5 କୋଟିର ବ୍ୟାଙ୍କ ଠକେଇ ଅଭିଯୋଗରେ ସମ୍ବଲପୁରରେ ସିବିଆଇ ଚଢ଼ଉ, ୬ ଅଟକ

ସମ୍ବଲପୁର : ଜାଲ୍ ଦସ୍ତାବିଜ୍ ବଳରେ ୟୁନିଅନ ବ୍ୟାଙ୍କକୁ ୫ କୋଟିର ଚୂନ ଲଗାଇବା ଅଭିଯୋଗ ରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଘରେ ସିବିଆଇ ରେଡ କରିଛି। ପରିବାରର ୬ ସଦସ୍ୟଙ୍କୁ ଅଟକ ରଖିଛି।

ବ୍ୟାଙ୍କରୁ ଋଣ ନେଇ ଠକେଇ କରିଥିବା ଅଭିଯୋଗରେ ଟାଉନ୍ ଥାନା ଅନ୍ତର୍ଗତ ବାଲିବନ୍ଧାସ୍ଥିତ ନଟବରଲାଲ ଅଗ୍ରୱାଲ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଗତକାଲି ସିବିଆଇର 6 ଜଣିଆ ଟିମ୍ ନଟବରଲାଲଙ୍କ ଘରେ ଚଢ଼ଉ କରିବା ପରେ ଉକ୍ତ ପରିବାରର 6 ଜଣ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ, ଚଢ଼ଉ ସମୟରେ ତାଙ୍କ ଘରୁ କିଛି ଦସ୍ତାବିଜ୍ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

ୟୁନିଅନ୍ ବ୍ୟାଙ୍କ୍ ଏଜିଏମ୍ ତପନ ସାହୁଙ୍କୁ ପଚାରିବାରେ, ବ୍ୟାଙ୍କ୍ ନିଷ୍ପତ୍ତି ଅନୁସାରେ ସିବିଆଇରେ ଅଭିଯୋଗ ହୋଇଥିବା ନେଇ ପ୍ରକାଶ କରିଛନ୍ତି। ଉଲ୍ଳେଖଯୋଗ୍ୟ, କିଛି ମାସ ତଳେ ୟୁନିଅନ୍ ବ୍ୟାଙ୍କ୍ ପକ୍ଷରୁ ନଟବରଲାଲଙ୍କ କ୍ଷେତରାଜପୁରସ୍ଥିତ ଏକ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା।

