କଳାକାରଙ୍କୁ ଅସମ୍ମାନ, ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟଗୁରୁଙ୍କୁ ବେଘର କରିଦେଲେ ସରକାର

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତଙ୍କୁ ଅସମ୍ମାନ । ଶିଷ୍ଟତା ଓ ମାନବିକତାର ସବୁ ସୀମା ଟପି ଦିଲ୍ଲ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ମାୟାଧର ରାଉତଙ୍କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଜଣେ ବୟୋବୃଦ୍ଧ ଓ ଶୀର୍ଣ୍ଣ କଳାକାରଙ୍କ ପ୍ରତି ସରକାରଙ୍କ ଏପରି ଅମାନବୀୟ ଆଚରଣ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିନା ନୋଟିସ୍‌ରେ ତାଙ୍କୁ ସରକାରୀ ଘରୁ ବାହାର କରିଦିଆଯାଇଥିବା ମାୟାଧରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ଉଚ୍ଛେଦବେଳେ ତାଙ୍କୁ ପ୍ରଦାନ କରାଯାଇଥିବା ପଦ୍ମଶ୍ରୀ ମାନପତ୍ର ଅନ୍ୟ ସାମଗ୍ରୀ ସହ ରାସ୍ତାକଡ଼ରେ ପଡ଼ିଥିବା ଦୃଶ୍ୟ କଳାପ୍ରେମୀଙ୍କ ମନରେ ଉଦ୍‌ବେଗ ସୃଷ୍ଟି କରିଛି। ସରକାରଙ୍କ ଏପରି ବ୍ୟବହାରକୁ ମାୟାଧରଙ୍କ ଝିଅ ମଧୁମିତା ନିନ୍ଦା କରିଛନ୍ତି । ଏପରିକି ସେଦିନ ଯଦି‌‌ ସେ ତାଙ୍କ ବାପାଙ୍କ ସହିତ ନଥାନ୍ତେ, ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରିଥାନ୍ତା ବୋଲି ମଧୁମିତା କହିଛନ୍ତି ।

ପୋଲିସ ଓ ଉଚ୍ଛେଦକାରୀ ଗୁରୁ ମାୟାଧରଙ୍କ ସହ ଅମାନବୀୟ ବ୍ୟବହାର କରିଥିବା ମଧୁମିତା ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ କଳାକାରଙ୍କୁ ସମ୍ମାନ ଦିଆଯାଉ ନ ଥିବା କହି ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ଆଉ ପ୍ରାୟ ୧୨ କଳାକାରଙ୍କୁ ସେମାନଙ୍କ ସରକାରୀ ବାସଭବନରୁ ଉଚ୍ଛେଦ କରାଯିବ। ସୂଚନା ଅନୁଯାୟୀ, ଶିଳ୍ପୀ ତଥା କଳାକାରମାନେ କେନ୍ଦ୍ର ସରକାରଙ୍କ ଇଚ୍ଛାଧୀନ କୋଟାରେ ସରକାରୀ ବାସଭବନରେ ଦଶନ୍ଧି ଧରି ରହିଆସୁଛନ୍ତି। କେତେକ ଆବଣ୍ଟନ ୧୯୮୦ ଦଶକରେ ହୋଇଥିବାବେଳେ ଅନ୍ୟ ଆବଣ୍ଟନ ୨୦୦୦ ଦଶକ ପ୍ରାରମ୍ଭରେ କରାଯାଇଥିଲା। କିନ୍ତୁ ୨୦୦୮ରେ ନୀତିରେ ପରିବର୍ତ୍ତନ ଅଣାଯାଇଥିବା ଦର୍ଶାଇ କେନ୍ଦ୍ର ସରକାର ଏବେ ସେମାନଙ୍କୁ ଘର ଖାଲି କରିବାକୁ କହିଛନ୍ତି। ସରକାରୀ ବାସଭବନରେ ରହୁଥିବା କଳାକାରମାନେ ଦୀର୍ଘ ବର୍ଷ ହେଲା ଲାଇସେନ୍ସ ବାବଦ ବକେୟା ଅର୍ଥ ମଧ୍ୟ ପଇଠ କରି ନ ଥିବା ସରକାର ପକ୍ଷରୁ କୁହାଯାଇଛି। । ସେମାନେ ବାସଭବନ ଖାଲି କରିବାକୁ ୨୦୨୦ ଅକ୍ଟୋବରରେ ନୋଟିସ୍ ଜାରି କରାଯାଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହା ବିରୋଧରେ କଳାକାରମାନେ ଦିଲ୍ଲୀ ହାଇକୋର୍ଟ, ଡିଭିଜନ ବେଞ୍ଚଙ୍କ ନିକଟରେ ଆବଦେନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ବାସଭବନ ଖାଲି କରିବା ପାଇଁ ସରକାର ଅଧିକ ସମୟ ଦେବାକୁ ଦାବି କରି ମଙ୍ଗଳବାର ଆଉ ଏକ ପିଟିଶନ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଛି।

ଉଚ୍ଛେଦ ନ୍ୟାୟସଙ୍ଗତ ହୋଇଥିଲେ ବି ଯେଉଁଭଳି ଭାବେ ତାଙ୍କ ବାପା ତଥା ନୃତ୍ୟଗୁରୁଙ୍କୁ ଘରୁ ବାହାର କରାଯାଇଛି ତାହା ଆପତ୍ତିଜନକ ବୋଲି ମଧୁମିତା କହିଛନ୍ତି। ସରକାରୀ ପଲିସି ଅନୁସାରେ ମାସକୁ ୨୦ ହଜାର ଟଙ୍କାରୁ କମ୍ ଆୟ ଥିବା ପ୍ରାୟ ୪୦ କଳାକାରଙ୍କୁ ସ୍ଵତନ୍ତ୍ର କୋଟା ଅଧୀନରେ ସଂସ୍କୃତି ମନ୍ତ୍ରଣାଳୟ ସୁପାରିଶ କ୍ରମେ ଘର ଆବଣ୍ଟନ କରାଯାଇପାରିବ। ଗୁରୁ ମାୟାଧରଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୩ ହଜାର ଟଙ୍କା ଥିବାବେଳେ ତାଙ୍କ ନିକଟରେ କୌଣସି ସମ୍ପରି କିମ୍ବା ଜମି ନାହିଁ। କେଉଁ ଆଧାରରେ ସରକାର ତାଙ୍କୁ ଉଚ୍ଛେଦ କରିଛନ୍ତି ବୋଲି ମଧୁମିତା ପ୍ରଶ୍ନ କରିଛନ୍ତି ।

Comments are closed.