ସୌରଶକ୍ତିରେ ଚାଲିବ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭୁବନେଶ୍ବର – ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଣିକି ସୌର ଶକ୍ତିରେ ପରିଚାଳିତ ହେବ। କାର୍ବନ ନିର୍ଗମନକୁ କମାଇବା ସହିତ ସବୁଜ ଶକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏ ପରିପ୍ରେକ୍ଷୀରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ଛାତ ଉପରେ ‌ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି।

ଏହି ବ୍ୟବସ୍ଥାରେ ଅନ୍‌ଗ୍ରିଡ୍‌ ସୌର ପ୍ରକଳ୍ପ ସହିତ ରିମୋଟ୍‌ ମନିଟରିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ହେବ। ଯାହାଫଳରେ ଚିକିତ୍ସାଳୟରେ ଶକ୍ତିର ଆବଶ୍ୟକତା ଓ ବ୍ୟବହାର ସଂପର୍କରେ ଜାଣିବା ସମ୍ଭବ ହୋଇପାରିବ। ଓରେଡା ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ୧ କିଲୋୱାଟ୍‌ ସୌର ଶକ୍ତି ପାଇଁ ୧୦୦ ବର୍ଗଫୁଟ୍‌ ଛାତର ଆବଶ୍ୟକତା ରହିଛି। ଦୈନିକ ପ୍ରାୟ ୪ ୟୁନିଟ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ୧ହଜାର ବର୍ଗଫୁଟ୍‌ ଛାତରେ ୪୦ ୟୁନିଟ୍‌ ଶକ୍ତି ଉତ୍ପାଦନ ସମ୍ଭବ। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ।

Comments are closed.