ଗଜପତିରେ ୨୩୧ ଆଶ୍ରୟ ସ୍ଥଳ, ଆବଶ୍ୟକ ହେଲେ ସ୍ଥାନାନ୍ତର

ପାରଳାଖେମୁଣ୍ଡି: ବାତ୍ୟା ଅସାନି ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ପାଣିପାଗ ବିଭାଗ ଆକଳନ ଅନୁସାରେ ଏହାର ବିଧ୍ୱଂସକାରୀ ପ୍ରଭାବରୁ ଆମ ରାଜ୍ୟ ରକ୍ଷା ପାଇଯିବ। କିନ୍ତୁ ବଙ୍ଗୋପସାଗରରେ ଉଠିଥିବା ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁ ପୁଣି ସମୁଦ୍ରକୁ ଫେରିଯିବ। ଏହା ପ୍ରଭାବରେ ଆନ୍ଧ୍ର ସୀମାକୁ ଲାଗିଥିବା ଆମ ରାଜ୍ୟର ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି କାରଣରୁ ଗଜପତି ଜିଲ୍ଲା ସକାଶେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଅନୁସାରେ ବାତ୍ୟାଜନିତ ପ୍ରବଳ ବର୍ଷା, ଏହା ପ୍ରଭାବରେ ମାଟି ଅତଡ଼ା ଧସିବା, ତଳିଆ ଅଞ୍ଚଳ ଜଳବନ୍ଦୀ ହେବା ଆଦି ଆଶଙ୍କା ଲାଗି ରହିଛି। ଆଉ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଗଜପତି ଜିଲ୍ଲା ପ୍ରଶାସନ। ଭୂସ୍ଖଳନରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ୨୩୧ ଗୋଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। ଯଦି ପ୍ରବଳ ବର୍ଷା ହୁଏ, ତେବେ ଲୋକଙ୍କୁ ସେଥିରୁ ରକ୍ଷା କରିବା ସକାଶେ ବିପଦସଙ୍କୁଳ ଜାଗାରୁ ସ୍ଥାନାନ୍ତର କରି ଏସବୁ ସୁରକ୍ଷିତ ସ୍ଥାନରେ ସେମାନଙ୍କୁ ଆଶ୍ରୟ ଦିଅଯିବ।

ପୂର୍ବରୁ ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାବାସୀ ଅନେକ କ୍ଷୟକ୍ଷତି ସହିଥିବା ନଜିର ରହିଛି। ତେବେ ଉକ୍ତ ପ୍ରାକୃତିକ ବିପର୍ଯ୍ୟୟ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାବାସୀଙ୍କ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ସାନ୍ତ୍ଵନା ଦେଇଥିଲେ। ସେମାନଙ୍କ ସହାୟତା, ପୁନଃବସତି ତଥା ଥଇଥାନ ସକାଶେ ପ୍ୟାକେଜ୍ ଘୋଷଣା କରି ସେମାନଙ୍କୁ ଆଶ୍ୱସ୍ତ କରିଥିଲେ। ଫଳରେ ଗଜପତି ଜିଲ୍ଲାବାସୀ ଉକ୍ତ ପ୍ରାକୃତିକ ବିପର୍ଯ୍ୟୟର କ୍ଷତିକାରକ ପ୍ରଭାବରୁ ମୁକୁଳି ସ୍ବାଭାବିକ ଜୀବନଯାପନ କରିଥିଲେ। ତଥାପି ବାତ୍ୟା କଥା ଉଠିଲେ ସେହି ସମୟର ବିଭୀଷିକାର ଅନୁଭବ ଏବେ ବି ଜିଲ୍ଲାବାସୀଙ୍କ ମନରେ ସତେଜ ହୋଇଉଠେ।

ଅପରପକ୍ଷରେ ସେତେବେଳର ଅନୁଭୂତିକୁ ଆଧାର କରି ଜିଲ୍ଲା ପ୍ରଶାସନ ଏବେ ଯେକୌଣସି ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି। ବାତ୍ୟା ଅସାନୀର ସିଧାସଳଖ ପ୍ରଭାବ ତ ଗଜପତି ଜିଲ୍ଲା ଉପରେ ପଡ଼ିନପାରେ। କିନ୍ତୁ ଏହାର ପରୋକ୍ଷ ପ୍ରଭାବରେ ପ୍ରବଳ ବର୍ଷା ହୋଇ ପାହାଡ଼ିଆ, ତଳିଆ ଅଞ୍ଚଳ ଏବଂ ନଦୀକୂଳିଆ ଇଲାକା ବାସିନ୍ଦାଙ୍କୁ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। ପ୍ରବଳ ବର୍ଷା ହେଲେ ଘରର କାନ୍ଥ ପଡ଼ି ଧନଜୀବନ ନଷ୍ଟ ହେବା ଆଶଙ୍କା ଉଠୁଛି। ଏଣୁ ଏହାର ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ, ଅଗ୍ନିଶମ ବାହିନୀ। ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ଗୋଷାଣି ବ୍ଲକ୍‌ରେ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି। ଅନ୍ୟ ୬ଟି ବ୍ଳକ୍‌, ପାରଳାଖେମୁଣ୍ଡି ପୌରପାଳିକା, କାଶୀନଗର ଏନ୍ଏସିରେ ସମସ୍ତ ସାଜସରଞ୍ଜାମ ସହ ସତର୍କ ରହିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ। ଜଳବନ୍ଦୀ, ମାଟି ଅତଡ଼ା ଧସିବା ଭଳି ସ୍ଥିତିରେ ସେମାନେ ତୁରନ୍ତ ଲୋକଙ୍କୁ ଏଭଳି ବିଷମ ପରିସ୍ଥିତିରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବେ।

ମଙ୍ଗଳବାର ସକାଳୁ ବୁଧବାର ସନ୍ଧ୍ୟା ସୁଦ୍ଧା ଗଜପତି ଜିଲ୍ଲାରେ ମୋଟ ୨୪୦ ମିମି ବର୍ଷା ହୋଇଯାଇଛି। ଏଣୁ ଜିଲ୍ଲାବାସୀ ଆଶଙ୍କାରେ ଥିବା ବେଳେ କିନ୍ତୁ ପ୍ରଶାସନ ଲୋକଙ୍କୁ ଆଶ୍ୱସ୍ତ ରହିବାକୁ ପରାମର୍ଶ ଦେଇଛି। ଜିଲ୍ଲାର କୌଣସି ସ୍ଥାନରୁ କିଛି କ୍ଷୟକ୍ଷତି ଖବର ଆସିନାହିଁ। ଲୋକେ ପ୍ରଶାସନର ସତର୍କ ସୂଚନାକୁ ଅନୁସରଣ କଲେ ସୁରକ୍ଷିତ ରହିବେ, ଆବଶ୍ୟକ ହେଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ ବୋଲି ସଜାଗ କରାଇ ଦେଇଛି ପ୍ରଶାସନ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ- ଜିଲ୍ଲାରେ କୌଣସି ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଆଗାମୀ ସମୟରେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରବଳ ବର୍ଷା ହେଲେ ମଧ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ ତୟାରି କରି ସଜାଗ ରହିଛନ୍ତି।

Comments are closed.