ଅଢ଼ଙ୍ଗଗଡ଼ ସୋମନାଥ ମନ୍ଦିର, ହୀରଣ୍ୟ ଗର୍ଭା ଏହି ଶିବଲିଙ୍ଗ

ବାଲିଆରୁ ଦକ୍ଷିଣ ଦିଗରେ ଯାଇ ବିଲୁଆଖାଇ ନଦୀ ସେତୁ ପାର୍ ହେଲାପରେ ପଡ଼ିବ ମଇଁନ୍ଦିପୁର ଗାଁ। ସେଠାରୁ ଅଳ୍ପଦୂର ଆଗକୁ ଗଲେ ପଡ଼ିବ ପୂରଣ ଗାଁ l ସେଇ ପୂରଣ ଗାଁର ବିଲ ମଝିରେ ରହିଛି ଏକ ପୁରୁଣା ସୋମନାଥ ମହାଦେବ ମନ୍ଦିର l ଏହି ମନ୍ଦିର ଓ ଜଗମୋହନଟି ପଞ୍ଚରଥ ପୀଢ଼ ଶୈଳୀରେ ନିର୍ମିତ। ମନ୍ଦିରଟି ନିହାତି ଭାବେ ପାଞ୍ଚ ଶହ ବର୍ଷରୁ ଅଧିକ ପୁରାତନ ହେବା ଅନୁମାନ କରାଯାଏ l ଗର୍ଭଗୃହରେ ବିରାଟ ଏକ ବୃତ୍ତାକାର ଯୋନିପୀଠରେ ଶିବଲିଙ୍ଗ ରହିଛନ୍ତି l ମନ୍ଦିର ଭିତରେ କେତେକ ପ୍ରାଚୀନ ପାଷାଣ ମୂର୍ତ୍ତି ପୂଜା ପାଉଥିବାବେଳେ, ପାର୍ଶ୍ୱଦେବଦେବୀଙ୍କ ମୂର୍ତ୍ତି ଗୁଡ଼ିକ ମଧ୍ୟ ପ୍ରାଚୀନ l

ସୋମନାଥଙ୍କ ଦକ୍ଷିଣ ପାର୍ଶ୍ୱରେ ଏକ ବିଷ୍ଣୁ ମନ୍ଦିର ରହିଛି l କୌଣସି ସମୟରେ ଏଠାରେ ଏକ ପୁରାତନ ବିଷ୍ଣୁ ମନ୍ଦିର ଥିବା ଅନୁମାନ କରାଯାଏ l କାରଣ ମନ୍ଦିର ପରିସରରେ କାନ୍ଥକୁ ଡେରା ହୋଇ ରହିଥିବା କଳା ମୁଗୁନି ପଥରରେ ତିଆରି ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଏକ ଭଗ୍ନାବଶେଷ ଦେଖିବାକୁ ମିଳେ l ଯାହାକି କୌଣସି ମନ୍ଦିରର ଦ୍ୱାରବନ୍ଧର ଭଗ୍ନ ଅଂଶ ହୋଇଥିବା ଅନୁମାନ କରାଯାଏ l ଅବଶ୍ୟ ଏହା ଉପରେ ଅଧିକ ଗବେଷଣା କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ପୋଷଣ କରିଛନ୍ତି l

Comments are closed.