ସିପୋର ନିର୍ଦ୍ଦେଶକ ଏରିକ୍ ଟାନଙ୍କ ସହ ଓଏସଡିଏର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ସିଙ୍ଗାପୁର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ସିଙ୍ଗାପୁର – ଭାରତ ସହଭାଗିତା କାର୍ଯ୍ୟାଳୟ ( ସିପୋ ) ତଥା ଇନଷ୍ଟିଟ୍ୟଟନାଲ ଡେଭେଲପମେଣ୍ଟର ନିର୍ଦ୍ଦେଶକ ଏରିକ୍ ଟାନଙ୍କ ସହ ଏକ ପ୍ରତିନିଧ୍ ଦଳ ଆଜି ଓଡିଶା ଦକ୍ଷତା ବିକାଶ ପ୍ରାଧ୍ଵକରଣ ( ଓଏସଡିଏ ) ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଏହି ଅବସରରେ ଓଏସଡିଏ ଅଧ୍ୟକ୍ଷ ବାଗ୍‌ଚୀ କହିଥିଲେ ଯେ ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ତାଲିମପ୍ରାପ୍ତ ସ୍କିଲ ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି ପାଇବାରେ ସିପୋ ସହଯୋଗ କରିବ । ଆଇଟିଆଇ କିମ୍ବା ପଲିଟେକ୍‌ନିକ୍‌ର ପ୍ରଶିକ୍ଷାର୍ଥୀ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି ପାଇବା ଦ୍ଵାରା ସାମାଜିକ ରୂପାନ୍ତରଣ ଆସିପାରିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶାରେ ରାଜ୍ୟ ସରକାର ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ସିପେ ପ୍ରତିନିଧି ଦଳଙ୍କୁ ଷ୍ଟାର୍ଟଅପମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ଓ–ହବ୍ କେନ୍ଦ୍ର ପରିଦର୍ଶନରେ ଯିବା ପାଇଁ ମଧ୍ୟ ବାଗ୍‌ଚୀ କହିଥିଲେ ।

ପାରସ୍ପାରିକ ଲାଭ ପାଇଁ ସିପୋ ରାଜ୍ୟ ସରକାରଙ୍କ ସହିତ ଅର୍ଥନୈତିକ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ସହ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସିପୋର ନିର୍ଦ୍ଦେଶକ ଟାନ ସୂଚନା ଦେଇଥିଲେ । ସିଙ୍ଗାପୁର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଏକ ଅଂଶ ଭାବେ ସିଙ୍ଗାପୁରର ବେସରକାରୀ କ୍ଷେତ୍ରର ତାଲିମ | ସ୍କିଲିଂ ସଂସ୍ଥାଗୁଡ଼ିକରେ ସୁଯୋଗ ଚିହ୍ନଟ କରିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଥିଲେ । ଏହି ପ୍ରତିନିଧ୍ ଦଳ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଓଏସଡିଏ ସିଇଓ ରେଘୁ ଜିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।

ସେହିପରି ୟୁନିସେଫ ଓଡିଶା ମୁଖ୍ୟ ମନିକା ଓ ନିଏଲସେନ ଓଡିଶାର କିଶୋର ଯୁବଗୋଷ୍ଠୀ ତଥା ଅନଗ୍ରସର କିଶୋରୀମାନଙ୍କର ଦକ୍ଷତା ବିକାଶ କରି କିଭଳି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ହେବ ସେ ନେଇ ଓଏସଡିଏ ଅଧ୍ୟକ୍ଷ ବାଗ୍‌ଚୀଙ୍କ ଆଲୋଚନା ଥିଲେ । ବାଗ୍‌ଚୀ ୟୁନିସେଫ ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦକ୍ଷତା ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତଭାବେ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଓଏସଡିଏ ସହ ସହଭାଗିତା କରିବାକୁ ୟୁନିସେଫ ପ୍ରତିନିଧି ଦଳ ଆଶାବ୍ୟକ୍ତ କରିଥିଲେ । ଏହି ଆଲୋଚନା ସମୟରେ ୟୁନିସେଫ କମ୍ୟୁନିଟି ସ୍ପେସିଆଲିଷ୍ଟ ରାଧିକା ଶ୍ରୀବାସ୍ତବ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

Comments are closed.