ ଗ୍ରାମର ସୁଖେନ୍ଦ ସିଂ (35), କୌନଜ ଜିଲ୍ଲା ଛେବ୍ରାମାଉ ଗ୍ରାମର ସୁନିଲ କୁମାର ଶର୍ମ।। ଏହି ମାମଲାରେ ଅନ୍ୟ 7ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ଚୋରି ତେଲ କିଣିଥିବା 2 ଅଭିଯୁକ୍ତ ଫେରାର ଥିବା ଏସଡିପିଓ ପ୍ରଶାନ୍ତ କୁମାର ମେହେର ସୂଚନା ଦେଇଛନ୍ତି।

Comments are closed.