ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ପୁଲିସ ଛାଉଣୀରେ ସମ୍ବଲପୁର, ମିଳିତ ଫୋର୍ସର ଫ୍ଲାଗମାର୍ଚ୍ଚ

ସମ୍ବଲପୁର : ସାରା ସମ୍ବଲପୁର ଗେରୁଆ ପାଲଟି ଯାଇଛି। ଗୈରିକ ଝଣ୍ଡାରେ ସହର ଆଚ୍ଛାଦିତ ହୋଇଯାଇଛି। ସେପଟେ, ଶତାଧିକ ପୁଲିସ ଅଧିକାରୀଙ୍କ ସହ 30 ପ୍ଲାଟୁନ୍ ଫୋର୍ସ ଦ୍ବାରା ସମ୍ବଲପୁର ଏକପ୍ରକାର ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି। ଆସନ୍ତାକାଲି ପଣା ସଂକ୍ରାନ୍ତୀ ଅବସରରେ ବାହାରିବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଏବର୍ଷ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେପଟେ, ସାଂପ୍ରଦାୟିକ ହିଂସାକୁ ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦ୍ବିତୀୟ ଥର ପାଇଁ ସର୍ବଧର୍ମ ଶାନ୍ତି କମିଟି ବୈଠକ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଆହ୍ବାନ ଦିଆଯାଇଛି। ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ଶକ୍ତି ପ୍ରଦର୍ଶନ ଦିବସ ଭାବେ ଏହାକୁ ପାଳନ କରାଯାଉଥିବା ବେଳେ ଅନେକ ବର୍ଷ ସାଂପ୍ରଦାୟିକ ଗଣ୍ଡଗୋଳ ଘଟିବାର ନଜିର ଥିବାରୁ ପୁଲିସ ଏହାକୁ ଗୁରୁତର ସହ ପରିଚାଳନା କରୁଛି। ସେପଟେ, ଗତକାଲି ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ବିଶାଳ ବାଇକ୍ ରାଲି ବେଳେ ବି ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବାରୁ ଆଜି ରାତିରୁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ପ୍ରତିବର୍ଷ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ପଣା ସଂକ୍ରାନ୍ତୀରେ ବିଶାଳ ହିନ୍ଦୁ ଶୋଭାଯାତ୍ରା ବାହାରିଥାଏ। ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହିତ ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ବାହାରି ଶକ୍ତି ପ୍ରଦର୍ଶନ ସହିତ ଆଖଡା ପ୍ରଦର୍ଶନ କରିଥାନ୍ତି। ତେବେ, ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ ପୁଲିସ ପ୍ରଶାସନ ବାରଣ କରୁଥିବା ଏହାକୁ ନେଇ ପ୍ରତିବର୍ଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଆସୁଛି। ଏପରିକି ପୂର୍ବରୁ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଅଧିକାଂଶ ବର୍ଷ ଖଣ୍ଡା ବୁଲାଇ ଜେଲ୍ ଯିବା ଯାଏ କଥା ଯାଇଛି। ତେବେ କୋଭିଡ୍ କଟକଣା ଯୋଗୁଁ 2 ବର୍ଷ ଧରି ଏହି ଶୋଭାଯାତ୍ରା ବନ୍ଦ ଥିବା ବେଳେ ଏବର୍ଷ ଭବ୍ୟ ଆୟୋଜନ କରାଯାଇଛି। ଏଥର ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ବି ଏହି ଶୋଭାଯାତ୍ରାରେ ସାମିଲ ହେଉଛନ୍ତି। ଏଥିପାଇଁ ସମ୍ବଲପୁର ସହର ସାରା ଗୈରିକ ଝଣ୍ଡା ଲାଗିଥିବା ବେଳେ ଡାକବାଜିରେ ସହର ସାରା ହନୁମାନ ଚାଲିଶା ପାଠ ଚାଲିଛି।

ମୋଟ୍ ଉପରେ ସହରର ବିଭିନ୍ନ ସ୍ଥାନରୁ 9ଟି ଶୋଭାଯାତ୍ରା ଦଳ ଆସୁଥିବା ବେଳେ ସବୁ ଦଳ ଜିଲ୍ଲା ସ୍କୁଲ ଛକରେ ଏକାଠି ହୋଇ ଗୋଲବଜାର ପର୍ଯ୍ୟନ୍ତ ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ, ଏହାକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ସମ୍ବଲପୁର ଏସପିଙ୍କ ନେତୃତ୍ବରେ 2 ଜଣ ଅତିରିକ୍ତ ଏସପି, 32 ଜଣ ଇନ୍ସପେକ୍ଟର, 150 ଜଣ ଏସ୍ଆଇ, ଏଏସ୍ଆଇ ସମେତ ମୋଟ୍ 30 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଫୋର୍ସ ଆଜି ରାତିରୁ ସହରର ସବୁ ସ୍ଥାନରେ ମୁତୟନ ହୋଇସାରିଛନ୍ତି।
ସେପଟେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସର୍ବଧର୍ମ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଏହି ଶୋଭାଯାତ୍ରାକୁ ଯେପରି ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରାଯିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

Comments are closed.