ଅଭିଯୋଗ ଅନୁସାରେ, ନଟବରଲାଲ୍ ଓ ତାଙ୍କ ପରିବାରଲୋକେ ୟୁନିଅନ୍ ବ୍ୟାଙ୍କ୍ ସମ୍ବଲପୁର ମୁଖ୍ୟ ଶାଖାରୁ ବିଭିନ୍ନ ପର୍ଯ୍ୟାୟରେ ଜାଲ୍ ଦସ୍ତାବିଜ୍ ଦେଇ 5 କୋଟିର ଋଣ ନେଇଥିଲେ। 2014ରୁ 2017 ମସିହା ମଧ୍ୟରେ ମେସର୍ସ ଗୋଣ୍ଡେମାଲ୍ ଗ୍ରାଫାଇଟ୍ ମାଇନ୍ସ, ମେସର୍ସ ଜିଆର୍ ଗ୍ରାଫାଇଟ୍ ଇଣ୍ଡଷ୍ଟ୍ରିଜ୍ ଓ ମେସର୍ସ ନ୍ୟାସନାଲ କାର୍ବନ୍ ପ୍ରଡକ୍ଟସ ନାମରେ ଏହି ପରିବାର ବ୍ୟବସାୟିକ ଋଣ ପାଇଁ ବ୍ୟାଙ୍କକୁ ଆସିଥିଲେ। ଋଣଗ୍ରହୀତା ଦେଇଥିବା ଦସ୍ତାବିଜ୍ ଆଧାରରେ ବ୍ୟାଙ୍କ୍ ଗୋଣ୍ଡେମାଲ୍ ଗ୍ରାଫାଇଟ୍ ମାଇନ୍ସକୁ 3 କୋଟି 90 ଲକ୍ଷ, ଜିଆର୍ ଗ୍ରାଫାଇଟ୍ ଇଣ୍ଡଷ୍ଟ୍ରିଜକୁ 91 ଲକ୍ଷ ଓ ନ୍ୟାସନାଲ୍ କାର୍ବନ ପ୍ରଡକ୍ଟସକୁ 20 ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଥିଲା। ବ୍ୟାଙ୍କରେ ଦାଖଲ ହୋଇଥିବା ବନ୍ଧକ ଓ ଋଣ ଗ୍ରହୀତାଙ୍କ ଆକାଉଣ୍ଟ ଆଧାରରେ ସେତେବେଳେ ବ୍ୟାଙ୍କ୍ କ୍ୟାସ୍ କ୍ରେଡିଟର ସୁବିଧା ମଧ୍ୟ ପ୍ରଦାନ କରିଥିଲା। ମାତ୍ର ଋଣ ଠକିବା ଉଦ୍ଦେଶ୍ୟରେ ନଟବରଲାଲ୍ ଓ ତାଙ୍କ ପରିବାର ଲୋକେ ବ୍ୟାଙ୍କରେ କିଛି ଜାଲ୍ ଦସ୍ତାବିଜ୍, କାଗଜ ଓ ଡିଡ୍ ଦାଖଲ କରିଥିଲେ। କ୍ୟାସ୍ କ୍ରେଡିଟ୍ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଋଣ ଗ୍ରହୀତା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଋଣ ଟଙ୍କାରୁ ଉଠାଇଥିବା ଟଙ୍କା ପରିଶୋଧ କରିବାକୁ ପଡ଼ିଥାଏ। କିନ୍ତୁ ନଟବରଲାଲ୍ ଓ ତାଙ୍କ ପରିବାରଲୋକେ ଋଣ ଟଙ୍କା କି ଏ ବାବଦ ସୁଧ ରାଶି ବ୍ୟାଙ୍କରେ ପରିଶୋଧ କରିନଥିଲେ। ଫଳରେ ଉକ୍ତ ଆକାଉଣ୍ଟଗୁଡ଼ିକ ଏନପିଏ ଅଧୀନକୁ ଚାଲି ଯାଇଥିଲା। ଯଦ୍ବାରା ବ୍ୟାଙ୍କକୁ 4 କୋଟି 11 ଲକ୍ଷ 54 ହଜାର 256 ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହି ଆଧାରରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗତ 6 ତାରିଖରେ ସିବିଆଇ କାର୍ଯ୍ୟାଳୟରେ ଏତଲା ଦେଇଥିଲେ। ଏହି ଆଧାରରେ ସିବିଆଇ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଯେଉଥିରେ ନଟବରଲାଲଙ୍କ ପରିବାରର ସୁଚିତ୍ରା ଅଗ୍ରବାଲ, ସୀତାଦେବୀ ଅଗ୍ରବାଲ, କମଳ କୁମାର ଅଗ୍ରବାଲ, ସଙ୍ଗୀତା ଅଗ୍ରବାଲ, ଚେତନ ଅଗ୍ରବାଲ, ମେସର୍ସ ଗୋଣ୍ଡେମାଲ୍ ଗ୍ରାଫାଇଟ୍ ମାଇନ୍ସ, ମେସର୍ସ ଜିଆର୍ ଗ୍ରାଫାଇଟ୍, ମେସର୍ସ ନ୍ୟାସନାଲ କାର୍ବନ୍ ପ୍ରଡକ୍ଟସ ଓ କିଛି ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅପରପକ୍ଷେ ଏଥିରେ କିଛି ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ବି ସନ୍ଦେହଘେରକୁ ଆସିଛି।

Comments are closed.