ବୌଦ୍ଧର ଉପାନ୍ତ ଇଲାକାରେ ସରକାରଙ୍କ ବିକାଶ ଧାରା ଜାରି

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳ ରହିଛି । ତନ୍ମଧ୍ୟରୁ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ଅନ୍ୟତମ । ଦିନ ଥିଲା ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ ଓ ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ପାଇଁ ସଙ୍ଘର୍ଷ କରୁଥିଲା ଆମ୍ବଗାଁ । ହେଲେ ଏବେ ଏହି ଉପାନ୍ତ ଇଲାକାରେ ଗଡୁଛି ସରକାରଙ୍କ ବିକାଶ ଗାଡି । ଶିକ୍ଷାର ବିକାଶ ପାଇଁ ଏଠାରେ ଜିଲ୍ଲାର ସର୍ବବୃହତ ୫ଟି ବିଦ୍ୟାଳୟ ସ୍ଥାପନ ହୋଇଛି । ଏହା ସାଙ୍ଗକୁ ପଞ୍ଚାୟତର ଅଧିକାଂଶ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇପାରିଛି ।

ବର୍ଷ ବର୍ଷ ଧରି ବିକାଶର ଧାରା ଠାରୁ ଢେର ଦୂରରେ ରହୁଥିବା ଆମ୍ବଗାଁ ଅଞ୍ଚଳବାସୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚିବା ଆରମ୍ଭ କରିଛି । ପୂର୍ବରୁ ପଞ୍ଚାୟତର ଅନେକ ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିଲା । ସରକାରଙ୍କ ନାନା ବିକାଶମୂଳକ ଯୋଜନାରୁ ବଞ୍ଚିତ ହେଉଥିଲେ ଏହି ଉପାନ୍ତ ଅଞ୍ଚଳବାସୀ । କିନ୍ତୁ ଏବେ ଆମ୍ବଗାଁ ପଞ୍ଚାୟତର ଅଧିକାଂଶ ଗ୍ରାମକୁ ରାସ୍ତା ସଂଯୋଗୀକରଣ ସହ ସ୍ବାସ୍ଥ୍ୟ ସେବା,ପାନୀୟଜଳ, ବିଦ୍ୟୁତ ସେବା ପହଞ୍ଚି ପାରିଛି । ଏଠାରେ ଏକ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ୫ଟି ବିଦ୍ୟାଳୟ ସ୍ଥାପନ ହୋଇଛି । ଏହି ଜନତା ଉଚ୍ଚ ବିଦ୍ୟାଳୟ ଅଞ୍ଚଳର ଶିକ୍ଷାର ବିକାଶ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି । ଏନେଇ ସ୍ଥାନୀୟ ସରପଞ୍ଚ ପ୍ରତିମା ରଣା ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed.