ପ୍ରାର୍ଥନା ଭୁଲିଗଲେ ବୋଲି ଉଠବସ୍ କରାଇ ଦଣ୍ଡ ଦେଲେ ଶିକ୍ଷକ, ୧୦ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର: ସ୍କୁଲରେ ଦଣ୍ଡ ପାଇ ଅସୁସ୍ଥ ହୋଇପଡିଲେ ଛାତ୍ରୀମାନେ। ପ୍ରାର୍ଥନା ଭୁଲିଯିବାରୁ ସ୍କୁଲର ଛାତ୍ରୀଙ୍କୁ ଉଠବସ୍‌ କରାଇଲେ ସ୍କୁଲର ଭୂଗୋଳ ଶିକ୍ଷକ । ଯାହା ଫଳରେ ୧୦ ଜଣ ଛାତ୍ରୀ ହଠାତ୍‌ ଅଚେତ ହୋଇ ଯାଇଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦି ଗାଁର ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମତେ ଆଜି ସକାଳୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିବା ବେଳେ ପ୍ରାର୍ଥନା ପାଇଁ ସ୍କୁଲ ଶିକ୍ଷକ ସଭିଙ୍କୁ ଏକତ୍ରିତ କରିଥିଲେ । କୋରୋନା ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ଏକପ୍ରକାର ପ୍ରାର୍ଥନା ଭୁଲିଯାଇଥିଲେ । ତେଣୁ ସ୍କୁଲର ଶିକ୍ଷକ ସେମାନଙ୍କୁ ଉଠ୍‌ ବସ୍‌ କରାଇଥିଲେ। ଯାହା ପରେ ୧୦ ଜଣ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ସମସ୍ତ ଛାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ସେପଟେ ଦଶ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଏଯାଏଁ ଉନ୍ନତି ଆସିନଥିବା ବେଳେ ଅନ୍ୟମାନେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ତେବେ ଦଣ୍ଡ ପାଇଁ ନା ଅନ୍ୟକୌଣସି କାରଣରୁ ଏମାନେ ଅଚେତ ହେଲେ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଘଟଣାର ତଦନ୍ତ କରାଯିବ ବୋଲି କହିଥିବା ବେଳେ ଘଟଣାର ତଦନ୍ତ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିର୍ଦେଶ ଦେଇଛନ୍ତି ।

Comments are closed.