ବନ୍ଦୀଙ୍କ ମୃତ୍ୟୁର ପ୍ରତିବାଦ, ଗୋଚ୍ଛାପଡ଼ାରେ ରାସ୍ତା ଅବରୋଧ

ଫୁଲବାଣୀ: ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତି ଅଭିଯୋଗରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ପୋଲିସ ପାହିରାଜୁ ପଞ୍ଚାୟତର ଜ୍ରାକିକେତା ଗ୍ରାମର ମୃତ୍ୟୁଞ୍ଜୟ କହଁରଙ୍କୁ ଗୁରୁବାର ଗିରଫ କରି ନେଇଥିଲା। ତେବେ ହାଜତ ମଧ୍ୟରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଖବର ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତା ଉପରକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ୩/୪ଟି ପଞ୍ଚାୟତବାସୀ ସଂଘବଦ୍ଧ ହୋଇ ଆଜି ସକାଳୁ ଗୋଚ୍ଛାପଡା ଥାନା ଘେରାଉ କରିଛନ୍ତି।

ଗିରଫ ଅଭିଯୁକ୍ତଙ୍କ ଜେଲ ହାଜତରେ ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀମାନେ ଫୁଲବାଣୀ-ଗୋଚ୍ଛାପଡ଼ା- କଣ୍ଟାମାଳ ରାସ୍ତାରୋକ କରିଛନ୍ତି। ମୃତ୍ୟୁଞ୍ଜୟଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗତ ୩୧ ତାରିଖ ଦିନ ଘରୁ ଗିରଫ କରି ନେଇଥିଲା ପୁଲିସ। କୋର୍ଟଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଦିନକ ପରେ ମୃତ୍ୟୁଞ୍ଜୟ ଅସୁସ୍ଥ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇଥିଲେ ପରିବାରବର୍ଗ। ପତ୍ନୀ କେତକୀ ବ୍ରହ୍ମପୁର ଯାଇ ସ୍ବାମୀଙ୍କୁ ଦେଖି ଫେରିଥିଲେ। ତେବେ ୨ ତାରିଖରେ ହଠାତ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସନ୍ଦେହ ଜନକ ମୃତ୍ୟୁ ପ୍ରତିବାଦରେ ଆଖପାଖ ଗାଁ ଲୋକ ରାସ୍ତା ଅବରୋଧ କରି ରଖିଛନ୍ତି। ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥା ଅନୁଧ୍ୟାନ କରିଛନ୍ତି । ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚମାନେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଫିରିଙ୍ଗିଆ ତହସିଲଦାର ପୁନମ ରାଉତ, ବିଡିଓ ରଶ୍ମିରଞ୍ଜନ ମହନ୍ତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Comments are closed.