ମହୁଲ ଚୋରକୁ ଜଗିଥିଲେ ଅବକାରୀ କର୍ମଚାରୀ, ଡ଼କାୟତ ଭାବି ଗୋଡାଇଲେ ଗ୍ରାମବାସୀ

ବରଗଡ: ବେଆଇନ ମହୁଲ ଚାଲାଣକାରୀଙ୍କୁ ଧରିବା ପାଇଁ ବିଲମ୍ବିତ ରାତ୍ରିରେ କାର୍ଯ୍ୟରତ ଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି । ଗ୍ରାମବାସୀ ଡକାୟତ ସନ୍ଦେହ କରି ଅବକାରୀ ବିଭାଗର କର୍ମଚାରୀଙ୍କୁ ଗୋଡ଼ାଇବାରୁ କର୍ମଚାରୀମାନେ ତାଙ୍କର କାରକୁ ଛାଡ଼ି ଚାଲିଯାଇଥିଲେ । ଏପଟେ ଉତ୍ୟକ୍ତ ଗ୍ରାମବାସୀ କର୍ମଚାରୀଙ୍କ ଗାଡି ଭାଙ୍ଗି ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲଟ୍‌ ଥାନା ଅନ୍ତର୍ଗତ ତାଳପାଲି ପଞ୍ଚାୟତର ଅଁଳାଭଟା ଗ୍ରାମରେ ପଦ୍ମପୁର ଅବକାରୀ ବିଭାଗର ଏକ ଟିମ ରାତ୍ରି ପ୍ରାୟ ୨ଟାରେ ବେଆଇନ ମହୁଲ ବେପାରୀଙ୍କୁ ଜଗିରହିଥିଲେ । ସେତେବେଳେ ୨ଜଣ ପୁଜାରୀ ପୂଜା କାମ ସାରି ଘରକୁ ଫେରୁ ଥିବାବେଳେ ଅବକାରୀ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଥିଲେ । ମାତ୍ର ଭୟରେ ପୁଜାରୀ ଦ୍ଵୟ ନିକଟସ୍ଥ ଗ୍ରାମକୁ ଚାଲି ଯାଇଥିଲେ ।

ଅବକାରୀ ବିଭାଗ କର୍ମଚାରୀମାନେ ସେମାନଙ୍କୁ ପିଛା କରି ସେହି ଗ୍ରାମରେ ପହଞ୍ଚିଥିଲେ । ପୁଜାରୀ ଦ୍ବୟ ଗ୍ରାମବାସୀଙ୍କୁ ଏକ ଡ଼କାୟତ ଦଳ ପିଛା କରୁଛି ବୋଲି କହିଥିବାରୁ ଗ୍ରାମବାସୀ ଓଲଟା ଅବକାରୀ କର୍ମଚାରୀଙ୍କୁ ଗୋଡାଇ ଥିଲେ । ଫଳରେ କର୍ମଚାରୀମାନେ ତାଙ୍କ କାରକୁ ଛାଡ଼ି ଚାଲିଯିବା ପରେ ଗ୍ରାମବାସୀ ଉକ୍ତ କାରକୁ ଭଙ୍ଗାରୁଜା କରିଥିଲେ । ପରେ ଘଟଣାସ୍ଥଳରେ ଗାଇସିଲଟ୍‌ ଓ ପଦ୍ମପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed.