ତିବ୍ବତୀୟଙ୍କ ନବୀନଙ୍କୁ କୃତଜ୍ଞତା

ନୂଆଦିଲ୍ଲୀ: ତିବ୍ବତୀୟଙ୍କ ଓଡ଼ିଶା ସହ ସମ୍ପର୍କ ବେଶ୍ ପୁରାତନ। ଏକ ବିଦେଶ ମାଟିରୁ ଆସିଥିବା ଏହି ଶରଣାର୍ଥୀମାନଙ୍କୁ କେବଳ ଯେ ଓଡ଼ିଶାରେ ଅତିଥି ଭାବେ ସ୍ଵାଗତ କରାଯାଇ ଥିଲା ତାହ ନୁହେଁ, ଏଥିସହ ସେମାନଙ୍କୁ ଏଇ ମାଟିର ସନ୍ତାନ ଭଳି ଏଠି ଆଦର ସତ୍କାର ସହ ରହିବାକୁ ଦିଆଯାଇ ଥିଲା। ସେହି ଆତିଥେୟତା ହେତୁ ତିବ୍ଦତୀୟମାନେ ସଦା ଓଡ଼ିଶା ମାଟି ପ୍ରତି କୃତଜ୍ଞ ରହିଛନ୍ତି। ତେବେ ଅନେକ ବର୍ଷ ରହଣୀ ସତ୍ତ୍ଵେ ତିବ୍ଦତୀୟମାନଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ବିଶେଷ ସୁଧାର ଆସିପାରି ନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ ତିଦ୍ଦତୀୟମାନେ ଅପେକ୍ଷାକୃତ ଅଧିକ ସୁବିଧା ସୁଯୋଗ ପାଇ ସ୍ଵଚ୍ଛନ୍ଦରେ ଜୀବନଯାପନ କରିବାରେ ସକ୍ଷମ ହୋଇପାରିଛନ୍ତି। କୃଷି କୁହନ୍ତୁ ବା ବ୍ୟବସାୟ, ଆଧ୍ୟାତ୍ମିକ ଭାବନା କୁହନ୍ତୁ ବା ସାମାଜିକ ପ୍ରତିଷ୍ଠା, ତିବ୍ବତୀୟମାନେ ପୂର୍ବାପେକ୍ଷା ଅଧିକ ସୁରୁଖୁରୁରେ ଜୀବନଯାପନ କରିବାରେ ସମର୍ଥ ହୋଇପାରୁଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ବାରମ୍ବାର ଜ୍ଞାପନ କରିଛନ୍ତି।

ତିବ୍ବତ ସଂସଦ ଉପବାଚସ୍ପତି ଖମ୍ବେ ସୁନୋମ ତମ୍ପେଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିକଟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଏହି ପ୍ରତିନିଧି ଦଳ ତିବ୍ବତରେ ରହୁଥିବା ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ବସବାସ କରୁଥିବା ତିବ୍ଦତୀୟ ଶରଣାର୍ଥୀମାନଙ୍କ ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ। ଚନ୍ଦ୍ରଗିରି ଅଞ୍ଚଳରେ ଦୀର୍ଘ ଦିନ ହେଲା ତିବ୍ବତୀୟ ଶରଣାର୍ଥୀମାନେ ବସବାସ କରି ଆସୁଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେଇ ସମାଧାନ କରିଛନ୍ତି। ତେଣୁ ତିବ୍ଦତୀୟମାନେ ରାଜ୍ୟ ସରକାରଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ ତିବ୍ବତୀୟମାନେ ରହୁଥିବା ଚନ୍ଦ୍ରଗିରିରେ ଦକ୍ଷିଣ ଏସିଆ ମହାଦେଶର ସର୍ବବୃହତ୍ ତଥା ସର୍ବୋଚ୍ଚ ବୁଦ୍ଧ ମନ୍ଦିର ନିର୍ମାଣ ସମ୍ପନ୍ନ ହୋଇ ଉଦ୍‌ଘାଟିତ ହୋଇଛି। ତାହା ପୁଣି ଖୋଦ୍ ତିଦ୍ଦତୀୟମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମାଙ୍କ କରକମଳରେ ୨୦୧୦ ମସିହାରେ ଲୋକାର୍ପିତ ହୋଇଥିଲା। ତିବ୍ବତୀୟଙ୍କ ସକାଶେ ସ୍ୱତନ୍ତ୍ର ଆବାସ କଲୋନୀ ପ୍ରତିଷ୍ଠା କରିବା, ସେମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସ୍ବତନ୍ତ୍ର ଅନୁଷ୍ଠାନ ଖୋଲିବା, ସେମାନଙ୍କୁ କୃଷି ଓ ବ୍ୟବସାୟ ସକାଶେ ଉନ୍ନତ ସୁଯୋଗ ଦେଇ ଆସିଛି ବିଜେଡି ସରକାର। ଏହି କାରଣରୁ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛନ୍ଦରେ ରହିଛନ୍ତି ତିବ୍ଦତୀୟ ଶରଣାର୍ଥୀ। ସେମାନେ ନିଜକୁ ଆଉ ଶରଣାର୍ଥୀ ନୁହଁନ୍ତି, ବରଂ ଏଠିକାର ସ୍ଥାୟୀ ବାସିନ୍ଦା ବିଚାର କରୁଛନ୍ତି।

ତଥାପି ସେମାନଙ୍କ ଆଉ କିଛି ସମସ୍ୟା ରହିଯାଇଛି ଯାହାର ସମାଧାନ ପାଇଁ ଏହି ପ୍ରତିନିଧି ମଣ୍ଡଳୀ ବ୍ରହ୍ମପୁର ସାଂସଦଙ୍କ ସହ ଆଲୋଚନା କରିଥିଲେ। ସାଂସଦ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ତିଦ୍ଦତୀୟ ସଂସଦ ପ୍ରତିନିଧି। ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ସେମାନଙ୍କ ସମସ୍ୟା ଶୁଣିବା ସାଙ୍ଗକୁ ତାହାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

Comments are closed.