ବ୍ରହ୍ମଗିରି , କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍‌ରେ ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ଲୋକସେବା ଭବନ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତା ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ବ୍ରହ୍ମଗିରି , କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍‌ରେ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବ୍ରହ୍ମଗିରି ବ୍ଲକ୍‌ର ୫୯ଟି ଗ୍ରାମ , ସତ୍ୟବାଦୀ ବ୍ଲକ୍‌ର ୪୬ଟି ଗ୍ରାମ , ଋଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ୩୦ଟି ଗ୍ରାମ ଓ କୃଷ୍ଣପ୍ରସାଦ ବ୍ଲକ୍‌ର ୯୦ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଗୁରୁତ୍ଵ ଦେବା ସହ କଣାସ , ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ୍‌ର ୧୨୬ଟି ଗ୍ରାମକୁ ଭାର୍ଗବୀ ନଦୀରୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଶ୍ରୀ ଦାସବର୍ମା କହିଥିଲେ ଯେ ଉଭୟ ଚିଲିକା ଓ ସମୁଦ୍ର ପାଣି ଦ୍ଵାରା ପ୍ରଭାବିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେସବୁ ଅଞ୍ଚଳରେ ପୂର୍ବରୁ ଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜଳ ବିତରଣ ଏବଂ ସେସବୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ଉଚିତ । ଅସ୍ତରଙ୍ଗ ବ୍ଲକ୍‌ର ୫୫ଟି ଗ୍ରାମ , କାକଟପୁରର ୪୭ଟି ଗ୍ରାମ , ଗୋପର ୮୧ଟି ଗ୍ରାମ , ପୁରୀ ସଦର ବ୍ଲକ୍‌ର ୧୭ଟି ଗ୍ରାମପଞ୍ଚାୟତ ଓ ୬୭ଟି ଗ୍ରାମ , ସତ୍ୟବାଦୀର ୩ଟି ଗ୍ରାମ ପଞ୍ଚାୟତ ଓ ଡେଲାଙ୍ଗର ୭୪ଟି ଗ୍ରାମକୁ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ଚଳିତ ବଜେଟ୍‌ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ପୁରୀ ଜିଲ୍ଲାବାସୀଙ୍କ ପକ୍ଷରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଯେଭଳି କୌଣସି ବାଧା ଏବଂ ସ୍ଥାନୀୟ ସମସ୍ୟା ନଉଠେ , ସେଥିପାଇଁ ପୁରୀ ଜିଲ୍ଲାପାଳ ପ୍ରତ୍ୟେକ ମାସରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କିଭଳି ଭାବେ ତ୍ୱରାନ୍ବିତ ହେବ ସେଥିପାଇଁ ଚଳିତ ସପ୍ତାହରେ ପାନୀୟ ଜଳ ବିଭାଗର ମୁଖ୍ୟଯନ୍ତ୍ରୀ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଳକ୍‌ର ନିର୍ମାଣାଧୀନ ପ୍ରକଳ୍ପ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ଯିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ ‘ ବସୁଧା ’ ମାଧ୍ୟମରେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି , ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଜିଲ୍ଲା ପ୍ରଶାସନ ଏବଂ ପାନୀୟ ଜଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଦାୟିତ୍ଵ ନେଇଥିବା ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁରୀ ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ଵ ଦେଇଛନ୍ତି । ଚଳିତ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଯେଭଳି ଜିଲ୍ଲାରେ ପିଇବାପାଣିର ସଂକଟ ନ ଉପୁଜେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ନଳକୂପ ସହିତ ନିରନ୍ତର ସେବା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଶ୍ରୀ ଦାସବର୍ମା ବୈଠକରେ ପରାମର୍ଶ ଦେଇଛନ୍ତି ।

ବୈଠକରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେବା ସହ ଏଥିରେ ଅବହେଳା ପ୍ରଦର୍ଶନ ହେଲେ ଏଗ୍ରିମେଣ୍ଟର ସର୍ତ୍ତାବଳୀ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ପାନୀୟ ଜଳ ନିର୍ଦ୍ଦେଶକ ବି . ପରମେଶ୍ଵର ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ ଆଭାସୀ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।

Comments are closed.