୬୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ଲକ୍ଷ୍ୟ: ୟୁଏନ୍ଏଫପିଏ ଓ ଓଡ଼ିଶା ସରକାର ମଧ୍ଯରେ ଏମ୍ଓୟୁ

ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ବିତ କରିବା ତଥା ଲିଙ୍ଗଗତ , ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଇ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଭାରତ ( ୟୁଏନ୍‌ଏଫ୍‌ପିଏ ) ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ ସାମାଜିକ ସଶକ୍ତିକରଣ ଶୀର୍ଷକ ଏହି ପଦକ୍ଷେପ ଏକ ବିସ୍ତୃତ ଯୋଜନା ଏବଂ ସୁଦୃଢ଼ ଭିତ୍ତିଭୂମି ଦ୍ଵାରା ସମର୍ଥତ । ଏହି ସ୍ୱତନ୍ତ୍ର ଯୋଜନା ମିଳିତ ଜାତିସଂଘର ୨୦୩୦ କାର୍ଯ୍ୟସୂଚୀ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ( ଏସ୍‌ଡିଜି ) , ବିଶେଷକରି ଲକ୍ଷ୍ୟ ୩ ( ଉତ୍ତମ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ) ଏବଂ ଲକ୍ଷ୍ୟ – ୫ ( ଲିଙ୍ଗଗତ ସମାନତା ) କୁ ହାସଲ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଓଡ଼ିଶାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ସହିତ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ତିନି ବର୍ଷିଆ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

ଡିଜିଟାଲ ସାକ୍ଷରତା ମହିଳାମାନଙ୍କୁ ଅଧିକ ସଂଯୋଜିତ , ସୂଚିତ ଏବଂ ବାହ୍ୟଜଗତ ସହିତ ଜଡ଼ିତ ଓ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବାରେ ସହାୟତା ଦେବା ସହ ଅନ୍‌ଲାଇନରେ ଉପଲବ୍ଧ ବିଭିନ୍ନ ସେବା ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକ ତଥ୍ୟ ଓ ସୂଚନା ପାଇବାରେ ସହାୟକ ହେବ । ଆର୍ଥିକ ସାକ୍ଷରତା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସଠିକ୍ ଜ୍ଞାନ କୌଶଳର ବ୍ୟବହାର ମାଧ୍ୟମରେ ଟଙ୍କା ପଇସାର କୁଶଳ ପରିଚାଳନା କରିବାରେ ସାହାଯ୍ୟ କରିବ । ସ୍ଵୟଂ ସହାୟିକା ସଦସ୍ୟାମାନଙ୍କର ଆର୍ଥିକ ପରିଚାଳନା ଯଥା ସଂଚୟ ଓ ନିବେଶ ଭଳି କ୍ଷମତା ବୃଦ୍ଧିରେ ସହାୟତା ପ୍ରଦାନ କରିବ । ଏହି ଆଭିମୁଖ୍ୟରେ ୟୁଏନ୍‌ଏଫ୍‌ପିଏ ସହିତ ସ୍ଵାକ୍ଷରିତ ଏହି ଚୁକ୍ତିନାମା ପ୍ରାୟ ୬ ଲକ୍ଷ ମହିଳାଙ୍କୁ ବିଭିନ୍ନ ଡିଜିଟାଲ ଏବଂ ଆର୍ଥିକ କୌଶଳ ( ଯେପରିକି ଅନ୍‌ଲାଇନ ଜନସେବା , ବ୍ୟାଙ୍କିଙ୍ଗ୍ ସେବା ଏବଂ ସୋସିଆଲ ମିଡିଆ ଆଦିର ବ୍ୟବହାର ) ରେ ଦକ୍ଷ କରିବ । ଡିଜି ଶକ୍ତି ଭାବରେ ପରିଚିତ ଏହି ମହିଳାମାନେ ଲକ୍ଷ ଲକ୍ଷ ମହିଳାଙ୍କୁ ସମାନ ଜ୍ଞାନକୌଶଳ ଉପରେ ତାଲିମ ଦେବେ ।

