କୋଭିଡ ମାମଲା ବଢ଼ିଲେ ଆତଙ୍କିତ ହେବାର କୌଣସି କାରଣ ନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଦେଶରେ ଏବେ କୋରୋନା ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଗତି କରୁଛି । ନିୟମିତ ବ୍ୟବଧାନରେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର କାରଣ ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । ଯଦି ରାଜ୍ୟରେ ସ‍ଂକ୍ରମଣ ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପାଇଁ ବିଶେଷ ଅସୁବିଧା ହେବନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କାରଣ ଆମର ଅଭିଜ୍ଞତା ସହ ଭିତ୍ତିଭୂମି ଓ ଔଷଧ ରହିଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି । ଏବେ ରାଜ୍ୟର ଦୈନିକ ସଂକ୍ରମଣ 15 ତଳେ ରହିଛି । ମାତ୍ର 5-6ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ ସଂଖ୍ୟା 100 ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରୀୟ ପଦକ୍ଷେପ ନିଆଯିବ । ତେବେ ଲୋକମାନେ କୋଭିଡ ନିୟମ ମାନିବାକୁ ସେ ଅନୁରୋଧ କରିଛନ୍ତି ।

Comments are closed.