ପୃଥିବୀ ପୃଷ୍ଠରୁ ବିଲୁପ୍ତ ପରମ ପାବନୀ ସରସ୍ୱତୀ ନଦୀ।ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ

ସରସ୍ୱତୀ ନଦୀର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଏହି ହୃତ ନଦୀକୁ ପୁଣି ଲୋକଲୋଚନକୁ ଆଣିବା ପାଇଁ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଅଞ୍ଚଳର ଗବେଷଣା ଓ ସାଟେଲାଇଟ୍ ଚିତ୍ର ସହାୟତାରେ ଶୁଷ୍କ ନଦୀଶଯ୍ୟାର ନିରୂପଣ ହୋଇପାରିଛି ବୋଲି ହରିଆଣା ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରକାଶ । ଯମୁନା ନଗର ନିକଟବର୍ତ୍ତୀ ଅଞ୍ଚଳରେ ଶୁଷ୍କ ନଦୀଶଯ୍ୟାର ଖନନରୁ ସେଠାରେ ପାଣିର ସନ୍ଧାନ ମିଳିଛି । ଏଥିପାଇଁ ‘ସରସ୍ୱତୀ ପରମ୍ପରା ବିକାଶ ବୋର୍ଡ’ ର ଗଠନ କରାଯାଇଛି । ତା୩୦ ଜୁଲାଇ ୨୦୧୬ରିଖ ଦିନ ଏହି ଶୁଷ୍କ ଶଯ୍ୟାରେ ଯମୁନା ନଗରର ଉଂଚା ଚନ୍ଦନା ଗ୍ରାମ ପାଖରୁ ୧୦୦ କ୍ୟୁସେକ୍ ପାଣି ଛଡାଗଲା । ୪୦ କି.ମି. ଦୂରରେ ଅବସ୍ଥିତ କୁରୁକ୍ଷେତ୍ର ପର୍ଯ୍ୟନ୍ତ ଶଯ୍ୟାରେ କୌଣସି ପ୍ରତିବନ୍ଧକ ଅଛି ନା ନାହିଁ ଜାଣିବା ପାଇଁ ଏପରି ପରୀକ୍ଷା କରାଯାଇଥିଲା ।

ସରସ୍ୱତୀର ପରିଚୟର ସନ୍ଧାନ। ଏହି ବିଷୟରେ ଦୁଇଟି ମତ ଉଲ୍ଲିଖିତ ଅଛି । ପ୍ରଥମ ମତାନୁସାରେ ଘଗ୍ଗର-ହାକ୍ରା ନଦୀ ହିଁ ସରସ୍ୱତୀ ନଦୀ । ଅନ୍ୟ ଏକ ମତାନୁସାରେ ଆଫଗାନିସ୍ଥାନର ହିନ୍ଦୁକୁଶ ପର୍ବତରୁ ବାହାରିଥିବା ହେଲମାଣ୍ଡ ନଦୀ ହିଁ ସରସ୍ୱତୀ ନଦୀ ।

ଋକବୈଦିକ ସରସ୍ୱତୀ:- ସରସ୍ୱତୀ, ଦୃଶଦ୍ୱତୀ ଓ ଆପୟା ନଦୀର ଗତିପଥ, ଉପନଦୀମାନେ ସରସ୍ୱତୀର ସ୍ରୋତକୁ ସମୃଦ୍ଧ କରିବା, ସରସ୍ୱତୀକୁ ସପ୍ତ ସିନ୍ଧୁର ଅଂଶ ବୋଲି ବିବେଚିତ କରିବା, ନଦୀସ୍ତୁତି ଶୁକ୍ତରେ ନଦୀମାନଙ୍କ ସ୍ଥିତି ବର୍ଣ୍ଣନାର ଅବଲୋକନ କଲେ ସରସ୍ୱତୀ ନଦୀର ଗତିପଥ ସହିତ ବର୍ତ୍ତମାନ ସମୟର ଘଗ୍ଗର୍-ହାକ୍ରା ନଦୀର ଭୌଗୋଳିକ ସ୍ଥିତି ଏକ ବୋଲି ଜଣାପଡେ ।

ଅନ୍ୟ ପକ୍ଷରେ ଆଫଗାନିସ୍ଥାନର ହେଲମାଣ୍ଡ୍ ନଦୀ ସହିତ ସମ୍ପୃକ୍ତ କେତେକ ସଂକେତ ମଧ୍ୟ ଋକବେଦରେ ରହିଛି । ଋକବେଦରେ ସରସ୍ୱତୀକୁ ଚିରସ୍ରୋତା ବୋଲି କୁହାଯାଇଛି । ଘଗ୍ଗର୍-ହାକ୍ରାର ନଦୀଶଯ୍ୟା ମୌସୁମୀ ବର୍ଷାଦ୍ୱାରା ପ୍ଳାବିତ ହୁଏ । ଅନ୍ୟ ସମୟରେ ଏହା ଶୁଷ୍କ ଥାଏ । ଅପରପକ୍ଷେ ହେଲମାଣ୍ଡରେ ସର୍ବଦା ଜଳଧାରା ରହିଥାଏ । ଋକବେଦରେ ଥିବା ସମସ୍ତ ସରସ୍ୱତୀ ବର୍ଣ୍ଣନା ମଧ୍ୟରୁ ସର୍ବପ୍ରଥମେ ରଚିତ ଶ୍ଳୋକ ହେଲମାଣ୍ଡ ସହ ସାମଞ୍ଜସ୍ୟ ସୂଚାଏ । ଏହି ନଦୀ ଆୱେସ୍ତାରେ ହରଖ୍ୱତୀ ନାମରେ ପରିଚିତ ।

ପାହାଡ ଓ ପର୍ବତ ଗହ୍ୱରେ ସରସ୍ୱତୀ ନଦୀର ଜନ୍ମ ବୋଲି ଋକବେଦରେ ବର୍ଣ୍ଣିତ ।

Comments are closed.