ସମ୍ବଲପୁର: ଐତିହ୍ୟ ଗୋଟିଏ ଅଞ୍ଚଳ ତଥା ଜାତିର ପରିଚୟ ଜନିତ ସାକ୍ଷ୍ୟ ଅଟେ। ଜାତିକୁ ଆଗାମୀ ଦିନ ପାଇଁ ପ୍ରେରଣା ଯୋଗାଇ ଦେବା ସକାଶେ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକ। ଐତିହ୍ୟ ଯେକୌଣସି ଗ୍ରାମ ବା ସହରର ଠିକଣା। ଏହା ଖଜୁରାହା, କୋଣାର୍କ ଅଥବା ହୁମା ଭଳି ଛୋଟ ଜନବସତିକୁ ମଧ୍ୟ ପ୍ରସିଦ୍ଧ କରିପାରେ। ତେଣୁ ଐତିହ୍ୟ ବାବଦରେ ସଚେତନତା ପ୍ରକାଶ ଜରୁରୀ ବୋଲି ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆଜି ବିଶ୍ବ ଐତିହ୍ୟ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି।
ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରାଜୁ ଅଧ୍ୟକ୍ଷତା କରି କହିଲେ ଯେ ଇତିହାସର ମହତ୍ବ ବାବଦରେ କ୍ରମେ ଅଧିକ ସଚେତନତା ପ୍ରକାଶ ପାଇବାରେ ଲାଗିଲାଣି। ଐତିହ୍ୟ ଇତିହାସର ବଳିଷ୍ଠତମ ସାକ୍ଷ୍ୟ ହୋଇଥିବାରୁ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଅପରିହାର୍ଯ୍ୟ ଅଟେ। ବକ୍ତା ଭାବରେ ଯୋଗଦେଇ ଦୀପକ କୁମାର ପଣ୍ଡା ସମ୍ବଲପୁର ଇତିହାସରେ ଐତିହ୍ୟର ମହତ୍ବ ବାବଦରେ କହିଥିଲେ। ରାଜତନ୍ତ୍ର ଓ ବ୍ରିଟିଶ ଶାସନ କାଳରେ ସମ୍ବଲପୁର ସହରରେ ନିର୍ମିତ ପୂରାତନ କୀର୍ତ୍ତିରାଜି, ଏଗୁଡ଼ିକର ନିର୍ମ।ଣ ଶୈଳୀ ତଥା ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଗତ ଦିନରେ ଲୋପ ପାଇଥିବା ଐତିହ୍ୟ ଗୁଡିକର ବିବରଣୀ ଦେଇ ବର୍ତ୍ତମାନ ଥିବା କୀର୍ତ୍ତିର ସଂରକ୍ଷଣ ଓ ପୁନର୍ବିନ୍ୟାସ କରାଯିବା ଉଚିତ ବୋଲି କହିଥିଲେ। ପି. ଜି. କାଉନସିଲ ଅଧ୍ୟକ୍ଷ ମୋହିନ ମହମ୍ମଦ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।
ବିଶ୍ବବିଦ୍ୟାଳୟର ଉପ-କୁଳସଚିବ ଉମାଚରଣ ପତି ସଭାର ପରିଚାଳନା କରିଥିଲେ। ଅଧ୍ୟାପକ ପରମତାପ ପ୍ରଧାନ ସ୍ବାଗତ ଭାଷଣ, ଇତିହାସ ବିଭାଗ ମୁଖ୍ୟ ପ୍ର. ଅତୁଲ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ଓ ଅଧ୍ୟାପିକା ସସ୍ମିତା ଶାସନୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.