ରାୟପୁରରେ ହେଲିକପ୍ଟର ଦୁର୍ଘଟଣାରେ ସମ୍ବଲପୁରର ପାଇଲଟଙ୍କ ମୃତ୍ଯୁ

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ଛତିଶଗଡର ରାୟପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନ ବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ଯୁ ହୋଇଥିବା ବେଳେ ମୁଖ୍ଯ ପାଇଲଟ କ୍ୟାପଟେନ ଗୋପାଳ କୃଷ୍ଣ ପଣ୍ଡା ହେଉଛନ୍ତି ସମ୍ବଲପୁର ବାସିନ୍ଦା। ସେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବ୍ୟକ୍ତିଗତ ପାଇଲଟ ଭାବେ ମଧ୍ଯ କାର୍ଯ୍ୟ କରୁଥିଲେ।

ଗତକାଲି ରାତିରେ ରାୟପୁର ବିମାନ ବନ୍ଦରରେ ଗୋପାଳ ତାଙ୍କ ସାଥୀ ପାଇଲଟ କ୍ୟାପଟେନ ଏପି ଶ୍ରୀବାସ୍ତବଙ୍କ ସହ ହେଲିକପ୍ଟର ଅଭ୍ୟାସ ଉଡାଣ ପାଇଁ ବାହାରିଥିଲେ। ଏହି ସମୟରେ କୌଣସି କାରଣରୁ ହେଲିକପ୍ଟର ଟି ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି। ଗୋପାଳ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ପଡିଆବାହାଲ ନିକଟସ୍ଥ ବାହାମ ଗାଁର। ତେବେ ତାଙ୍କ ପରିବାର ବର୍ତ୍ତମାନ ସମ୍ବଲପୁର ସହରରେ ବସବାସ କରୁଛନ୍ତି। ତାଙ୍କ ଭାଇ ଡାକ୍ତର ବିମଳ ପଣ୍ଡା ସମ୍ବଲପୁରର ଜଣେ ସୁନାମଧନ୍ଯ ଚିକିତ୍ସକ। ଡାକ୍ତର ପଣ୍ଡା ଖବର ପାଇବା ମାତ୍ରେ ଭାଇଙ୍କ ମରଶରୀର ଆଣିବାକୁ ରାୟପୁର ଯାଇଛନ୍ତି। ଆଜି ସମ୍ବଲପୁରକୁ ମରଶରୀର ଫେରିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ସେପଟେ ଉଭୟ ମୃତକଙ୍କ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ସମ୍ବଲପୁରରେ ମଧ୍ଯ ଶୋକର ଛାୟା ଖେଳିଯାଇଛି।

Comments are closed.