ମିଶନ୍ ଶକ୍ତି ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକଳ୍ପ ସମାଜର ବିଶେଷ ଭାବେ ବଞ୍ଚିତ ତଥା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ସ୍ତରର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହେବ । ଏହି ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବା ଦ୍ଵାରା ଆଦିବାସୀ ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ପରିବାରର ମହିଳାମାନେ ଲାଭବାନ ହେବେ । ଏହି ପ୍ରକଳ୍ପ ୨ , ୫୦ , ୦୦୦ରୁ ଅଧିକ ମହିଳାଙ୍କୁ ପ୍ରଜନନ ତଥା ସେମାନଙ୍କର ସମାଜିକ ଅଧିକାର ବିଷୟରେ ସୂଚିତ କରିବା ସହିତ ସେମାନଙ୍କୁ ସାମ୍ପ୍ରଦାୟିକ ହିଂସା , ଭେଦଭାବ ଏବଂ ବାଲ୍ୟବିବାହ , ଯୌତୁକ ପରି ସାମାଜିକ କୁପ୍ରଥାର ମୁକାବିଲା କରିବା ଦିଗରେ ସହାୟତା ଦେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସେମାନଙ୍କର ସାମାଜିକ ବିକାଶ ପାଇଁ ସୂଚନା ଜ୍ଞାନକୌଶଳ ସହିତ ସଶକ୍ତ ହେବା ସହିତ ସେମାନଙ୍କର ପରିବାର ବିଶେଷକରି କିଶୋରୀ ବାଳିକା ଏବଂ ବୃଦ୍ଧାଙ୍କ ଦୁର୍ବଳତାକୁ ଦୂର କରିବାରେ ସକାରାତ୍ମକ ପ୍ରଭାବ ଆଣିବ । ଏହି ଚୁକ୍ତି ସ୍ବାକ୍ଷର ଅବସରରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍ , କାର୍ତ୍ତିକେୟନ କହିଛନ୍ତି ‘ ‘ ଆମର ଅଭିଜ୍ଞତାରୁ ଜଣାଯାଏ ଯେ , ମହିଳାମାନଙ୍କର ସାମାଜିକ ଏବଂ ଆର୍ଥିକ ସଶକ୍ତିକରଣରେ ବିନିଯୋଗ ସାମୂହିକ ସାମାଜିକ ପ୍ରଗତି ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ବିପୁଳ ଲାଭ ମିଳିଥାଏ । ମିଶନ୍ ଶକ୍ତି ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଏହି ସମୟାନୁବର୍ତୀ ଓ ଗୁରୁତ୍ଵପୂର୍ଣ୍ଣ ସହଭାଗିତା ‘ ସଶକ୍ତ ମହିଳା , ସଶକ୍ତ ଓଡ଼ିଶା ’ ଲକ୍ଷ୍ୟ ଅଭିମୁଖୀ ଯାତ୍ରା ନିମନ୍ତେ ବିଶେଷ ସହାୟକ ହେବ ।

ଏହି ଅବସରରେ ୟୁଏନ୍ଏଫ୍‌ପିଏ ଇଣ୍ଡିଆର ପ୍ରତିନିଧି ଆଣ୍ଡ୍ରିୟା ଏମ୍ ଓ୍ବୋଜନାର୍ କହିଛନ୍ତି ଯେ ‘ ‘ ଏହି ଦୂରଦୃଷ୍ଟିକୁ ଆଖିରେ ରଖି ମିଶନ ଶକ୍ତି ପ୍ରକଳ୍ପ ସହିତ ୬୦ ଲକ୍ଷରୁ ଅଧିକ ମହିଳା ଡିଜିଟାଲ ଏବଂ ଆର୍ଥିକ ଦକ୍ଷତା ହାସଲ କରିବା ସହିତ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେବେ । ଏହା ଉଭୟ ମହିଳା ଓ ଓଡ଼ିଶାର ସାମାଜିକ – ଅର୍ଥନୈତିକ ବିକାଶ ପାଇଁ ନିଶ୍ଚିତ ବିଜୟ ଭାବେ ଗଣା ହେବ ।

Comments are closed.